୩୫ ବର୍ଷ ପରେ ବିନ୍ଧ୍ୟବାସିନୀଙ୍କ ପୀଠରେ ପୋଢ଼ ବଳି

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନୃସିହଂନାଥ ସ୍ଥିତ ମା’ ବିନ୍ଧ୍ୟବାସିନୀଙ୍କ ପୀଠରେ ଗୁରୁବାର ଦିଆଯାଇଛି ପୋଢ଼ ବଳି। ୩୫ ବର୍ଷ ପରେ ପୋଢ଼ ବଳି ଦିଆଯାଇଥିବାରୁ ଏହା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୀଠରେ ଥିବା ଧରଣୀ ଖୁଣ୍ଟ ଢଳି ଗଲେ ଦଶହରା ସମୟରେ ନୂଆ ଖୁଣ୍ଟ ପୋତି ପୋଢ଼ ବଳି ଦେବା ବିଶ୍ୱାସ ରହିଛି। ୧୯୮୨ ମସିହାରେ ସ୍ଥାପନ କରାଯାଇଥିବା ଧରଣୀ ଖୁଣ୍ଟଟି ଗତ ବର୍ଷ ପୂଜା ପରେ ଢଳି ପଡ଼ିଥିଲା। ତେଣୁ ନୂଆ ଖୁଣ୍ଟ ସ୍ଥାପନ ପାଇଁ ପାଇକମାଳ ଗଉନ୍ତିଆ ତାଙ୍କ ଅଧୀନସ୍ଥ ୫ଟି ଗାଁ ମୁନିକେଲ, ବରତୁଣ୍ଡା, ବଇଦପାଲି, ଛେତଗାଁ, ଓ ଗୁରୁଣ୍ଡାର ଗଉନ୍ତିଆଙ୍କୁ ନେଇ ବିଚାର ବିମର୍ଶ କରି ୨୦୧୭ ପୂଜା ଅବସରରେ କରିବାକୁ ସ୍ଥିର କରିଥିଲେ। ନିୟମାନୁସାରେ କନ୍ଧ ସମାଜ ତରଫରୁ ଧରଣୀ ଖୁଣ୍ଟା କଟାଯାଇଥିଲା। ଗୁରୁବାର ସକାଳେ ମୁନିକେଲ ଗଉନ୍ତିଆ ଗ୍ରାମ ଦେବୀଙ୍କଠାରୁ ଆଜ୍ଞା ମାଳ ଆଣି ଚୟନ କରାଯାଇଥିବା ପୋଢ଼ ବେକାର ପିନ୍ଧାଇବା ପରେ ଶୋଭାଯାତ୍ରାରେ ବିକ୍ରମ ନଗର, ମିଠାପଲି, ଡୁଙ୍ଗୁରିପାଲି ପାଇକମାଳ, ନରସିଂହପଡ଼ା, ଜର୍ଜଗଡ, ଦଣ୍ଡପାଟ ଦେଇ ପୀଠକୁ ନିଆଯାଇଥିଲା। ସେଠାରେ ବିଧି ଅନୁସାରେ ପୂଜାର୍ଚ୍ଚନା ସହ ଖୁଣ୍ଟ ପୋତା ଯାଇ ପୋଢ଼ ବଳି ଦିଆଯାଇଥିଲା।

ଏହି ଅବସରରେ ପୂଜକଙ୍କ ଦେହରେ ବେଇଲି ଦେବତା ପ୍ରକଟ ହୋଇଥିଲେ। ଭୋର୍‌ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ପାରମ୍ପରିକ ପୂଜାର୍ଚ୍ଚନା ଦେଖିବାକୁ ଆଖପାଖ ଅଂଚଳ ସମେତ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟାର ଲୋକଙ୍କ ସମାଗମ ହୋଇଥିଲା। ପାଇକମାଳ ଥାନା ଆଇଆଇସି ପି.କେ. କର୍ଣ୍ଣଙ୍କ ନେତୃତ୍ୱରେ ପୁଲିସ୍‌ ବାହିନୀ ଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଥିଲେ। ଏହି ଅବସରରେ ବରିହା ସମାଜ ପକ୍ଷରୁ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କାଯାଇଥିଲା। ପାଇକମାଳ ଗଉନ୍ତିଆଙ୍କ ଝିଅ ନଳିନୀ ବରିହା ଓ ଦନାର ବରିହା ପୂଜାର୍ଚ୍ଚନା କରିଥିଲେ। ହୃଷୀକେଶ ବରିହା, ଜବାହର ସିଂ ବରିହା, ଚିତ୍ତ ରଞ୍ଜନ ସରାଫ, ଧବଳେଶ୍ୱର ସାହୁ, ସୁବଧ ପଣ୍ଡା , ଟାଇଲ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର