ଭୁବନେଶ୍ବର: ସମ୍ପତ୍ତି ପାଇଁ ବାପ-ପୁଅ ଓ ଭାଇ-ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ ରକ୍ତ ସଂପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି କଟକ ସହରର ସୂତାହାଟ ଅଞ୍ଚଳର ମିନତି ପଟ୍ଟନାୟକ ।
ମୀନତି ପଟ୍ଟନାୟକଙ୍କ ଘର ହେଉଛି କଟକ ସହରର ସୂତାହାଟରେ । ସମ୍ପର୍କର ନିଆରା ଉଦାହରଣ ସୃଷ୍ଟି କରି ଏବେ ଚର୍ଚ୍ଚାରେ କଟକର ଏହି ବରିଷ୍ଠ ନାଗରିକ । ୬ମାସ ଭିତରେ ଆଗପଛ ହୋଇ ସ୍ୱାମୀ ଓ ଝିଅ ଚାଲିଗଲା ପରେ, ବୟସର ଅପରାହ୍ନରେ ପହଞ୍ଚି ଥିବା ମିନତି, ଜଣେ ରିକ୍ସାବାଲାଙ୍କ ହାତକୁ କଟକ ସହରରେ ଥିବା ତିନି ମହଲା ବିଶିଷ୍ଟ ଘର, ଆସବାବପତ୍ର ଓ ସୁନାଗହଣା ଟେକି ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ କୋଟିଏରୁ ଅଧିକ ହେବ ବୋଲି କୁହାଯାଉଛି । ଆଉ ଜୀବନର ଶେଷ ପର୍ଯ୍ୟନ୍ତ ରିକ୍ସାବାଲାର ପରିବାର ସହ ରହିବା ପାଇଁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ମିନତି ।