ଚଣ୍ଡିଖୋଲ: ବରୀଠେଙ୍ଗଡ଼ ରେଳଷ୍ଟେସନକୁ ଦ୍ଵିତୀୟ ଷ୍ଟେସନ ମାନ୍ୟତା ଦାବିରେ ରେଳ ଷ୍ଟେସନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୩ ତାରିଖଠାରୁ ଚାଲିଥିବା ଗଣଧାରଣାକୁ ଆଜିଠାରୁ ସ୍ଥଗିତ ରଖାଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଷ୍ଟେସନର ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ବିଭାଗୀୟ ଅଧିକାରୀ କଲ୍ୟାଣ ପଟ୍ଟନାୟକ, ଅମିତେଶ ଆନନ୍ଦ, ଜିସି ନାୟକ, ଏସ୍କେ ସହାୟ, ସୁନୀଲ ବେହେରା ଓ ଏସ୍କେ ସାହୁଙ୍କ ସମେତ ୧୨ ଜଣିଆ ପ୍ରତିନିଧି ଟିମ୍ ଆଜି ଧାରଣାସ୍ଥଳରେ ପହଞ୍ଚି ଦାବି ସଂପର୍କରେ ଆଲୋଚନା କରିଥିଲେ। ଏହି ରେଳ ଷ୍ଟେସନର ବିକାଶ କରାଯିବା ସହିତ ରେଳ ଷ୍ଟେସନକୁ ପ୍ୟାସେଞ୍ଜର ହଲ୍ଟ କରାଯିବ ନାହିଁ ବୋଲି ଧାରଣାକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଷ୍ଟେସନ ପାଇଁ ଯାହା ସବୁ ଅଭାବ ଅସୁବିଧା ରହିଛି ତାହାର ପ୍ରତିକାର କରାଯିବ। ଅର୍ଦ୍ଧନିର୍ମିତ ଗୃହକୁ ପୂର୍ଣ୍ଣାଙ୍ଗ କରାଯିବ। ଫୁଟ ଓଭରବ୍ରିଜ, ଉଚ୍ଚ ପ୍ଲାଟଫର୍ମ, ପାନୀୟଜଳ ଓ ଅଲୋକୀକରଣ ସହିତ ଏହି ଷ୍ଟେସନକୁ ଅତ୍ୟାଧୁନିକ ମଡେଲରେ ପରିଣତ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଗଣଧାରଣାରେ ସାମିଲ ହୋଇଥିବା ମହିଳାମାନଙ୍କୁ ଅଧିକାରୀମାନେ ପଇଡ଼ ପାଣି ପିଆଇ ଅନଶନ ଭଙ୍ଗ କରିଥିବା ଦେଖିବାକୁ ମିଳିଥିଲା। ଏହି ଆଲୋଚନା ସମୟରେ ବିଜେପି ନେତା ଅମର ନାୟକଙ୍କ ସମେତ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦ୍ୟୁପ୍ତ ପ୍ରତାପ, ସମ୍ପାଦକ ଉମେଶ ରାଉତ, ବନ୍ତଳା ସରପଞ୍ଚ ସମୀର ରଞ୍ଜନ ରାଉତ, ପୂର୍ବତନ ସରପଞ୍ଚ ଦୀପକ ପ୍ରତାପ, ବେଣୁଧର ବିଶ୍ୱାଳ, କାଇମାଟିଆ ସରପଞ୍ଚ ଅଶୋକ ନାୟକ, ଅଭୟ ମଲ୍ଲିକ ଓ ସ୍ନେହାଶିଷ ଦାସ ଆଲୋଚନାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/12-6.jpg)