ଟିକା ନେଇ କରୋନା ସଂକ୍ରମିତ ହୋଇଛନ୍ତି ୦.୧୩% ଲୋକ

୧.୨୪ କୋଟି ଡୋଜ୍‌ରେ ୧୬,୯୬୦ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଯେତିକି ସଂଖ୍ୟକ କରୋନା ଟିକାର ଡୋଜ୍‌ ଦିଆଯାଇଛି ତହିଁରୁ ମାତ୍ର ୦.୧୩ ପ୍ରତିଶତ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୧କୋଟି ୨୪ଲକ୍ଷ ୯୧ହଜାର ୫୦୨ ଡୋଜ୍ ଟିକା ଦିଆଯାଇଥିବା ବେଳେ ତହିଁରୁ ୧୬,୯୬୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କରୋନା ଟିକା ନେବା ପରେ ସଂକ୍ରମଣ(ବ୍ରେକ୍ ଥ୍ରୁ ଇନ୍‌ଫେକସନ୍‌) ପାଇଁ ରାଜ୍ୟ ସରକାର ନିକଟରେ ଏକ କମିଟି ଗଠନ କରିଥିଲେ। କମିଟିର ପ୍ରଥମ ବୈଠକରେ ଜିଲ୍ଲାସ୍ତରରୁ ଏହି ବ୍ୟକ୍ତିମାନଙ୍କ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇଥିଲା। ରାଜ୍ୟରେ ୧କୋଟି ୪୩ଲକ୍ଷ ୭୭ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୧୫୪ଜଣ ସଂକ୍ରମିତ ହୋଇଛନ୍ତି। ଯାହାର ହାର ହେଉଛି ୦.୦୯ ପ୍ରତିଶତ। ସେହିପରି ୨୪ଲକ୍ଷ ୪୮ହଜାର ୪୨୫ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ଏଥିରେ ୭୮୦୬ଜଣ ସଂକ୍ରମିତ ହୋଇଥିବା ବେଳେ ଏହାର ହାର ହେଉଛି ୦.୩୧ ପ୍ରତିଶତ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଟିକା ନେଇ ଯେତିକି ସଂଖ୍ୟକ ଲୋକ ପଜିଟିଭ୍ ହୋଇଛନ୍ତି, ତହିଁରେ ସଂଶୋଧନ ହୋଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଡବଲ ଡୋଜ୍ ଟିକା ନେବାର ୧୪ଦିନ ପରେ ଯେଉଁମାନେ କ‌ରୋନାରେ ସଂକ୍ରମିତ ହେବେ ସେମାନଙ୍କୁ ବ୍ରେକ୍ ଥ୍ରୁ ସଂକ୍ରମଣ ବୋଲି ଧରିବାକୁ ହେବ। ତେଣୁ ରାଜ୍ୟରେ ଦୁଇଟି ଡୋଜ୍ ଟିକା ନେବା ପରେ କେତିକି ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି ତାହାର ଏକ ସଂଶୋଧିତ ତାଲିକା ପରବର୍ତୀ ସମୟରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର