ବାପାଙ୍କ ଚିତା ଲିଭିନି, ଚାଲିଗଲା ପୁଅ

ରାସଗୋବିନ୍ଦପୁର/ମାଣିଦା/ଗାଁ ଅମର୍ଦ୍ଦା : ହସଖୁସିର ପରିବାର ଉଜାଡ଼ି ଦେଉଛି ମହାମାରୀ କରୋନା। ବାପାଙ୍କ ଚିତା ଲିଭିନଥିବା ବେଳେ ଆଖି ବୁଜିଛି ପୁଅ। କରୋନା ଆକ୍ରାନ୍ତ ପୁଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା ଖବର ଶୁଣି ସକାଳେ ବାପା ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ଆଉ ମଧ୍ୟରାତ୍ରିରେ କୋଭିଡ୍ ଯୁଦ୍ଧରେ ହାରିଗଲା ପୁଅ। ୨୪ ଘଣ୍ଟା ଭିତରେ ବାପପୁଅ ଆରପାରିକୁ ଚାଲିଯିବା ପରେ ନିର୍ବାକ୍‌ ହୋଇଯାଇଛି ପୂରା ପରିବାର।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଛାଟିଗଡ଼ା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ପୂର୍ବତନ ଶିକ୍ଷକ ତଥା ବ୍ଲକ୍‌ ବିଜେଡି ସଭାପତି ଥିଲେ ବିଜୟ କୁମାର ପରିଡା (୭୬)। ବିଜୟଙ୍କ ୩ ପୁଅ ମଧ୍ୟରୁ ସାନପୁଅ ମିହିର ପରିଡ଼ା (୪୨) ଜଳେଶ୍ବରରେ ଏକ ଗାଡ଼ି ପାର୍ଟସ୍ ଦୋକାନ କରିଥିଲେ। କିଛିଦିନ ପୂର୍ବରୁ ସେ ପଶ୍ଚିମବଙ୍ଗକୁ ମୋଟର ପାର୍ଟସ୍‌ କିଣିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ ୨୬ ତାରିଖରେ ବାଲେଶ୍ବରରେ କୋଭିଡ୍‌ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ସହ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୁଅ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ପଡ଼ୁଥିବା ଖବର ପାଇ ଦୁଶ୍ଚିନ୍ତାରେ ଥିଲେ ବାପା ବିଜୟ। ଗତକାଲି ସକାଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ଲକ୍‌ ବିଜେଡି ସଭାପତି ଥିବାରୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଅନ୍ୟ ୨ ପୁଅ ଓ ଆତ୍ମୀୟସ୍ବଜନ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ତେବେ ମଶାଣିରେ ବାପାଙ୍କ ଚିତା ନଲିଭୁଣୁ ରାତି ପ୍ରାୟ ଗୋଟାଏ ସମୟରେ ଆଖି ବୁଜିଥିଲେ ପୁଅ ମିହିର। ଗୁରୁବାର ସକାଳେ ହସ୍ପିଟାଲରୁ ମିହିରଙ୍କ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକ। କୋଭିଡ୍‌ କଟକଣା ଭିତରେ ପ୍ରଶାସନ ପକ୍ଷରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରା‌ଯାଇଥିଲା। କିଛି ଆତ୍ମୀୟସ୍ବଜନ ଦୂରରେ ରହି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବି ତାଙ୍କ ମୁହଁ ଦେଖିପାରି ନଥିଲେ। ଏମିତିକି ମିହିରଙ୍କର ୨୨ ବର୍ଷର ଏକମାତ୍ର ପୁଅ ବି ନିଜ ବାପାଙ୍କୁ ଦେଖି ପାରିନଥିଲେ।

ସମ୍ବନ୍ଧିତ ଖବର