ରାଉରକେଲା: ରାଜ୍ୟରେ ଏକାଧିକ ଶିକ୍ଷାନୁଷ୍ଠାନ ରାସ୍ତା କଡ଼ରେ ରହିଛି। ଶହଶହ ସ୍କୁଲ ଓ କଲେଜର ପ୍ରବେଶ ପଥ ବିଭିନ୍ନ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍ ୱେ ସମେତ ଗୁରୁତ୍ବପୂର୍ଣ୍ଣ ଓ ବ୍ୟସ୍ତବହୁଳ ରାସ୍ତା କଡ଼ରେ ରହିଛି। ସେହିଭଳି ଶିକ୍ଷାନୁଷ୍ଠାନରୁ ବାହାରିବା ମାତ୍ରେ ଛାତ୍ରଛାତ୍ରୀମାନେ ସିଧାସଳଖ ରାସ୍ତା ଉପରକୁ ଆସି ଯାଉଛନ୍ତି। ଫଳରେ ଅନେକ ସମୟରେ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେଉ ବା କୋମଳମତି ଛୋଟ ପିଲାଙ୍କ ଅଜ୍ଞାନତା ହେଉ, ବହୁ ଛାତ୍ରଛାତ୍ରୀ ଅକାଳରେ ଜୀବନ ହରାଇବାର ଏକାଧିକ ନଜିର ରହିଛି। ବିଳମ୍ବ ହେଉ ପଛେ, ରାଜ୍ୟ ସରକାର ଚେତିଛନ୍ତି। ରାସ୍ତାକୁ ମୁହାଁଇଥିବା ସ୍କୁଲ ଗୁଡ଼ିକର ମୁଖ୍ୟ ଗେଟ୍ ପରିବର୍ତ୍ତନ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ତେବେ ଯେଉଁ ସ୍କୁଲର ମୁଖ୍ୟ ଗେଟ୍ ପରିବର୍ତ୍ତନ କରାଯାଇ ପାରିବ ନାହିଁ, ସେଠାରେ କଡ଼ା ଟ୍ରାଫିକ୍ ବ୍ୟବସ୍ଥା, ସତର୍କ ସୂଚନା, ବୋର୍ଡ ଆଦି ଲଗାଯିବ। ଏହାଦ୍ବାରା ଯାନବାହନ ଚାଳକମାନେ ସ୍କୁଲର ଅବସ୍ଥିତି ବିଷୟରେ ଅବଗତ ହୋଇ ତଦନୁଯାୟୀ ଗାଡ଼ି ଚାଳନା କରିବେ।
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଗତ ୬ ତାରିଖରେ ବିଭାଗୀୟ ପ୍ରମୁଖ ସଚିବଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ଅଗ୍ରାଧିକାର ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶ ମୁତାବକ, ଯେଉଁ ସ୍କୁଲ ବା କଲେଜର ମୁଖ୍ୟ ଗେଟ୍ ରାସ୍ତା ଆଡ଼କୁ ରହିଛି, ତାର ଗଣନା ହେବ। ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯିବ। ଉକ୍ତ କମିଟିରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ, ତହସିଲଦାର ପ୍ରମୁଖ ରହିବେ। ଏହି କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଣନା ସମ୍ପନ୍ନ ହେବ। ଏହା ସହ ଅଗଷ୍ଟ ଶେଷ ସୁଦ୍ଧା ଏଭଳି ବିପଦସଙ୍କୁଳ ଶିକ୍ଷାନୁଷ୍ଠାନର ସ୍ଥିତି ସମ୍ବଳିତ ବିସ୍ତୃତ ରିପୋର୍ଟ ପରିବହନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶାନାମା ପରେ ଏବେ ଜିଲ୍ଲା ଶିକ୍ଷାଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ର ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୩ ତାରିଖ ସୁଦ୍ଧା ଗୋଷ୍ଠି ଶିକ୍ଷାଧିକାରୀ ବିସ୍ତୃତ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାଖଲ କରିବେ।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଶରଧାପାଲି ଛକରେ ସଂଘଟିତ ମର୍ମନ୍ତୁଦ ଦୁର୍ଘଟଣାପରେ ପରିବହନ ବିଭାଗ ଏହି ସ୍ବତନ୍ତ୍ର ପଦକ୍ଷେପ ନେଇଛି। ଉକ୍ତ ଦିନ ସ୍କୁଲ ଶେଷ ହେବାପରେ ଶରଧାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ତିନି ଜଣ ଷଷ୍ଠ ଶ୍ରେଣୀର ଛାତ୍ର ଘରକୁ ଫେରୁଥିଲେ। ଏତିକିବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଧକ୍କା ଦେବାରୁ ତିନିଜଣ ଛାତ୍ରଙ୍କ ଅକାଳ ବିୟୋଗ ଘଟିଥିଲା। ଉକ୍ତ ଘଟଣା ସେତେବେଳେ ରାଜ୍ୟବାପୀ ଚହଳ ପକାଇଥିଲା। ଏନେଇ ଶିକ୍ଷା ବିଭାଗକୁ ମଧ୍ୟ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।