ପୁରୀ: ଜଳିବା ଅବସ୍ଥାରେ ଦଉଡ଼ି ଦଉଡ଼ି ଆସିଥିଲେ। ନିଆଁ ଲିଭାଯିବା ପରେ ତା ସହିତ ଘଟିଥିବା କାହାଣୀ କହିଥିଲେ। ଦିଲ୍ଲୀ ଯିବା ପରେ କିଛି ଦିନ ଆଇସିୟୁରେ ରହି ୱାର୍ଡକୁ ଆସିଥିଲେ। ଜଳି ଯାଇଥିବା ଜାଗାରେ ଦେହର ଅନ୍ୟ ଜାଗାରୁ ଚମଡ଼ା ଆଣି ଲଗାଯାଇଥିଲା। ଏହା ସୂଚନା ଦେଉଥିଲା ଯେ, ପୀଡ଼ିତାର ସୁସ୍ଥ ହେଉଛନ୍ତି। ହେଲେ ୧୪ ଦିନ ପରେ ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ସମଗ୍ର ବାୟାବରର ଗୋପାଳପୁର ପଡ଼ା ସ୍ତବ୍ଧ ହୋଇଯାଇଛି। ସାରା ଗାଁରେ ପୁଲିସ ପଇଁତରା ମାରୁଛି। ପୀଡ଼ିତାଙ୍କ ଘର ସାମନାରେ ପୁଲିସ ଜଗି ବସିଛନ୍ତି। କେହି ଘରୁ ବାହାରୁନାହାନ୍ତି। 

Advertisment

ସମସ୍ତେ ଚାହିବସିଥିଲେ ତିନିଜଣ ଦୁର୍ବୃତ୍ତ କେବେ ଧରାପଡ଼ିବେ। ଯେଉଁମାନେ ବାଇକ୍‌ରେ ଆସି ତାଙ୍କ ଗୋଡ଼ହାତ ବାନ୍ଧିବା ସହ କିରାସିନି ପକାଇ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଗାଁ ଲୋକମାନେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ତଦନ୍ତର ନିର୍ଯାସକୁ ଅପେକ୍ଷା କରିଥିବା ବେଳେ ପୁଲିସ ‘ଏକ୍ସ’ରେ କେହି ଅଭିଯୁକ୍ତ ନଥିବା ଜଣାଇବା ଓ ପୀଡ଼ିତାଙ୍କ ବାପା ମଧ୍ୟ ଝିଅର ମାନସିକ ଚାପ ଯୋଗୁ ଜୀବନ ହରାଇବା କହିବାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ବାପା ପୂର୍ବରୁ କେବେ ମୁହଁ ଖୋଲି ନଥିଲେ, ହଠାତ୍ ଭିଡିଓ ବାର୍ତ୍ତା ଜାରି କରିବାକୁ ମଧ୍ୟ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଯଦି ଏତେ କଥା ଥିଲା ତେବେ ନାବାଳିକା କାହିଁକି ଏମିତି କହିଥିଲେ? 

ଖବର ପହଞ୍ଚିବାର ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ନାବାଳିକାଙ୍କ ମୃତ୍ୟୁକୁ ନେଇ କୌଣସି ସୂଚନା ନଥିବା ପରିବାର ସଦସ୍ୟ କହିଥିଲେ। କିନ୍ତୁ ପ୍ରାୟ ଘଣ୍ଟାଏ ପରେ ପୀଡ଼ିତାଙ୍କ ପରିବାର ଲୋକ ଆଉ ବାହାରକୁ ବାହାରି ନଥିଲେ। ପୁଲିସ ମଧ୍ୟ ପୀଡ଼ିତାଙ୍କ ଦୁଆର ମୁହଁରେ ପହଞ୍ଚି ଯାଇଥିଲା। ସେପଟେ ବଳଙ୍ଗା ଥାନାରେ ମଧ୍ୟ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଥିଲା। ନାବାଳିକାକୁ ଘଟଣା ଦିନ ଉଦ୍ଧାର କରିଥିବା ଦୁଃଖୀଶ୍ୟାମଙ୍କୁ ପୁଲିସ ଡିଏସ୍‌ପି ପ୍ରାୟ ୩୦ ମିନିଟ୍ ଜେରା କରିଥିଲେ। ଥାନା ମୁଖ୍ୟ ଫାଟକକୁ ବନ୍ଦ କରିଦିଆଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡ଼ା ଯାଇନଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ଦୁଃଖୀଶ୍ୟାମଙ୍କୁ ପୁଲିସ କଣ ପଚାରିଲା ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଥିଲା। ହେଲେ ଦୁଃଖିଶ୍ୟାମ ମୁହଁ ଖୋଲି ନଥିଲେ। 

ଘଟଣାଦିନ ପୀଡ଼ିତାଙ୍କୁ ଉଦ୍ଧାର କଲା ପରେ ଦୁଃଖୀଶ୍ୟାମ ହିଁ ଗଣମାଧ୍ୟମରେ କହିଥିଲେ କି ତିନିଜଣ ଯୁବକ ବାଇକ୍‌ରେ ଆସି ପୀଡ଼ିତାଙ୍କ ଉପରେ କିରାସିନି ଢାଳି ହତ୍ୟା ଉଦ୍ୟମ କରିଥିଲେ। ଦୁଇ ଦିନ ପରେ ଦୁଃଖୀଶ୍ୟାମ କହିଥିଲେ କି ରାତି ୨ଟା ପରେ ତିନିଜଣ ଯୁବକ ମୁହଁରେ ମାସ୍କ୍‌ ବାନ୍ଧି, ବାଇକ୍‌ରେ ଆସି ପରୋକ୍ଷରେ ହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ତଦନ୍ତରେ ପୁଲିସ ଏହି ତିନିଜଣ ଯୁବକ ପ୍ରସଙ୍ଗକୁ ମିଛ ବୋଲି କହିଛି। ଏଣୁ ଏହି ତିନିଜଣ ଯୁବକ ପ୍ରସଙ୍ଗ କେଉଁଠୁ ଆସିଲା ବା କିଏ ଏଭଳି କାହାଣୀ ରଚିଛି ତାହା ଜାଣିବା ପାଇଁ ଦୁଃଖୀଶ୍ୟାମଙ୍କୁ ପୁଲିସ ପଚରାଉଚରା କରିଥିବା କୁହାଯାଉଛି।