ଭୁବନେଶ୍ବର: ଛତିଶଗଡ଼ ଓ ରାଜସ୍ଥାନ ହାତରୁ ଖସିଗଲା। ମିଜୋରାମ ଭୋଟର ସାଥ୍ ଦେଲେନି। ମଧ୍ୟପ୍ରଦେଶ ଦଖଲ ରହିଗଲା ସ୍ବପ୍ନରେ। କେବଳ ତେଲେଙ୍ଗାନାରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। କଂଗ୍ରେସର ଏଭଳି ପ୍ରଦର୍ଶନ ନେଇ ଦଳର ଶୀର୍ଷ ନେତୃତ୍ବ ଚିନ୍ତାରେ। ଇଣ୍ଡିଆ ମେଣ୍ଟରେ ଦବ୍ଦବା କମିବ, ଏହାର ଆଭାସ ମିଳିଲାଣି। ଏପଟେ ଓଡ଼ିଶା ଭଳି ରାଜ୍ୟ, ଯେଉଁମାନେ ଡିସେମ୍ବର ୩ ଓ ୪ ତାରିଖର ଫଳାଫଳ ସହିତ ନିଜର ଭାଗ୍ୟକୁ ଯୋଡ଼ୁଥିଲେ, ସେମାନେ ବି ଦ୍ବନ୍ଦ୍ବରେ। ୨୦୨୪ ନିର୍ବାଚନକୁ କିଭଳି ଢଙ୍ଗରେ ଲଢ଼ିବେ, ସେ ନେଇ ଏବେ ଶୀର୍ଷ ନେତୃତ୍ବ ଘମାଘୋଟ ତର୍ଜମା ଚଳାଇଛନ୍ତି। ତେବେ ତେଲେଙ୍ଗାନା ପଡ଼ୋଶୀ ହୋଇଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି ଗୋଟିଏ ବର୍ଗ ଦାବି କରୁଛନ୍ତି।
ସେହିଭଳି ସୀମାନ୍ତ ଛତିଶଗଡ଼ରେ କିଛି କଂଗ୍ରେସ ନେତାଙ୍କ ଜିତାପଟ ପ୍ରଭାବ ଓଡ଼ିଶା ରାଜନୀତି ଉପରେ ରହିବ ବୋଲି ଆଉ ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି। ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଦାବି କରନ୍ତି ଯେ କଂଗ୍ରେସକୁ ତେଲେଙ୍ଗାନା ନେତାଙ୍କ ଭଳି ପରିଶ୍ରମ କରିବାକୁ ପଡ଼ିବ। ଦଳର ହାଇକମାଣ୍ଡଙ୍କ ଶୁଭଦୃଷ୍ଟି ଯେତିକି ଅପରିହାର୍ଯ୍ୟ, ଏକାଠି ଲଢ଼ିବା ଲାଗି ସମସ୍ତେ ପ୍ରସ୍ତୁତ ହେବା ସେତିକି ଗୁରୁତ୍ବପୂର୍ଣ୍ଣ। ଅନ୍ୟଥା ଅସଜଡ଼ା ସଂଗଠନକୁ ନେଇ ପିସିସି ସଭାପତିଙ୍କ ୯ରୁ ୯୦ ଆସନରେ ବିଜୟ ହେବାର ସ୍ବପ୍ନ କେବଳ ସ୍ଲୋଗାନ୍ରେ ରହିଯିବା ବିଚିତ୍ର ନୁହେଁ। ବିଜେଡି ଓ ବିଜେପିକୁ ମୁକାବିଲା କରିବା ଏକପ୍ରକାର ମୁସ୍କିଲ୍।
କଂଗ୍ରେସ ନେତାଙ୍କ କହିବା କଥା ହେଉଛି, ଦଳ ଦକ୍ଷିଣରୁ ଘରସଜଡ଼ା ଆରମ୍ଭ କରିଛି। ୪ ଲୋକସଭା ଆସନରୁ ଗୋଟିଏ ଆସନ ଦଳ ହାତରେ ରହିଛି।
ଏବେ ଜୟରାମ ପାଙ୍ଗୀଙ୍କ ସମେତ ପୁରୁଖା କଂଗ୍ରେସ ନେତା ଘରବାହୁଡ଼ା ଆରମ୍ଭ କରିଛନ୍ତି। ଏପଟେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଗଜପତିକୁ ଫୋକସ୍ କରୁଛନ୍ତି। ତେଲଗୁ ଓ ଆଦିବାସୀ ଭୋଟରଙ୍କୁ ହାତେଇବା ଲାଗି କଂଗ୍ରେସ ସ୍ବତନ୍ତ୍ର କସରତ ଚଳାଇଛି। ଏହାର ପ୍ରଭାବ ପଡ଼ିବ ହିଁ ପଡ଼ିବ। କେବଳ ସେତିକି ନୁହେଁ, ଗଞ୍ଜାମରୁ କୋରାପୁଟ ଯାଏ ସବୁଠି କଂଗ୍ରେସର ବହୁ ଟାଣୁଆ ନେତା ଅଛନ୍ତି। ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା କରିଛି। ଏପଟେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ସହିତ ଯୋଡ଼ି ହୋଇଥିବା ପ୍ରସଙ୍ଗକୁ ନେଇ ଦଳ ଇତିମଧ୍ୟରେ କଂଗ୍ରେସ ଉପକୂଳରେ ଚର୍ଚ୍ଚାକୁ ଆସିଛି। ବିଜେପିର ଧର୍ମ ଓ ବିଜେଡିର ପୁରୀ ବିକାଶ କାର୍ଡକୁ ଦଳ ମୁକାବିଲା କରିବା ହେଉଛି ଲକ୍ଷ୍ୟ। ଏହାବାଦ୍ ଉତ୍ତର ଓଡ଼ିଶାରେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ପଶ୍ଚିମ ଓଡ଼ିଶାର ସବୁ ପ୍ରସଙ୍ଗକୁ ଏକାଠି ଧରି ଦଳ ଆଗକୁ ବଢ଼ିବ ବୋଲି ଆଉ କିଛି ନେତା ମତ ରଖୁଛନ୍ତି।
ତେବେ ରଣନୀତିକାରଙ୍କ ଯୁକ୍ତି ହେଉଛି, ଗତ ନିର୍ବାଚନରେ ବିଜୟୀ, ଦ୍ବିତୀୟ ସ୍ଥାନ କିମ୍ବା ୩୦ହଜାରରୁ ଅଧିକ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପାଇଁ ଚିନ୍ତା କରୁଛି। ମାତ୍ର ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହେଉଛି, ଅନେକ ଗୁରୁତ୍ବପୂର୍ଣ୍ଣ ଆସନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା, ସେଠି ସଂଗଠନ ବି ଦୁର୍ବଳ। ଏହାକୁ ସଜାଡ଼ିବା ଏବେ ଆହ୍ବାନ। ଏହାସହ ଦଳୀୟ କନ୍ଦଳ ମଧ୍ୟ କଂଗ୍ରେସକୁ ଦୁର୍ବଳ କରିଛି। କିଛିମାସ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ କଂଗ୍ରେସ ଭବନରୁ ଦିଲ୍ଲୀରେ ପହଞ୍ଚିଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବିତ କରି ରଖିଛି। ତେବେ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସହ ମୋକିମ୍ଙ୍କୁ ଦେଖିବାକୁ ମିଳିବା ଗୋଟିଏ ବଡ଼ ସଙ୍କେତ ବୋଲି କୁହାଯାଇପାରେ। ଅର୍ଥାତ୍ ମୋକିମ୍ ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ଦେଖାଯାଇପାରନ୍ତି। ହେଲେ ଚିରଞ୍ଜୀବଙ୍କୁ ନେଇ ସେମିତି କିଛି ସୂଚନା ନାହିଁ।
ଅନ୍ୟଦିଗଟି ହେଲା-ଜାତୀୟସ୍ତରରେ କଂଗ୍ରେସ ଜାତିଭିତ୍ତିକ ଜନଗଣନାକୁ ଜୋର୍ ଦେଇଥିଲା। ରାଜ୍ୟ କଂଗ୍ରେସ ମଧ୍ୟ ଏହାସହିତ ସ୍ବର ମିଳାଇଥିଲା। ଏପରିକି କ୍ଷମତାକୁ ଫେରିଲେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି କଂଗ୍ରେସ ନେତାମାନେ ମତ ରଖିଥିଲେ। ହେଲେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ଏହି କାର୍ଡ ବିଶେଷ କାମ ଦେଇନି। ତେଣୁ ରାଜ୍ୟ କଂଗ୍ରେସ ମଧ୍ୟ ଜାତ୍ତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିବ ନା ନିରବ ରହିବ ତାହା ଦେଖିବା କଥା। ଅବଶ୍ୟ ଏକଥା ସତ ଯେ ରାହୁଲଙ୍କ ଏହି ସ୍ବରକୁ ଆଗକୁ ନେବା ଲାଗି ଉଭୟ ରାଜ୍ୟରେ ସେଭଳି ପ୍ରଭାବୀ ନେତୃତ୍ବ ଦାୟିତ୍ବରେ ନଥିଲେ। ବରଂ ସଂପୃକ୍ତ ରାଜ୍ୟର ଶୀର୍ଷ ନେତୃତ୍ବଙ୍କୁ କ୍ଷମତା ନିଶା ବେଶ୍ ଘାରିଥିଲା। ଏଣୁ ଆଗକୁ ବଢ଼ିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଉପରେ କଂଗ୍ରେସ ଅଧିକ ଗୁରୁତ୍ବ ଦେଉଛି। ରାହୁଲଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ଓଡ଼ିଶା ଦେଇ ଯାଇ ନ ଥିଲେ ହେଁ ଆସନ୍ତା ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁଆରିରେ କଂଗ୍ରେସ ରାହୁଲଙ୍କୁ ନେଇ ଏକ ବିରାଟ ସମାବେଶର ଆୟୋଜନର ଲକ୍ଷ୍ୟ ରଖିଛି। ଏପରିକି ରାହୁଲ ଓଡ଼ିଶାରେ କିଛିଦିନ ରହି ପଦଯାତ୍ରା କରିବା ଲାଗି କଂଗ୍ରେସର ଗୋଟିଏ ଗୋଷ୍ଠୀ ଆଗ୍ରହ ଦେଖାଇଛନ୍ତି। ଏହା ଉପରେ କୌଣସି ନିଷ୍ପତ୍ତି ଏଯାଏ ହୋଇନାହିଁ।
ଉଲ୍ଲେଖଥାଉକି, ‘ଇଣ୍ଡିଆ’ ମେଣ୍ଟ ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ସମାନ୍ତରାଳ ଭାବେ ଅଣବିଜେଡି ଓ ଅଣବିଜେପି ଦଳକୁ ନେଇ ଏକାଠି ବସୁଛି। ଏହାର ୩ଟି ବୈଠକ ଅନୁଷ୍ଠିତ ହୋଇଥିଲେ ବି କେଉଁ ଢଙ୍ଗରେ ଏହି ମେଣ୍ଟ ଆଗକୁ ବଢ଼ିବ ତାହାର ରୂପରେଖ ନିର୍ଣ୍ଣୟ ହୋଇନାହିଁ। ଶେଷ ବୈଠକରେ ରାଜ୍ୟର ୪ଟି ସ୍ଥାନରେ ଏସବୁ ଦଳର ନେତୃବୃନ୍ଦଙ୍କୁ ନେଇ ବଡ଼ ସମାବେଶ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଛତିଶଗଡ଼ ନିର୍ବାଚନରେ ପିସିସି ସଭାପତିଙ୍କ ସମେତ ଅନ୍ୟ ନେତାମାନେ ପ୍ରଚାରରେ ସାମିଲ ହୋଇଥିବାରୁ ଏହି ସମାବେଶକୁ ବାତିଲ୍ କରିଦିଆଯାଇଥିଲା। ଏବେ କିଛି ରାଜନୈତିକ ଦଳ ଏହି ମେଣ୍ଟକୁ ନେଇ ସେତେଟା ଉତ୍ସାହ ନ ଥିବା ସୂଚନା ମିଳିଛି। ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟର ବୈଠକ ପରେ କିଛି ନିଷ୍ପତ୍ତି ଆସିପାରେ। କଂଗ୍ରେସ ନେତା ଦାବି କରିଛନ୍ତି ଯେ ୩ରାଜ୍ୟର ଫଳାଫଳ କଂଗ୍ରେସ ସପକ୍ଷରେ ନ ଥିଲେ ହେଁ ସରକାରୀ ବିରୋଧୀ ହାୱା ଏବେ ଦେଶରେ ରହିଛି। ତେଣୁ ଓଡ଼ିଶାରେ ସରକାରୀ ବିରୋଧୀ ହାୱାକୁ ଭୋଟ୍ରେ ପରିଣତ କରିବା ପାଇଁ ଚେଷ୍ଟା କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ଏଆଇସିସି ନିର୍ଦ୍ଦେଶରେ ଜାତିଭିତ୍ତିକ ଜନଗଣନାକୁ ଦଳ ରାଜ୍ୟରେ ଗୁରୁତ୍ବ ଦେଇଛି ଓ ଏହା ଜାରି ରହିବ। ଖୁବଶୀଘ୍ର ଅଣବିଜେପି ଓ ଅଣବିଜେଡି ଦଳମାନଙ୍କୁ ନେଇ ବଡ଼ କାର୍ଯ୍ୟକ୍ରମ କରାଯିବ।