କୋଭିଡ୍ ମୁକାବିଲା ପରେ, ୪୫୪ କୋଟିର ସମ୍ପତ୍ତି ଏବେ କେଉଁଠି?

କିଣା ଖଟ ଅଧା ନଷ୍ଟ, କିଛି ଉଭାନ, ଆଉ କିଛି ଗୋଦାମରେ

ଭୁବନେଶ୍ବର: ରାଜ୍ୟରେ କୋଭି଼ଡ୍ ପ୍ରଭାବ କମିବା ପରେ ସରକାର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ଯେତେସବୁ ବ୍ୟବସ୍ଥା ତୃଣମୂଳସ୍ତରରେ କରିଥିଲେ, ସେସବୁକୁ ବନ୍ଦ କରିଦେଇଛନ୍ତି। ହେଲେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଯେଉଁ ଭିତ୍ତିଭୂମି ସୃଷ୍ଟି ହୋଇଥିଲା, ସେସବୁ କୁଆଡ଼େ ଗଲା? କିଣାଯାଇଥିବା ଖଟ, ତକିଆ, ବେଡ଼୍‌ସିଟ୍, ଜେନେରେଟର, ଆକ୍ବାଗାର୍ଡ ଆଦି କେଉଁଠି ଅଛି? ଏସବୁ ଖତ ଖାଇବ ନା ଅନ୍ୟତ୍ର ବ୍ୟବହାର ହେବ? ଏମିତି କିଛି ପ୍ରଶ୍ନ ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କଲାଣି। କୋଟି କୋଟି ଟଙ୍କାର ଏ ସଂପତ୍ତି ଏବେ କାହା ହାତରେ ଅଛି, ସେ ଖବର କାହା ପାଖରେ ନାହିଁ। ମହାମାରୀ କୋଭିଡ୍ ମୁକାବିଲା ଲାଗି ରାଜ୍ୟ ସରକାର ଯେଉଁ ଦୁଇଟି ବଡ଼ ପଦକ୍ଷେପ ନେଇଥିଲେ, ସେ ମଧ୍ୟରୁ ଗୋଟିଏ ହେଲା, ପଞ୍ଚାୟତସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର େଖାଲିବା। ଦ୍ବିତୀୟଟି ହେଲା ସରପଞ୍ଚଙ୍କୁ ଜିଲ୍ଲାପାଳ ଭାବେ ଘୋଷଣା କରି କୋଭିଡ୍ ପରିଚାଳନା ଦାୟିତ୍ବ ସେମାନଙ୍କ ହାତରେ ସମର୍ପଣ କରିଥିଲେ। ଉଭୟ ଯୋଜନା ସଫଳ ହୋଇଛି ଓ କୋଭିଡ଼୍ ମୁକାବିଲାରେ ପ୍ରଶଂସା ଗୋଟାଇଛି ରାଜ୍ୟ। କୋଭିଡ୍ ମୁକାବିଲା ଲାଗି ପଞ୍ଚାୟତସ୍ତରରେ ଯେଉଁ ଭିତ୍ତିଭୂମି (ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ସୃଷ୍ଟି କରାଯାଇଥିଲା, ସେ ବାବଦରେ କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୪୫୪ କୋଟି (ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ) ଟଙ୍କା ଖର୍ଚ୍ଚ କରାଯାଇଛି। ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ଅନୁଦାନରୁ ଏହି ଅର୍ଥ ଖର୍ଚ୍ଚ ହୋଇଛି।

ଗୋଟିଏ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରାଜ୍ୟରେ ମୋଟ ୧୭ ହଜାର ୬୪୭ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ହୋଇଥିଲା, ଯେଉଁଥିରେ ୮ଲକ୍ଷ ୨୬ ହଜାର ୭୯ଟି ଶଯ୍ୟା ସୃଷ୍ଟି କରାଯାଇଥିଲା। ଏହାବ୍ୟତୀତ ୧୭୮ଟି କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଥିଲା ଓ ସେଥିରେ ୨୧ହଜାର ୫୯ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ ଏସବୁକୁ ବନ୍ଦ କରିଦିଆଯାଇଛି। ଅତି ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ପ୍ରାୟ ୧୬ହଜାର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ଥିଲା। ଯେଉଁଥିରେ ୧୦ଲକ୍ଷରୁ ଅଧିକ ଲୋକ ଚିକିତ୍ସିତ େହାଇଛନ୍ତି।

ସରକାରୀ ତନାଘନା ଆରମ୍ଭ, ଜିଲ୍ଲାପାଳ ଯାଞ୍ଚ କରିବେ
ହଜିଥିଲେ କି ହଜାଇଥିଲେ ସରପଞ୍ଚ ଦେବେ

କଟକ ମାହାଙ୍ଗା ବ୍ଲକର ଜଣେ ସରପଞ୍ଚଙ୍କ ସୂଚନା ମୁତାବକ, ତାଙ୍କ ପଞ୍ଚାୟତରେ ୧୦୦ଟି ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିଲା। ସେଠାରେ ପାଖାପାଖି ୨୫୦୦ ଟଙ୍କା ବିନିମୟରେ ଶଯ୍ୟା କିଣାଯାଇଥିଲା। ସେ ଅନୁସାରେ ବେଡସିଟ୍, ତକିଆ ବି। ସଂପୃକ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରଙ୍ଗ କରାଯାଇଥିଲା, ଆକ୍ବାଗାର୍ଡ କିଣାଯାଇଥିଲା, ବିଦ୍ୟୁତ ବ୍ୟବସ୍ଥାରେ କିଛି ଅର୍ଥ ଖର୍ଚ୍ଚ ହୋଇଥିଲା। ଏବେ ଆକ୍ବାଗାର୍ଡ, ବିଦ୍ୟୁତ ବ୍ୟବସ୍ଥା ଆଦି େସସବୁ ସେ କେନ୍ଦ୍ରରେ ଅଛି। ଖଟ ପଞ୍ଚାୟତ ଗୋଦାମରେ ରହିଛି। ତକିଆ, ବେଡସିଟ୍ ଲୋକମାନେ ସାଙ୍ଗରେ ନେଇଯାଇଛନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକର ଜଣେ ସରପଞ୍ଚଙ୍କ କହିବା କଥା ହେଲା, ସେମାନେ ୧୫ଟି ଶଯ୍ୟା ପ୍ରସ୍ତୁତ କରିଥିଲେ। ବ୍ୟବହୃତ ଖଟ ବାଣ୍ଟିଦିଆଯାଇଛି। ଆଉ କିଛି ପଞ୍ଚାୟତ ସହିତ କଥା ହେବା ବେଳେ ଜଣାପଡିଛି ଯେ ଖଟ ବାହାରେ ପଡ଼ି ନଷ୍ଟ େହାଇଗଲାଣି।
ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କର କହିବା କଥା ହେଉଛି, ସୃଷ୍ଟି ହୋଇଥିବା ସଂପତ୍ତିର ରକ୍ଷଣାବେକ୍ଷଣ ଦିଗରେ ସରକାରୀ ତତ୍ପରତା ପ୍ରକାଶ ପାଇନାହିଁ । ମାସ ମାସ ଧରି ଏତେ ଖଟ ଆଦି ରଖିବା ପାଇଁ ପଞ୍ଚାୟତରେ ବି ବ୍ୟବସ୍ଥା ନାହିଁ। ସରକାର ଏ ସଂକ୍ରାନ୍ତରେ ଆଗୁଆ ନିଷ୍ପତ୍ତି ନ ନେଇଥିବା କାରଣରୁ ଏଥିରୁ ଅର୍ଧାଧିକ ଯେ ସୁରକ୍ଷିତ ନ ଥିବା ବା ଆଦୌ ନଥିବ, ଏ ଆଶଙ୍କା ଅମୂଳକ ନୁହେଁ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ନିଷ୍ପତ୍ତି େହାଇଛି, କିଣାଯାଇଥିବା ଖଟ ସବୁକୁ ନିକଟସ୍ଥ ଆଦିବାସୀ ହଷ୍ଟେଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ହଷ୍ଟେଲ, ସ୍ବତନ୍ତ୍ର ସ୍କୁଲ, ଆଇଟିଆଇ, ପଲିଟେକ୍‌ନିକ୍ କୁ ଯୋଗାଇ ଦିଆଯିବ। ତେବେ ଆକ୍ବାଗାର୍ଡ, ଜେନେରେଟର, ଫ୍ୟାନ୍ ଆଦି ସବୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ସ୍କୁଲମାନଙ୍କରେ ରହିବ। କିଛି ବିଦ୍ୟାଳୟ ରଙ୍ଗ ହୋଇଛି, କିଛି ସ୍ଥାନରେ ଚଟାଣରେ ପ୍ଲେଟ୍ ପଡିଛି, ଓୟାରିଂ ହୋଇଛି, ଏସବୁକୁ ମଧ୍ୟ ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ।
ପଞ୍ଚାୟତିରାଜ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁଇଦିନ ତଳେ ଉଚ୍ଚସ୍ତରୀୟ ବୈଠକର ବିବରଣୀ ମିଳିଛି। ଦିନେ ଦୁଇଦିନ ଭିତରେ ଜିଲ୍ଲାପାଳଙ୍କୁ ଚିଠି ଦିଆଯିବ। ସେମାନେ ସୃଷ୍ଟି ହୋଇଥିବା ସବୁ ସଂପତ୍ତିର ଟିକିନିଖି ବିବରଣୀ ଦେଖି ଯାଞ୍ଚ କରି ଏହା କିଭଳି ବ୍ୟବହାର ହେବ, ସେ ନେଇ ପଦକ୍ଷେପ ନେବେ। ଏସବୁକୁ ସାନିଟାଇଜ୍ କରାଯାଇ ବ୍ୟବହାର ହେବ। ତେବେ ଯେଉଁ ସରପଞ୍ଚମାନେ ଏସବୁ ସଂପତ୍ତି ବିକ୍ରି କରିଦେଇଥିବେ, କିମ୍ବା ନଷ୍ଟ କରିଥିବେ ବା କେବଳ କାଗଜପତ୍ରରେ ହୋଇଥିବ, ସେ କ୍ଷେତ୍ରରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶଥାଉକି, କୋଭିଡ୍ ନିୟନ୍ତ୍ରଣ ପାଇଁ କେବଳ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସୃଷ୍ଟି ହୋଇଥିଲା ତା ନୁହେଁ, ମାଗଣା ଖାଦ୍ୟ ଆଦି ଦେଇଥିଲେ, ଯାହା ଏସ୍‌ଆରସିଙ୍କ ଏସଡିଆରଏଫ୍, ଏନଡିଆରଏଫ୍‌ରୁ ଖର୍ଚ୍ଚ ହୋଇଛି। ଏହାବାଦ୍ ସରକାର ଘୋଷଣା କରିଥିବା ୨୦୦୦ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର