ପାତ୍ରପୁର : ସବୁ ଝିଅଙ୍କ ଭଳି ଯମୁନା ବି ସ୍ବାମୀଙ୍କ ହାତ ଧରି ତେଲଲୁଣର ସଂସାର ଗଢ଼ିଥିଲେ। ଦୁଇ ସନ୍ତାନଙ୍କୁ ନେଇ ଶ୍ବଶୁରଘରେ ହସଖୁସିରେ ଦିନ ଗଡ଼ୁଥିଲା। ତେବେ ବାହାଘରର ୧୪ ବର୍ଷ ପରେ ହଠାତ୍ ଯମୁନାଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଆସିଲା। ସମୟଚକ୍ରରେ ସେ କିଡ୍ନିଜନିତ ରୋଗରେ ଆକ୍ରାନ୍ତ ହେଲେ। ଆଉ ତାଙ୍କୁ ଭଲ କରିବା ପାଇଁ ସ୍ବାମୀ ନବୀନ ଦିନରାତି ଏକ କରିଦେଇଥିଲେ। ଯମୁନାଙ୍କ ସାହାଭରସା ପାଲଟିଥିଲେ। ହେଲେ ଦଇବ ଦାଉ ସାଧିଲା। ହଠାତ୍ ସ୍ବାମୀ ନବୀନଙ୍କ ମୃତ୍ୟୁ ପରେ ଯମୁନାଙ୍କ ଦୁନିଆ ବଦଳିଗଲା। ଶ୍ବଶୁରଘର ପରିବାର ପାଇଁ ସେ ହତାଦର ପାଲଟିଗଲେ। ସେହିଦିନଠୁ ନିରୁପାୟ ଯମୁନା ମାଆବାପାଙ୍କ ଆଶ୍ରୟରେ ପଡ଼ିରହିଛନ୍ତି। ରୋଗର ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତରାପୁର ପଞ୍ଚାୟତ ଗୁଡ଼ିପଦର ଗ୍ରାମର ଗଣପତି ଦଳେଇ ଓ କାମିଦେବୀ ଦଳେଇଙ୍କ ଏକମାତ୍ର ଝିଅ ଯମୁନା ସୀମାନ୍ତ ଆନ୍ଧ୍ରପ୍ରଦେଶ ସିଙ୍କୁଳି ଗ୍ରାମର ନବୀନ ବଡ଼ଭୋଇଙ୍କୁ ବିବାହ କରିଥିଲେ। ଦାମ୍ପତ୍ୟ ଜୀବନ ଭଲରେ କଟୁଥିବା ସେମାନଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି।
ତେବେ ଦୁଇବର୍ଷ ତଳେ ଯମୁନା ହଠାତ୍ କିଡ୍ନିଜନିତ ରୋଗରେ ଆକ୍ରାନ୍ତ ହେଲେ। ସ୍ବାମୀ ନବୀନ ଯମୁନାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ତାଙ୍କର ଚିକିତ୍ସା କରାଇଥିଲେ। କିନ୍ତୁ ହଠାତ୍ ଗତବର୍ଷ ନବୀନଙ୍କ ଅକାଳ ମୃତ୍ୟୁ ପରେ ଯମୁନାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଯାଇଥିଲା। ସ୍ବାମୀଙ୍କ ମୃତ୍ୟୁପରେ ତାଙ୍କର ଦୁଇ ସନ୍ତାନଙ୍କୁ ଶ୍ବଶୁରଘର ପରିବାର ନିଜ ପାଖରେ ରଖିଲେ। କିନ୍ତୁ ଯମୁନାଙ୍କୁ ହତାଦର କରିଥିଲେ। ଫଳରେ ଯମୁନାଙ୍କୁ ବାପା ଗଣପତି ଓ ମାଆ କାମି ନିଜ ଘରେ ଆଣି ରଖିଛନ୍ତି। ତେବେ ଅର୍ଥାଭାବ ଯୋଗୁଁ ଯମୁନାଙ୍କ ଚିକିତ୍ସା ହୋଇପାରୁନି। ଝଡ଼ାଫୁଙ୍କା ଭରସାରେ ବାପାମାଆ ପଡ଼ି ରହିଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ଯମୁନାଙ୍କ ଦୁଇ ଭାଇ ମଧ୍ୟରୁ ଚେନ୍ନାଇରେ ଦାଦନ ଭାବେ କାମ କରୁଥିବା ବଡ଼ଭାଇଙ୍କ କୋଠାରୁ ପଡ଼ି ମୃତ୍ୟୁ ଘଟିଛି। ସାନ ଭାଇ ଚେନ୍ନାଇରେ ଦାଦନ ଖଟୁଛି।
ବାପାମାଆ ବୃଦ୍ଧାବସ୍ଥାରେ ଜମିରେ ଚାଷବାସ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ରୋଗିଣା ଝିଅର ଚିକିତ୍ସା ପାଇଁ ସେମାନେ ଅସମର୍ଥ ବୋଲି ମାଆ କାମି କୋହଭରା କଣ୍ଠରେ କହିଛନ୍ତି। ସରକାର ସହାୟତା ହିଁ ଏକମାତ୍ରା ସାହାଭରସା ବୋଲି କହିଛନ୍ତି।