ଯାଜପୁର: ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ୩ଦିନିଆ ଯାଜପୁର ଗସ୍ତ ଶେଷ ହୋଇଛି। ବିଜେଡ଼ିର ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାରେ ଯେପରି ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ, ରାସ୍ତାରୋକ, କୁଶପୁତ୍ତଳିକା ଦାହ କରାଗଲା ତାକୁ ନେଇ ରାଜନୀତି ବେଶ ସରଗରମ ହୋଇଛି। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଯାଜପୁର ସହରରେ ୫-ଟି ଠେଙ୍ଗା ବାହିନୀର ଆତଙ୍କରାଜ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କଲା। ବିଜେଡି କାଉନସିଲରଙ୍କ ନେତୃ୍ତ୍ବରେ ଏହି ୫-ଟି ଠେଙ୍ଗା ବାହିନୀ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା ଉପରେ ଆକ୍ରମଣ କରିବା ଘଟଣା ସରକାରଙ୍କୁ ଅସ୍ତବ୍ୟସ୍ତ କରିଦେଲା। ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ଯାଜପୁରରେ କଂଗ୍ରେସ ଓ ବିଜେପି ନେତାମାନେ ଯେପରି ଦୁଇଦିନ ବିରୋଧ କଲେ; ସେହିପରି ଧର୍ମଶାଳା, କୋରେଇ, ବରୀ ଓ ବିଂଝାରପୁର ନିର୍ବାଚନମଣ୍ଡଳୀରେ ମଧ୍ୟ ଏହି ଦୁଇଦଳ ପ୍ରବଳ ବିରୋଧ କରିଥିଲେ। ଅପରପକ୍ଷରେ ସୁକିନ୍ଦାରେ ଉଭୟ କଂଗ୍ରେସ ଓ ବିଜେପି ନେତାମାନେ ସଂପୂର୍ଣ୍ଣ ନିରବ ରହିଥିବା ବେଳେ ବଡ଼ଚଣାରେ ମଧ୍ୟ କଂଗ୍ରେସ ଓ ବିଜେପିର ପ୍ରମୁଖ ନେତାଙ୍କର କୌଣସି ପ୍ରତିକ୍ରିୟା ନଥିଲା।
୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ଭିତରେ ଗତ ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁକିନ୍ଦା ନିର୍ବାଚନମଣ୍ଡଳୀର ଡୁବୁରୀ ଠାରେ ରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେଇଥିଲେ। ଏହି ମହିଳା ସମାବେଶରେ ବିଜେପିର ରାଜ୍ୟ ଓ ଜିଲ୍ଲା ନେତୃମଣ୍ଡଳୀ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ। ସଭାରେ ରାଜ୍ୟ ସରକାର ଓ ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପି ନେତାମାନେ କଟାକ୍ଷ କରିଥିଲେ। ଗତକାଲି ୫-ଟି ସଚିବ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କ ଅଞ୍ଚଳ ଗୋବର୍ଦ୍ଧନପୁରରେ ଅଭିଯୋଗ ସମାବେଶ କଲେ। ଅଥଚ ଏଠାରେ ବିଜେପି ନା କଂଗ୍ରେସ କେହି ବି ବିରୋଧ କରିବାକୁ ସାହସ ଜୁଟାଇ ପାରିନାହାନ୍ତି। ଏହା ପୂର୍ବରୁ ଅକ୍ଷୟ ତୃତୀୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ମୁଠି ଚଳାଇ ବିଜେପିର ବିହନ ପଡ଼ିଲା ବୋଲି ଆଲୋଚନା କରିଥିଲେ। ଅଥଚ ଠିକଣା ସମୟ ବେଳକୁ ପ୍ରଦର୍ଶନ ଶୂନ। ଠିକ୍ ସେହିପରି ବଡ଼ଚଣାରେ ବି ୫-ଟି ସଚିବଙ୍କ ଗସ୍ତ ସମୟରେ ବିଜେପି ଓ କଂଗ୍ରେସର ଆଗଧାଡ଼ିର ନେତାମାନେ ନିରବ ରହିଥିଲେ। ବିରୋଧୀ ଦଳ ଶିବିରର ନେତୃତ୍ବ ନେଉଥିବା ଯୁବନେତାମାନେ ଆଗାମୀ ଦିନରେ ବିଜେଡି ଟିକଟ ନେବା ଆଶାରେ ଥିବାରୁ ୫-ଟି ସଚିବଙ୍କୁ ବିରୋଧ କରିବା ପରିବର୍ତ୍ତେ ନିରବ ସମର୍ଥନ ଦେଇଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
୫-ଟି ସଚିବ ୩ଦିନରେ ୯ଟି ସଭା କରିଥିବା ବେଳେ କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗରର ଚାନ୍ଦମା ପଡ଼ିଆରେ ସଚିବ ୨ଟି ସଭା କରି ଅନ୍ୟ ଅଞ୍ଚଳ ପାଇଁ କୋଟିକୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ହେଲେ ବ୍ୟାସନଗର ସେଥିରୁ ବାଦ ପଡ଼ିଛି। କାହା ଚକ୍ରବ୍ୟୂହରେ ବ୍ୟାସନଗର ଅବହେଳିତ ହେଉଛି ବୋଲି ଏବେ ସହରବାସୀ ପ୍ରଶ୍ନ କରୁଛନ୍ତି। ସର୍ବୋପରି ୫-ଟି ସଚିବଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ, ନେତାମନ୍ତ୍ରୀମାନେ ଏକ ସପ୍ତାହ ହେଲା ଅଣନିଶ୍ବାସୀ ହୋଇପଡ଼ିଥିଲେ। ଗସ୍ତ କାର୍ଯ୍ୟକ୍ରମ ଶେଷ ହେବାରୁ ଏବେ ଆରାମ କରୁଥିବା ଚର୍ଚ୍ଚା ହେଉଛି। ବିଶେଷ କରି ବିରୋଧୀଙ୍କ କାର୍ଯ୍ୟକ୍ରମ ଯୋଗୁଁ ପ୍ରଶାସନିକ ଅଧିକାରୀଙ୍କ ନିଦ ହଜିଯାଇଥିଲା। ତେବେ ପୁଲିସ ସଞ୍ଜମ ରହି କାହାରିକୁ ଗିରଫ କରି ନଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି।