ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକର ୩ଟି ମଣ୍ଡିରେ ଦଣ୍ଡି ପୂଜା ପରେ ମଣ୍ଡି ବନ୍ଦ ହୋଇଯାଇଛି। ୨୨ ତାରିଖ ତେଲକୋଇ, ୨୪ ତାରିଖ ଶିରିଗିଡା ଓ ରାଇସୁଆଁ ଲ୍ୟାମ୍ପ୍ସ ପରିସରରେ ଓଜନ କଣ୍ଟା ପୂଜା କରାଯାଇଥିଲା। ଏଥିରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଚାଷୀ ଉପସ୍ଥିତ ଥିଲେ। ଧୂପ ଦୀପ ଜାଳି ଓ ନଡ଼ିଆ ଫଟାଇ ପୂଜା କରାଯିବା ପରେ ଅଧିକାରୀମାନେ ତାଲା ପକାଇ ଛୁ ମାରିଛନ୍ତି। ଧାନ କିଣିବା ନେଇ ଏକ କମିଟି ଗଠନ କରି ଶୁକ୍ରବାରଠାରୁ ଧାନ କିଣା ଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଥିଲା।

Advertisment

କିନ୍ତୁ ଶନିବାର ସୁଦ୍ଧା ତେଲକୋଇ ଅଞ୍ଚଳର ଚାଷୀଙ୍କଠାରୁ କେଜିଏ ବି ଧାନ କିଣାଯାଇ ନାହିଁ।  ପ୍ରଶାସନ ପକ୍ଷରୁ କେବଳ ମୁଖ୍ୟ ମଣ୍ଡିରେ ଧାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଶାଖା ମୁଣ୍ଡିକୁ ଖୋଲିବାକୁ ଚାଷୀ ଦାବି କରିଛନ୍ତି। ମୁଖ୍ୟ ମୁଣ୍ଡିକୁ ୨୫ ରୁ ୩୦ କିମି ଦୂରତା ହେଉଥିବାରୁ ଚାଷୀ ଧାନ ନେଇଯିବା ସମ୍ଭବ ହେଉନାହିଁ। ତେଣୁ ଛାମୁଣ୍ଡା, ଦେଉଳଡିହା ଓ ରାଇସୁଆଁ ଶାଖା ମୁଣ୍ଡିକୁ ଖୋଲିବା ସହିତ ସପ୍ତାହକୁ ୫ ଦିନ ଧାନ କିଣିବାକୁ ଚାଷୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଲ୍ୟାମ୍ପ୍ସ କର୍ମଚାରୀ ୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଧାନ ବିକିବା ନେଇ ସ୍ଥାନୀୟ ଚାଷୀ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଅନେକ ଚାଷୀଙ୍କ ନିକଟକୁ ଧାନ ବିକିବା ନେଇ ସୂଚନା ଆସୁଥିଲେ ମଧ୍ୟ ଧାନ କେଉଁଠି କି ନେବେ ଓ କିଏ କିଣିବ ଦ୍ବନ୍ଦ୍ବରେ ପଡ଼ିଛନ୍ତି।