ଛେଣ୍ଡିପଦା: ଛେଣ୍ଡିପଦା ରେଞ୍ଜ ପୋଡ଼ାପଡ଼ା ବିଲମାଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ୫ ଦିନ ଧରି ଚିକିତ୍ସା ପରେ ଏହା ସୁସ୍ଥ ହୋଇଛି। ହାତୀର ଗୋଡ଼ରୁ ଶିକୁଳି ଖୋଲିଦିଆଯିବା ସହ ତାହାଠାରେ ରେଡିଓ କୋଲାର୍ ଖଞ୍ଜି ଜଙ୍ଗଲକୁ ଛାଡ଼ି ଦିଆଯାଇଛି। ତେବେ ହାତୀ ଦେହରେ ଏପରି ରେଡିଓ କୋଲାର ଲଗାଇବା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶ, ଛେଣ୍ଡିପଦା ରେଞ୍ଜ ସାପୋଇସାହି ଜଙ୍ଗଲରେ ଏହି ଆହତ ଦନ୍ତାହାତୀକୁ ଠାବ କରାଯାଇଥିଲା। ଗତ ୧୪ ତାରିଖରୁ ଏହା ବନ ବିଭାଗ ନିରୀକ୍ଷଣରେ ରହିଥିଲା। ଗତ ୧୬ ତାରିଖରୁ ବନ ବିଭାଗ ପକ୍ଷରୁ ଏହାର ଚିକିତ୍ସା ଆରମ୍ଭ ହୋଇଥିଲା।
୧୭ ତାରିଖରେ ନନ୍ଦନକାନନ, ଢେଙ୍କାନାଳ କପିଳାସ ଓ ସାତକୋଶିଆ ଡାକ୍ତରୀ ଦଳ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହାତୀକୁ ୫ ଥର ନିଶ୍ଚେତକ ଇଞ୍ଜେକ୍ସନ ଦିଆଯିବା ପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାହାର ଚିକିତ୍ସା କରାଯାଇଥିଲା। ଗତ ୫ ଦିନ ହେଲା ଡାକ୍ତରୀଦଳ ଏହାର ଚିକିତ୍ସା କରିବା ସହିତ ତାହାକୁ ଜଗି ରହିଥିଲେ। ଘାଆ ଶୁଖିବା ପରେ ଆଜି ସନ୍ଧ୍ୟାରେ ତାହାକୁ ମୁକ୍ତ କରାଯାଇଛି। ଏସିଏଫ୍ ବିଦ୍ୟାସାଗର, ରେଞ୍ଜର ଶୁଭ୍ରାଶୁଚିସ୍ମିତା ମହାପାତ୍ରଙ୍କ ଉପସ୍ଥିତିରେ ଦନ୍ତାହାତୀକୁ ମୁକ୍ତ କରାଯାଇଛି। ହାତୀ ବେକରେ ରେଡିଓ କୋଲାର୍ ଖଞ୍ଜି ତାହାର ଗତିବିଧି ନିରୀକ୍ଷଣ କରିବା ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି।