ଭୁବନେଶ୍ବର: ଗୋଟିଏ ପଟେ ବିକାଶ ମୁହାଁ ହୋଇଛି ଓଡ଼ିଶା। ଅନ୍ୟପଟରେ ରାଜ୍ୟ ଉପରେ ଋଣ ଚାପ କ୍ରମଶଃ ବଢିବାରେ ଲାଗିଛି। ଆଜି ବଜେଟ୍‌ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସରକାର କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୧ଲକ୍ଷ ୧୩ହଜାର ୨୩୭କୋଟି ଟଙ୍କାକୁ ଛୁଇଁଯିବ। ଯାହାକି ରାଜ୍ୟ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୧୯%। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୪୫୦କୋଟି ଟଙ୍କାର ଋଣ ବିଭିନ୍ନ ସୂତ୍ରରୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଭାରତ ସରକାରଙ୍କଠୁ ୧୫୪୦କୋଟି ଟଙ୍କା ଆସିବ ବୋଲି ହିସାବ କରାଯାଇଛି। ସେହିଭଳି ଖୋଲା ବଜାରରୁ ୧୭,୮୪୦କୋଟି ଟଙ୍କା ଆଣିବେ। ଅନ୍ୟାନ୍ୟ ସୂତ୍ରରୁ ୫୦୭୦କୋଟି ଟଙ୍କା ଓ ଜିପିଏଫରୁ ୧ହଜାର କୋଟି ଟଙ୍କା ଋଣ ଆସିବ।

Advertisment

ସରକାରଙ୍କ ବଜେଟ୍‌ ହିସାବ କିତାବ ଖେଳାଇଲେ ରାଜ୍ୟ ସରକାର ୨୦୨୧-୨୨ ମସିହାରେ ୨୭୨୯୬ କୋଟି ଟଙ୍କା ଓ ୨୦୨୨-୨୩ ମସିହାରେ ମଧ୍ୟ ୩୦୪୨୦ କୋଟି ଟଙ୍କା ଋଣ ଆଣିବେ ବୋଲି ଏବେଠାରୁ ହିସାବ କରିସାରିଲେଣି। ୨୦୧୯ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୪ ହଜାର ୬୭୬ କୋଟି ଛୁଇଁଯିବ। ସରକାର ୨୦୧୯-୨୦ ବଜେଟ୍ ଉପସ୍ଥାପନ ପରେ ହିସାବ ଦେଇଥିଲେ ଯେ ଋଣ ପରିମାଣ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୬ହଜାର ୫୦୦ କୋଟି ଟଙ୍କା ହେବ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୨୨୭୯୧ କୋଟି ଟଙ୍କା ଋଣ କରିଛନ୍ତି।