୬୧ ମଠ ମନ୍ଦିର ଦୁର୍ନୀତି ଧରିବା ପରେ ଆଉ ୧୫୧ ମଠ ମନ୍ଦିର ଅଡିଟ୍‌ କରିବ ଏଜି

ଭୁବନେଶ୍ବର : ଠାକୁରଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଛି। ୬୧ ମଠମନ୍ଦିରର ମୋଟା ଅଙ୍କର ଦୁର୍ନୀତି ଏଜି ଧରିବା ପରେ ହଇଚଇ ହୋଇଛି। ଦୁର୍ନୀତିର ଠୋସ୍‌ ପ୍ରମାଣ ମିଳିବା ପରେ ଦେ‌ବୋତ୍ତର ବିଭାଗ ତତ୍ପର ହୋଇଛି। ଆଉ ୧୫୧ଟି ମଠ ମନ୍ଦିରର ଅଡିଟ୍‌ ଭାର ଏଜିକୁ ଦେବା ପାଇଁ ଦେବୋତ୍ତର କମିସନର ଆଇନ ବିଭାଗକୁ ଅନୁମତି ମାଗିଥିଲେ। ଏହି ଆବେଦନକୁ ମୋହର ମାରିଛି ବିଧି ବିଭାଗ। ଖୁବ୍‌ଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ବିଜ୍ଞପ୍ତି ପ୍ରକାଶ ପାଇଲେ ଏଜି ଏହି ସବୁ ମଠମନ୍ଦିରର ଅଡିଟ୍‌ ଆରମ୍ଭ କରିବ। ପୂର୍ବରୁ ଏଜି ତଦନ୍ତଭାର ନେଇଥିବା ୬୧ ମଠମନ୍ଦିର ମଧ୍ୟରୁ ୯୯ ପ୍ରତିଶତ ମଠମନ୍ଦିରରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଥିଲ‌ା। ଏଣୁ ଅନ୍ୟ ମନ୍ଦିରଗୁଡ଼ିକରେ ମଧ୍ୟ ଦୁର୍ନୀତି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହି ଆଶଙ୍କାରେ ୧୫୧ଟି ମଠ ମନ୍ଦିର ଚିହ୍ନଟ ହୋଇଥିଲା। ଏହି ଚିହ୍ନିତ ମଠ ମନ୍ଦିର ଏଜି ଦ୍ବାରା ଅଡିଟ୍‌ ସୁପାରିସ କରିବା ପାଇଁ ଦେବୋତ୍ତର କମିସନର ସରକାରଙ୍କ ଠାରୁ ଅନୁମତି ମାଗିଥିଲେ।

ରାଜଧାନୀ ପୂଜା କମିଟିର ୩ କୋଟି ୧୧ଲକ୍ଷ ଟଙ୍କାର ଦୁର୍ନୀତି ଏଜି ଧରିବା ପରେ ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦେବୋତ୍ତର ବିଭାଗ କ୍ରାଇମ୍‌ବ୍ରାଞ୍ଚକୁ ସୁପାରିସ କରିଛି। ଅନ୍ୟ କେତେକ ମଠ ମନ୍ଦିରରେ ହୋଇଥିବା ଦୁର୍ନୀତିର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାକୁ କାଗଜପତ୍ର ପ୍ରସ୍ତୁତ ହେଉଛି। ଏକାଧିକ ମଠ ମନ୍ଦିରରେ ଆତ୍ମସାତ୍‌ ହୋଇଥିବା ଠାକୁରଙ୍କ ଟଙ୍କା ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ଠାରୁ ଫେରାଇ ଆଣିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ଠାକୁରଙ୍କ ସମ୍ପତ୍ତି ଲୁଟ୍‌ କରିଥିବା ତତ୍‌କାଳୀନ ଟ୍ର‌ଷ୍ଟ ବୋର୍ଡ କର୍ତ୍ତୃପକ୍ଷ ଓ ସଦସ୍ୟଙ୍କ ସମେତ ସେମାନଙ୍କୁ ସହଯୋଗ କରିଥିବା କେତେକ ପୁରୁଣା ସରକାରୀ କର୍ମଚାରୀ ପ୍ରମାଦ ଗଣିଛନ୍ତି।

ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଦେ‌ବୋତ୍ତର ବିଭାଗ ଅଧୀନରେ ୧୭ ହଜାର ୪୭୨ ମନ୍ଦିର ଓ ୪୫୯ ମଠ ରହିଛି। ଟ୍ରଷ୍ଟ ବୋର୍ଡ ଜରିଆରେ ବିଭାଗ ଏହି ସବୁ ଧାର୍ମିକ ଅନୁଷ୍ଠାନକୁ ପରିଚାଳନା କରନ୍ତି। ବିଭିନ୍ନ ଉତ୍ସରୁ ଆସୁଥିବା ଆୟବ୍ୟୟର ହିସାବ ଅଡିଟ୍‌ ଜରିଆରେ ତଦାରଖ କରାଯାଉଛି। ମଠମନ୍ଦିର ପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ ରହିଛି। କିନ୍ତୁ କେତେକରେ ଟ୍ରଷ୍ଟ ବୋର୍ଡ ବିବାଦକୁ ନେଇ ପାଖାପାଖି ୪ ହଜାର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଶହ ଶହ ଅନୁଷ୍ଠାନ ବିନା ଟ୍ରଷ୍ଟ ବୋର୍ଡରେ ବି ପରିଚାଳିତ ହେଉଛି। ଅନେକ ନିଜର ସମ୍ପତ୍ତି ଭାବି ବର୍ଷ ବର୍ଷ ଧରି ଭୋଗଦଖଲ କରିଆସୁଛନ୍ତି। ବିଭାଗୀୟ ଅଡିଟ୍‌ ଏହି ସବୁ ଅନିୟମିତତା ଧରିପାରୁ ନାହିଁ କିମ୍ବା ଧରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇ ପାରୁନାହଁ। ଏଣୁ ଏଜି ଅଡିଟ୍‌ ପାଇଁ ସୁପାରିସ କରାଯାଉଛି। ଏହି ୧୫୧ ମଠ ମନ୍ଦିର ପରେ ଆହୁରି କେତେକ ମନ୍ଦିରର ଏଜି ଅଡିଟ୍‌ ପାଇଁ ସୁପାରିସ କରାଯିବାକୁ ଯୋଜନା ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର