ବୁର୍ଲା: ଦୀର୍ଘ ୨୨ ଘଣ୍ଟା ଧରି ଧାରଣାରେ ବସିବା ପରେ ଭିସୁଟ୍‌ ଛାତ୍ରଛାତ୍ରୀମ‌ାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ସମ୍ବଲପୁର ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ମଧ୍ୟସ୍ଥତାରେ କୁଳପତି ପ୍ରଫେସର ବଂଶୀଧର ମାଝୀ, ସମସ୍ତ ଡିନ୍‌ ତଥା ପ୍ରଫେସରଙ୍କ ଉପସ୍ଥିତିରେ ପ୍ରତ୍ୟେକ ବିଭାଗର ଏକ ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ମୋଟ ୩୦ ଜଣିଆ ବିଦ୍ୟାର୍ଥୀ ପ୍ରତିନିଧି ଦଳ ଆଲୋଚନାରେ ସାମିଲ ହୋଇଥିଲେ।

Advertisment

ଭିସୁଟ କର୍ତ୍ତୃପକ୍ଷଙ୍କ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ତିନିଟି ପ୍ରସ୍ତାବ ଦିଆ ଯାଇଥିଲା। ଏହି ୩ଟି ସମାଧାନ ପ୍ରସ୍ତାବକୁ ନେଇ ଅନ୍ୟ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସହ ୧ ଘଣ୍ଟା ମଧ୍ୟରେ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ କହା ଯାଇଥିଲା। ଆଲୋଚନା ପରେ ତିନିଟି ବିକଳ୍ପ ମଧ୍ୟରୁ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଯିବା ବିକଳ୍ପକୁ ବାଛିଥିଲେ ବିକ୍ଷୋଭରତ ଛାତ୍ରଛାତ୍ରୀ। ତେବେ ଜୁଲାଇ ମାସରେ ଛାତ୍ରଛାତ୍ରୀଙ୍କ ତୃତୀୟ ଏବଂ ପଞ୍ଚମ ସେମିଷ୍ଟର ପରୀକ୍ଷା ଅଫ୍‌ଲାଇନ ମୋଡ୍‌ରେ କରାଯିବ ବୋଲି ଭିସୁଟ କୁଳପତି ପ୍ରଫେସର ମାଝୀ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଗୁରୁବାର ଦିନ ୨ଟା ସମୟରୁ ଭିସୁଟ ଦ୍ୱିତୀୟ ଓ ତୃତୀୟ ବର୍ଷର ଶତାଧିକ ଛାତ୍ରଛାତ୍ରୀ ଅଫ୍‌ଲାଇନ ମୋଡ୍‌ରେ ମେ’ ୬ ତାରିଖ (ଆଜି)ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ରାତି ୧୧ଟା ସମୟରେ ଭିସୁଟର କୁଳପତି ପ୍ରଫେସର ମାଝୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ ଡିନ୍‌ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ବି ତାହା ବିଫଳ ହୋଇଥିଲା।

ଛାତ୍ରଛାତ୍ରୀ ମାନେ ଜିଦ୍‌ରେ ଅଟଳ ରହି ଅନଲାଇନ ମାଧ୍ୟମରେ ପରୀକ୍ଷା ଦାବିରେ ରାତିତମାମ ଭିସୁଟ କ୍ୟାମ୍ପସ୍‌ ପରିସରରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସି ରହିଥିଲେ। ଏହାଛଡ଼ା ଶୁକ୍ରବାରଠୁ ହେବାକୁ ଥିବା ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ସେଥିରୁ ନିବୃତ ରହିଥିଲେ। ନିଜ ଜିଦରେ ଅଟଳ ରହି ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାକୁ ଯାଇ ନଥିଲେ। ତେବେ ତୁହାକୁ ତୁହା ଆଲୋଚନା ପରେ କର୍ତ୍ତୃପକ୍ଷ ଅଫଲାଇନ ପରୀକ୍ଷା ସମୟ ଜୁଲାଇକୁ ଘୁଞ୍ଚାଇ ଦେବାରୁ ଦିନ ୧୨ଟା ସମୟରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ଓହରିଥିଲେ।