ସମୀକ୍ଷା ପରେ ଆସିଲା ତଥ୍ୟ: ବିଜେଡି କନ୍ଦଳରୁ ସପ୍ତଗିରିଙ୍କ ଚମକ

ରାୟଗଡା: ଦଳକୁ ଏକଜୁଟ କରି ରଖିଲେ। ରଣନୀତି ବି ସଫଳ ହେଲା। ଯାହା ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବିଜୟ ରାସ୍ତାକୁ ଆହୁରି ସହଜ କଲା। ଏପରିକି ସଂସଦୀୟ କ୍ଷେତ୍ରରେ ୭ରୁ ୬ ବିଧାୟକ ପ୍ରାର୍ଥୀ ମଧ୍ୟ ବିଜୟୀ ହେଲେ। ଅନ୍ୟପଟେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ବିଜେଡି ପାଇଁ ଆତ୍ମଘାତି ହୋଇଛି। ଫଳଫଳକୁ ନେଇ ଚାଲିଥିବା ସମୀକ୍ଷାରୁ ଏମିତି ତଥ୍ୟ ମିଳିଛି। ୫ବର୍ଷ ତଳେ କଡ଼ା ଆହ୍ବାନର ସମ୍ମୁଖୀନ ହୋଇଥିଲେ ସପ୍ତଗିରି। ମାତ୍ର ୩୬୧୩ ଭୋଟ୍‌ରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପରାସ୍ତ କରିଥିଲେ। ନିର୍ବାଚନ ପରେ ଅଢ଼େଇ ବର୍ଷ ରାୟଗଡ଼ା ଜିଲ୍ଲାରେ ଏବଂ ବାକି ଅଢ଼େଇ ବର୍ଷ କୋରାପୁଟ ଜିଲ୍ଲାରେ ରହି ସଂଗଠନ ସମ୍ଭାଳିବେ ବୋଲି ସପ୍ତଗିରି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜୟପୁରରେ ଘର ଭଡ଼ା ନେଇଥିଲେ। କିନ୍ତୁ ବିବାଦୀୟ ପରିସ୍ଥିତି ଯୋଗୁଁ ତାହା ସମ୍ଭବ ହୋଇନଥିଲା। ତେଣୁ ପ୍ରତିକୂଳ ପରିସ୍ଥିତିରେ ସପ୍ତଗିରି ନିଷ୍ପତ୍ତି ଏବଂ ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଗୁଣପୁର ଏବଂ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରି ଯୁବନେତାଙ୍କ ଉପରେ ଆସ୍ଥା ପ୍ରକଟ କଲେ। ସେହିପରି ଗାଁ ଗାଁ ବୁଲି ସଂଗଠନକୁ ସଜାଡ଼ିବା ସହ ଅଣଦେଖାର ଶିକାର ହୋଇ ଦଳରୁ ଦୂରେଇ ରହିଥିବା ପୁରୁଣା ନେତାଙ୍କ ସହ ଯୋଗାଯୋଗରେ ରହିଲେ। ରାଜ୍ୟ ସ୍ବାର୍ଥ୍ୟକୁ ସବୁବେଳେ ଆଗରେ ରଖି ସଂସଦରେ ଶାଣିତ ସ୍ବରରେ ଦାବି ଉପସ୍ଥାପନା କରିଥିଲେ। ଛୋଟରୁ ଛୋଟ ପ୍ରସଙ୍ଗରେ ବି ଖୋଲା ମତ ରଖିବା ଭୋଟରଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ବଡ଼କଥା ହେଲା ଯୁବ ଭୋଟରଙ୍କ ମଧ୍ୟରେ ସପ୍ତଗିରି ଗ୍ରହଣୀୟ ହୋଇପାରିଲେ। ଏମିତି ଅନେକ କାରଣ ଯୋଗୁଁ ୧ଲକ୍ଷ ୪୭ହଜାର ୭୪୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ସପ୍ତଗିରି ବଡ଼ ବିଜୟ ହାସଲ କରିଛନ୍ତି।

ବିଜେଡି ବିପର୍ଯ୍ୟୟର ଅନେକ କାରଣ ମଧ୍ୟରେ ବଡ଼ କାରଣ ହେଲା ଦଳ ଭିତରେ ଗୋଷ୍ଠୀ କନ୍ଦଳ। ପୁରୁଣା ନେତାଙ୍କ ଉପରେ ଅତ୍ୟଧିକ ବିଶ୍ବାସ ଯୋଗୁ ଦଳ ଭିତରେ ହିଁ ସମାନ୍ତରାଳ ସଂଗଠନ ହୋଇଥିଲା। ୨୦୧୪ ନିର୍ବାଚନରେ ବିଜେଡିକୁ ମିଳିଥିବା ବଡ଼ ବିଜୟ ପରେ ଭାସ୍କର ରାଓ ଏବଂ ସୁଧୀର ଦାଶଙ୍କ ମଧ୍ୟରେ ବ୍ୟବଧାନ ବଢ଼ିଥିଲା। ତେଣୁ ୨୦୧୯ ନିର୍ବାଚନରେ କେବଳ ଦଳର ସାଂସଦ ପ୍ରାର୍ଥୀ ନୁହନ୍ତି ରାୟଗଡ଼ା ବିଧାନସଭା ଆସନରେ ବି ବିଜେଡି ପ୍ରାର୍ଥୀ ପରାସ୍ତ ହେଲେ। ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ସୁଧୀର ଦାଶଙ୍କ ନିଷ୍ପତ୍ତିକୁ ଦଳ ସର୍ବାଗ୍ରେ ରଖି ଟିକେଟ ଦେଲା। ଇସ୍ତଫାର ସୁଅ ଛୁଟି ସ୍ଥିତି ଟଳମଳ ହେବାରୁ ଶେଷ ମୁହୂର୍ତ୍ତରେ ଭାସ୍କରଙ୍କୁ ଦଳ ଜିଲ୍ଲା ସଭାପତି କରିଥିଲା। କୋରାପୁଟ ଜିଲ୍ଲାରେ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ବିଜେଡିର ନିଜସ୍ବ ନିଷ୍ପତ୍ତି ଦଳକୁ ଫାଇଦା ଦେବା ବଦଳରେ କଂଗ୍ରେସକୁ ହିଁ ଅଧିକ ସୁହାଇଥିଲା ବୋଲି କୁହାଯାଉଛି।

ନିର୍ବାଚନର ଫଳାଫଳରେ ନୂଆ ସମୀକରଣ ମଧ୍ୟ ଦେଖିବାକୁ ମିଳିଛି। କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଗତଥର ୩୪.୩୬ ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର ୬ପ୍ରତିଶତ ଅଧିକ ଅର୍ଥାତ ୪୧.୦୩ ପ୍ରତିଶତ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥୀ କୌଶଲ୍ୟା ଗତଥର ୩୪.୦୨ ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର ୬ପ୍ରତିଶତ କମ୍‌ ଅର୍ଥାତ ୨୮.୧୭ପ୍ରତିଶତ ଭୋଟ ପାଇଛନ୍ତି। ବିଜେପି ପାଇଁ ନିର୍ବାଚନ ନୂଆ ସମ୍ଭାବନା ସୃଷ୍ଟି କରିଛି। ନୂଆକରି ୫ ବିଧାୟକ ଓ ସାଂସଦ ପ୍ରାର୍ଥୀ ହେଲେ। ଗତଥର ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି ୧୯.୨୦ ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର କାଳୀରାମ ମାଝୀଙ୍କ ଭୋଟ ହାର ଏକ ପ୍ରତିଶତ ବଢ଼ିଛି।

ସମ୍ବନ୍ଧିତ ଖବର