ସମ୍ବଲପୁର : ଡ. ବିଜୟାନନ୍ଦ ବେହେରା ପୁଣିଥରେ ଏଲ୍‌ଆର୍‌ ଆଇନ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଅତିଥି ଅଧ୍ୟାପକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଗିରିଜା ଶଂକର ଶର୍ମା ପୂର୍ବରୁ ଇସ୍ତଫା ଦେଇଥିବାବେଳେ ତାହା ଏବେ ଗୃହୀତ ହୋଇଛି।

Advertisment

ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ର. ସଂଜୀବ ମିତ୍ତଲ ଏକ ନାଟକୀୟ ଘଟଣା କ୍ରମରେ ଗତ ଏପ୍ରିଲ୍ ମାସରେ ପ୍ର. ଶର୍ମାଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେଇଥିଲେ। ସେହି ଗୋଟିଏ ପତ୍ରରେ ସେ ଡ. ବେହେରାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଡ. ଶର୍ମାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରିଥିଲେ। ଡ. ବେହେରା ୨୦୧୨ ମସିହାରେ ସାକ୍ଷାତକାର ଦେଇ କହିଥିଲେ ଯେ ନିୟମିତ ପ୍ରକ୍ରିୟାରେ ସ୍ଥାୟୀ ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଥିଲା, ଯାହାକୁ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ମଞ୍ଜୁରି ଦେଇଥିଲା। ତେଣୁ ୧୦ ବର୍ଷ ପରେ ତାଙ୍କୁ ବିନା କୌଣସି କାରଣ ଦର୍ଶାଇ କୁଳପତି ଗୋଟିଏ ଚିଠିରେ ପଦରୁ ଅନ୍ତର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଲ୍‌ଆର୍‌ ଆଇନ୍ ମହାବିଦ୍ୟାଳୟର ବ୍ୟାଙ୍କ୍‌ ଖାତାରେ ଥିବା ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଖାତାକୁ ସ୍ଥାନାନ୍ତର କରିବାକୁ ପ୍ର. ମିତ୍ତଲ କୁଆଡ଼େ ଡ. ବେହେରାଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସେ ତାହା ପାଳନ ନ କରିବାରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ପଦରୁ ହଟା ଯାଇଥିଲା। ଏହାପରେ ପ୍ର. ଶର୍ମା ଦାୟିତ୍ବ ଦାୟିତ୍ବ ନେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କା ବିଶ୍ବବିଦ୍ୟାଳୟ ଖାତାକୁ ସ୍ଥାନାନ୍ତର ହୋଇଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଏହା ବିରୋଧରେ ଧନୁପାଲି ଥାନାରେ ଏତଲା ଦିଆ ଯାଇଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ ଓ ବିବାଦୀୟ ପରିସ୍ଥିତି ଉପୁଜିବାରୁ ପ୍ର. ଶର୍ମା ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ତାହା ଗୃହୀତ ହୋଇ ନଥିଲା। ସେ ଅଧ୍ୟକ୍ଷ ଦାୟିତ୍ବ ତୁଲାଇ ଆସୁଥିଲେ।