ରାଉରକେଲା: ହକି ବିଶ୍ବକପ ପାଇଁ ସହରରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଏବେ ଭାଙ୍ଗିବାରେ ଲାଗିଛି। ନିକଟ ଅତିତରେ ୪୦ ଟଙ୍କାର ହକି ପ୍ରତୀକ ଷ୍ଟାଚ୍ୟୁ ଭାଙ୍ଗିଯାଇଥିବାବେଳେ ଷ୍ଟାଡିୟମର ଗେଟ୍ ନମ୍ବର ୨ର ରାସ୍ତା ଧସିବା ସହ ଫାବର୍ ବ୍ଲକ ଧୋଇ ହୋଇଯାଇଥିଲା। ଏତଦ୍ବ୍ୟତୀତ ସୌନ୍ଦର୍ଯ୍ୟୀକରଣ ଅଧିନରେ ନିର୍ମିତ ସମସ୍ତ ଗଛ ଏବେ ଉଭାନ ହୋଇଯାଇଥିବାବେଳେ ଚଳାପଥ ମଧ୍ୟ ଭାଙ୍ଗିବା ଆରମ୍ଭ ହେଲାଣି। ଏବେ ରାଉରକେଲା ବିମାନବନ୍ଦର ରୋଡ୍ ତଥା ହକି ଷ୍ଟାଚ୍ୟୁ ପାଖରେ ଥିବା ପାଚେରୀ ଭାଙ୍ଗି ମାଟିରେ ମିଶିଯାଇଛି।
ହକି ଷ୍ଟାଚ୍ୟୁ ପାଖରେ ଥିବା ପାଚେରୀ ଭାଙ୍ଗିଲା
ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଭାଙ୍ଗୁଛି
ବୁଧବାର ସନ୍ଧ୍ୟାରେ ସହରରେ ମାତ୍ର କେଇ କ୍ଷଣ ପାଇଁ ସାମାନ୍ୟ ବର୍ଷା ହୋଇଥିଲା। ଏହି ଅଳ୍ପ ବର୍ଷାରେ କିନ୍ତୁ ହକି ଷ୍ଟାଚ୍ୟୁଠାରୁ ମାତ୍ରା ୫୦ ମିଟର ଦୂରତାରେ ଥିବା ୮ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରୀ ଭାଙ୍ଗିଯାଇଛି। ପାଖାପାଖି ୫୦ ଫୁଟ୍ ଲମ୍ବ ଯାଏ ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଏହା ଫାଟି ଆଁ କରିଥିଲା। ସାମାନ୍ୟ ବର୍ଷା ହେଲେ ଯେ କୌଣସି ସମୟରେ ଭାଙ୍ଗିବାର ଆଶଙ୍କା କରାଯାଉଥିଲା। ଆଜି ଏହି ଆଶଙ୍କା ସତରେ ପରିଣତ ହୋଇଛି। ନିର୍ମାଣକୁ ୮ ମାସ ପୁରିନି। କିନ୍ତୁ ଗୋଟିଏପରେ ଗୋଟିଏ ପ୍ରକଳ୍ପ ଭାଙ୍ଗି ମାଟିରେ ମିଶିବା ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାପକ ମାତ୍ରାରେ ଦୁର୍ନୀତି ଯୋଗୁଁ କାମ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି।