ଅନୁଜ ଦାସ
ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ କେଇଖଣ୍ଡ ଆଜ୍ବେଷ୍ଟସ୍ ଓ ଦୁଇଖଣ୍ଡ ଲୁହା ରଡ୍ ବଦଳରେ ଜଣେ ନାବାଳକ ଓ ତାଙ୍କ ବାପାଙ୍କୁ ଜନୈକ ବ୍ୟକ୍ତି ବନ୍ଧକ ରଖିବା ଏବଂ ବାଳକଟି ୪ ବର୍ଷ ଧରି ତାଙ୍କ ଘରେ ଗୋତି ଶ୍ରମିକ ଭାବେ ଖଟୁଥିବା ଜଣାପଡ଼ିଛି। ଦିନକୁ ତିନି ଓଳି ଖାଦ୍ୟ ବଦଳରେ ଉକ୍ତ ନାବାଳକଙ୍କୁ ୧୨ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ଖଟାଯାଉଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ୍, ସୁକିନ୍ଦା ପୁଲିସ ଓ ସ୍ବେଚ୍ଛାସେବୀ ସଙ୍ଗଠନର ମିଳିତ ସହାୟତାରେ ନାବାଳକଙ୍କୁ ଉଦ୍ଧାର କରାଯାଇ ଯାଜପୁରସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ମାଲିକ ନାଁରେ ମାମଲା ରୁଜୁ ହୋଇଛି।
ତିନି ଓଳି ଖାଦ୍ୟ ବଦଳରେ ୧୨ ଘଣ୍ଟାର ହାଡ଼ଭଙ୍ଗା ଖଟଣି
ଉଦ୍ଧାର ପରେ ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ
ସୂଚନା ମୁତାବକ ସୁକିନ୍ଦା ଅଞ୍ଚଳରେ ଜଣେ ବ୍ୟକ୍ତି ଘର ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୧୧ଟି ଆଜବେଷ୍ଟସ୍ ଓ ଦୁଇଟି ଲୁହାରଡ୍ ନେଇଥିଲେ। ଏହା ବଦଳରେ ବାପପୁଅ ଆଜ୍ବେଷ୍ଟସ୍ ଦେଇଥିବା ବ୍ୟକ୍ତି ପାଖରେ ଗୋତି ଶ୍ରମିକ ଭାବେ ଖଟୁଥିଲେ। ଘର କାମ, ବଗିଚା ଜଗିବା ସହ ଗାଈଗୋରୁଙ୍କ ଦେଖାଶୁଣା କରୁଥିଲେ। ଏଥିପାଇଁ ମାଲିକ ସେମାନଙ୍କୁ ମାସକୁ ୭ହଜାର ଟଙ୍କା ଦେବ ବୋଲି କଥା ଦେଇଥିଲା। ହେଲେ ବାପପୁଅଙ୍କୁ ଏହି ଅର୍ଥ ମିଳୁନଥିଲା। କେବଳ ସାପ୍ତାହିକ ହାଟପାଳିରେ ଉକ୍ତ ବ୍ୟକ୍ତି ନାବାଳକଙ୍କ ବାପାଙ୍କୁ ମାତ୍ର ୩୦୦ ଟଙ୍କା ଦେଉଥିଲା। ନାବାଳକଜଣକ ଖାଦ୍ୟ ବଦଳରେ ୧୨ରୁ ୧୪ଘଣ୍ଟା କାମ କରୁଥିଲେ। ଗତ ୪ବର୍ଷ ହେଲା ଦୟନୀୟ ସ୍ଥିତିରେ ଗଛମୂଳେ, ନ ହେଲେ ମାଲିକର ବାରଣ୍ଡାରେ ରହୁଥିଲେ। କରୋନା ସମୟରେ ସ୍କୁଲ ବନ୍ଦ ଥିବା ଦିନରୁ ନାବାଳକ ଜଣକ ମାଲିକ ଘରେ ବନ୍ଧା ପଡ଼ିଥିଲେ। ଏବେ ସେ ପାଠ ପଢ଼ିବାକୁ ଗୁହାରି କରିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଗୋତି ଶ୍ରମିକ ଭାବେ ଖଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଏତଲା ଦେଇଛନ୍ତି। ଅଭିଯୁକ୍ତ ମାଲିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର କହିଛନ୍ତି।
ଏମିତି ଅନେକ ଶିଶୁଙ୍କୁ ଅଭିଯୁକ୍ତ ଗୋତି ଶ୍ରମିକ ଭାବେ ଖଟାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଗୋତି ଶ୍ରମିକ ଭାବେ କାମ କରୁଥିବା ଦୁଇଜଣ ନାବାଳକ ଧାନବିଲ ମଝିରେ ଏକ ଅସ୍ଥାୟୀ ଘରେ ରହୁଥିଲେ। ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ବେଳକୁ ସେମାନେ ପଳାଇଯାଇଥିଲେ। ଏବେ ଏହି ନାବାଳକଦ୍ବୟଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ଖୋଜୁଛି। ଶିଶୁ ଅଧିକାର କର୍ମୀ ଡ.ବେଣୁଧର ସେନାପତି ଏହି ଘଟଣାକୁ ନିନ୍ଦା କରିଛନ୍ତି। ରାଜ୍ୟରେ ଶିଶୁ ଶ୍ରମିକ ବଢ଼ୁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଗୋତି ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ସଜାଗ ରହିବାକୁ ଦାବି ହୋଇଛି।