ପୁରୀ : ବ୍ରିଟିସ୍‌ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କ ମୁକୁଟରେ ଶୋଭା ପାଉଥିବା କୋହିନୁର ହୀରାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ମହାରାଜା ରଣଜିତ୍‌ ସିଂହ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୁର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ। ତତ୍କାଳୀନ କୌଳିକ ପଣ୍ଡା କଳିଯୁଗ ହରେକୃଷ୍ଣ ପ୍ରତିହାରୀଙ୍କ ମାଧ୍ୟମରେ ଏହା ଦାନ କରିବା ପାଇଁ ସଂକଳ୍ପ କରାଯାଇଥିଲା। ପଣ୍ଡାଙ୍କ ପରିବାର ନିକଟରେ ଏବେ ବି ସେଇ ସଂକଳ୍ପପତ୍ର ରହିଛି। ତେଣୁ ରାଣୀଙ୍କ ମୃତ୍ୟୁ ପରେ ଏହା କିଭଳି ମହପ୍ରଭୁଙ୍କ ନିକଟକୁ ଫେରିବ‌ ସେନେଇ ସ୍ବର ଉଠିଛି।

Advertisment

ପଞ୍ଜାବର ତତ୍କାଳୀନ ମହାରାଜା ରଣଜିତ ସିଂହଙ୍କ ଇଚ୍ଛାକୁ ଯଦି ତାଙ୍କ ଉତ୍ତରାଧିକାରୀମାନେ ସମ୍ମାନ ଦେଇଥାଆନ୍ତେ ତେବେ ଏହା ଆଜି ମହାପ୍ରଭୁଙ୍କ ମନ୍ଦିରରେ ଥାଆନ୍ତା। କିନ୍ତୁ ତତ୍କାଳୀନ ସମୟର ଗଭର୍ଣ୍ଣର ଜେନେ‌ରାଲ ଲର୍ଡ ଡେଲହାଉସି ମହାରାଜାଙ୍କ ଉତ୍ତରାଧିକାରୀ ଦୁଲୀପ ସିଂହଙ୍କୁ ଇଂଲଣ୍ଡ ନେଇଯିବା ପରେ ସେଠାରେ ମହାରାଣୀଙ୍କୁ ଏହି କୋହିନୁର ହୀରା ଦାନ ଦେଇ ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ। ୧୮୩୬ ମସିହାରେ ମହାରାଜା ରଣଜିତ ସିଂହ ୫୦ ଲକ୍ଷ ବ୍ରିଟିସ ମୁଦ୍ରା ସହ କୋହିନୁର ହୀରା ଶ୍ରୀମନ୍ଦିରକୁ ଦାନ କରିବେ ବୋଲି ସଂକଳ୍ପ କରିଥିଲେ। ସେନେଇ ରଣଜିତ ସିଂହଙ୍କ ହାତଲେଖା ଦଲିଲର ନକଲ ମଧ୍ୟ ରହିଛି। ମାତ୍ର ଏହା ଇଂଲଣ୍ଡକୁ ଯିବା ପରେ ଆଉ ଭାରତ ଫେରିପାରିଲା ନାହିଁ।

ଅନ୍ତର୍ଜାତୀୟ କୋର୍ଟ ଯିବ ଶ୍ରୀଜଗନ୍ନାଥ ସେନା
ମହାରାଜା ରଣଜିତ ସିଂହ ଶ୍ରୀଜଗନ୍ନାଥଙ୍କୁ ଦାନ ଦେଇଥିଲେ
କୌଳିକ ପଣ୍ଡାଙ୍କ ନିକଟରେ ମହଜୁଦ ଅଛି ସଂକଳ୍ପ ପତ୍ର

୨୦୧୬ ମସିହାରେ କୋହିନୁର ହୀରା ପ୍ରସଙ୍ଗରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମତ ଦେବା ପରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବ୍ରିଟେନ ଦୂତାବାସ ଯିବାକୁ ଯୋଜନା ହୋଇଥିଲା। ମାତ୍ର ଭିସା ମିଳିଲା ନାହିଁ। ତେଣୁ କୋଲକାତାସ୍ଥିତ ବ୍ରିଟେନ ଦୂତାବାସ ଯାଇ ଡେପୁଟି ହାଇକମିସନରଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବ୍ରିଟେନ ଦୂତାବାସର ଡେପୁଟି ହାଇକମିସନରଙ୍କୁ ଭେଟି ବ୍ରିଟେନ ରାଣୀ ଓ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କର ବୋଲି ଦାବି କରିଥିଲେ। ଏଥିସହ ଶ୍ରୀଜଗନ୍ନାଥଙ୍କୁ ଏହି ହୀରା ଦାନ କରିବା ନେଇ ମହାରାଜା ରଣଜିତ ସିଂହ କରିଥିବା ଦଲିଲର ନକଲ ମଧ୍ୟ ଦାବିପତ୍ର ସହ ଦିଆଯାଇଥିଲା। ଏହାର ଜବାବରେ ହୀରା ଫେରାଇ ହେବନାହିଁ ବୋଲି ବକିଂହାମ ପ୍ୟାଲେସ୍‌ରୁ ପ୍ରିୟଦର୍ଶନଙ୍କ ନିକଟକୁ ଚିଠି ଆସିଥିଲା।
୧୮୧୩ ମସିହା ଜୁନ୍‌ ୧ ତାରିଖରେ ମହାରାଜା ରଣଜିତ ସିଂହ ଆଫଗାନ ଶାସକ ଶାହା ସୁଜାଙ୍କଠାରୁ ଏହା ହାସଲ କରିଥିଲେ। ପରେ ସେ ଏହାକୁ ନିଜ ବାହୁରେ ପିନ୍ଧୁଥିଲେ। ଲାହୋରର ତୋସଖାନା ତଥା ଟ୍ରେଜେରିରେ ଏହାକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଉଥିଲା। ୧୯୩୯ ମସିହାରେ ରଣଜିତ ସିଂହ ମସ୍ତିଷ୍କାଘାତ ପରେ ଶଯ୍ୟାଶାୟୀ ହେବାରୁ କୋହିନୁର ହୀରା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ ପାଇଁ ଇଚ୍ଛାପତ୍ର ଲେଖିଥିଲେ। କିନ୍ତୁ ବ୍ରିଟିସ ଇଷ୍ଟ ଇଣ୍ଡିଆ କମ୍ପାନି ଦ୍ବାରା ଶିଖ ସାମ୍ରାଜ୍ୟର ପତନ ହେବା ପରେ କୋହିନୁର ହୀରା ଇଂଲଣ୍ଡକୁ ଚାଲିଗଲା।

ଶ୍ରୀ ପଟ୍ଟନାୟକ କହିଛନ୍ତି ମହାରାଜା ରଣଜିତ ସିଂହଙ୍କ ୧୨ ବର୍ଷର ଉତ୍ତରାଧିକାରୀ ଦୁଲୀପ ସିଂହଙ୍କୁ ଲର୍ଡ ଡେଲହାଉସି ଇଂଲଣ୍ଡ ନେଇଯିବା ପରେ କୋହିନୁର ହୀରା ସେଇଠି ରହଗିଲା। କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କୁ ଦାନ ଦିଆଯାଇଥିବାରୁ ଏହାକୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ନିତାନ୍ତ ଆବଶ୍ୟକ। ଏ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ହଲାଣ୍ଡସ୍ଥିତ ଅନ୍ତର୍ଜାତୀୟ ‌କୋର୍ଟର ଆଶ୍ରୟ ନିଆଯିବ ବୋଲି ସେ କହିଛନ୍ତି।