ପାରଳାଖେମୁଣ୍ଡି: ନିର୍ବାଚନ ସରିଲା। ହେଲେ ଷ୍ଟ୍ରଙ୍ଗରୁମ୍‌ ଭାବେ ବ୍ୟବହାର ହୋଇଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (ଏସ୍‌କେସିଜି) ସ୍ବୟଂଶାସିତ ମହାବିଦ୍ୟାଳୟର ଶ୍ରେଣୀକକ୍ଷରୁ ବାହାର କରାଯାଇଥିବା ଚୌକି ଓ ଟେବୁଲକୁ ପୁଣି ଯଥାସ୍ଥାନରେ ରଖିବା ଦାୟିତ୍ବ ପ୍ରଶାସନ ଭୁଲିଗଲା। କଲେଜ ଷ୍ଟ୍ରଙ୍ଗରୁମ୍‌ ପାଇଁ ବ୍ୟବହାର ହୋଇଥିବା ବେଳେ ପିଲାମାନେ ବସୁଥିବା ଚୌକି, ଟେବୁଲ ଓ ଆସବାବପତ୍ରଗୁଡ଼ିକୁ ବାହାରେ, ଗଛତଳେ ଓ ଖୋଲା ବାରଣ୍ଡାରେ ରଖା ଯାଇଥିଲା। ଖରାଛୁଟି ଥିବାରୁ କଲେଜ ବନ୍ଦ ରହିଥିବା ବେଳେ ନିର୍ବାଚନ ପରଠାରୁ ସେମିତି ଚୌକି ଓ ଟେବୁଲ ହିଁ ଖରାବର୍ଷାରେ ପଡ଼ିରହିଲା। ପ୍ରଶାସନ ସେଗୁଡ଼ିକୁ ଶ୍ରେଣୀ କକ୍ଷକୁ ସ୍ଥାନାନ୍ତର କରିବା ଦିଗରେ କୌଣସି ପଦକ୍ଷେପ ନେଲାନାହିଁ। ଫଳରେ ସେଗୁଡ଼ିକୁ ବର୍ଷାରେ ଭିଜିବା ପରେ ବତୁରି ଫୁଲିଯିବା ସହ ସେଥିରୁ ମାଇକା ବାହାରି ଖତ ହେଉଛି।

Advertisment

ସୂଚନା ମୁତାବକ ଚଳିତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଇଭିଏମ୍‌ ରଖିବା ପାଇଁ କଲେଜର ଶ୍ରେଣୀଗୃହଗୁଡିକୁ ଷ୍ଟ୍ରଙ୍ଗରୁମ କରାଯାଇଥିଲା। ଏହି କକ୍ଷ ଗୁଡ଼ିକରେ ଥିବା ସମସ୍ତ ଚୌକି, ଟେବୁଲ ଓ ଅନ୍ୟ ସାମଗ୍ରୀଗୁଡ଼ିକୁ କକ୍ଷ ବାହାରେ ଖୋଲା ଆକାଶରେ ରଖି ଦିଆଯାଇଥିଲା।  ଆଉ କେଇଟା ଦିନରେ ମହାବିଦ୍ୟାଳୟ ଖୋଲିବ ଏବଂ ପିଲାଙ୍କ ପାଠପଢା ଆରମ୍ଭ ହେବାକୁ ଥିବାବେଳ ଏହି ଚୌକି ଓ ଟେବୁଲ୍‌ଗୁଡ଼ିକୁ ଏମିତି ବାହାରେ ପକାଇ ଛାଡ଼ିଦେବାକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି। ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ଦୃଷ୍ଟି ଦେବାକୁ ପୁରାତନ ଛାତ୍ରମାନେ ଦାବି କରିଛନ୍ତି।