ବାହାନଗା: ଗୋଟିଏ ପଟେ ବର୍ଷା ପାଣି ଓ ଅନ୍ୟପଟେ ସମୁଦ୍ର ଜୁଆର ପାଣି ବାଲେଶ୍ବର ବାହାନଗା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବ୍ଲକ୍‌ର ଅନେକ ଗାଁ ପାଣିଘେରରେ ରହିଛି। ଲୋକମାନେ ଜଳବନ୍ଦି ଅବସ୍ଥାରେ ରହି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେପଟେ ପୂର୍ଣ୍ଣିମାତିଥି ଯୋଗୁଁ ସମୁଦ୍ରରେ ବଡ଼ବଡ଼ ଜୁଆର କୂଳ ଲଂଘି ନିକଟସ୍ଥ ୨ଟି ପଞ୍ଚାୟତର ହଜାର ହଜାର ଏକର ଧାନ ଜମିକୁ ମାଡ଼ି ଯାଇଛି। ଲଘୁଚାପ ପ୍ରଭାବରେ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବାହାନଗା ବ୍ଲକ୍‌ର ୨୪ଟି ଯାକ ପଞ୍ଚାୟତ ପ୍ରଭାବିତ ହୋଇଛି। ଅନେକ ଗାଁ ଏବେ ବି ପାଣିଘେରରେ ରହିଛି। ଘର ବୁଡ଼ି ରହିଥିବାରୁ ଅନେକ ଲୋକ ରାସ୍ତାକଡ଼ରେ ତମ୍ବୁ ଟାଣି ଆଶ୍ରୟ ନେଇଥିବା ବେଳେ ଶହ ଶହ ଏକର ଚାଷଜମିରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଏପରି ସମୟରେ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି ସମୁଦ୍ର ଲୁଣା ପାଣି।

Advertisment

ପୂର୍ଣ୍ଣିମା ତିଥି ଯୋଗୁଁ ଗତକାଲି ସକାଳୁ ସମୁଦ୍ର​ରେ ବଡ଼ ବଡ଼ ଜୁଆର ଉଠିଥିଲା। ସମୁଦ୍ର କୂଳ ଲଂଘିବା ସହ ଖରାସାହାପୁର ପଞ୍ଚାୟତର ଖରାସହାପୁର, ଅଠିଳାବାଜ, ବାଉଁଶଆଡ଼ିଆ, ରାମତାଳି, ରମଧା, ଚିତ୍ତଳ ପଞ୍ଚାୟତର ବାଲିକତିରଣ, ଛତୁବାଟି, ପାଟିମୁଣ୍ଡା ଆଦି ଗ୍ରାମର ପ୍ରାୟ ୩ ହଜାର ଏକର ଧାନଜମିକୁ ମାଡ଼ି ଯାଇଥିଲା। ବିଲରେ ଲୁଣାପାଣି ଜମି ରହିବା ଯୋଗୁଁ ଧାନଚାଷ ନଷ୍ଟ ହୋଇଯିବ ବୋଲି ଉପରୋକ୍ତ ଅଞ୍ଚଳର ଚାଷୀ ଭାଗିରଥୀ ପଲେଇ, ଆକାଶ ରାୟ, ରବୀନ୍ଦ୍ର ମହାଳିକ, ଅଗଣୁ ଚରଣ ମହାଳିକ, ଶିବପ୍ରସାଦ ମହାଳିକ, କୈଳାସ ମହାଳିକ ପ୍ରମୁଖ କହିଛନ୍ତି। ବାହାନଗା ତହସିଲଦାର ହିମାଂଶୁ ଶେଖର ଗିରି ଆଜି ପ୍ରଭାବିତ ଗାଁଗୁଡ଼ିକ ପରିଦର୍ଶନ କରିବା ସହ ଜୁଆର ପାଣି ମାଡ଼ିଥିବା ଜମି ସବୁ ବୁଲି ଦେଖିଛନ୍ତି।