କଟକ: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ଆଉ ଦୁଇ ଜଣ ଧରାପଡ଼ିଛନ୍ତି। ଏହାସହିତ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୧୪ରେ ପହଂଚିଛି। ଫେରାରଥିବା ଦୁଇ ଅଭିଯୁକ୍ତ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଶୁଭେନ୍ଦୁ ରାଉତ୍ରାୟ ଓ ଖୁଣ୍ଟୁଣୀର ଶଙ୍କର ନାଏକକୁ ବନବିଭାଗ ଆଠଗଡରୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଜ୍ରକାପ୍ତା ଚୋରାଚାଲାଣ ସଂପର୍କରେ ଅଧିକ ତଥ୍ୟ ଏବଂ ଅଭିଯୁକ୍ତମାନଙ୍କ ସଂପର୍କରେ ସୂଚନା ଦେବାଲାଗି ଅଭିଯୁକ୍ତମାନଙ୍କର ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଇବ ଆଠଗଡ଼ ବନ ବିଭାଗ। ଏହା ସହିତ ବଜ୍ରକାପ୍ତା ଚାଲାଣକାରୀ ଓ ଚାଲାଣ ସଂପର୍କିତ ଖବର ବନ ବିଭାଗକୁ ଦେଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ୧୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏ ସଂପର୍କରେ ପୋଷ୍ଟର ଆଠଗଡ ବନଖଣ୍ଡ ଅଧୀନ ସବୁ ସ୍ଥାନରେ ଲଗାଯିବ ବୋଲି ଡିଏଫ୍ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। ଅନ୍ୟପଟେ ଗିରଫ ଭୟରେ ମାଫିଆମାନେ ନିଜ ପାଖରେ ରଖିଥିବା ବଜ୍ରକାପ୍ତାଙ୍କୁ ସାତକୋଶିଆ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାଯାଇଛି। ଅନେକ ଅଭିଯୁକ୍ତ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିବା ଖବର ମିଳିଛି। ଇତିମଧ୍ୟରେ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଟିମ୍ ସମସ୍ତ ତଥ୍ୟ ପ୍ରମାଣ ଧରି ଫେରିଯାଇଛନ୍ତି। ସମସ୍ତ ଭିଡିଓ କ୍ଳିପିଂ, ମୋବାଇଲରେ ରେକର୍ଡିଂ, ରିମାଣ୍ଡରେ ଆସିଥିବା ଅଭିଯୁକ୍ତଙ୍କଠାରୁ ମିଳିଥିବା ସମସ୍ତ ତଥ୍ୟ ପାଇବା ପରେ ଫେରିଯାଇଛି ଏହି ଟିମ୍। ବିଦେଶ ଲିଙ୍କ୍ ନେଇ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ଏହି ଟିମ୍ ତଦନ୍ତ ଆରମ୍ଭ କରିସାରିଥିବା ଜଣାପଡିଛି।
ସର୍ବସାଧାରଣ ସ୍ଥାନରେ ଲଗାଯିବ ଅଭିଯୁକ୍ତଙ୍କ ପୋଷ୍ଟର
ଗିରଫ ଭୟରେ ବଜ୍ରକାପ୍ତାଙ୍କୁ ଛାଡିଦେଲେଣି ସାତକୋଶିଆ ଜଙ୍ଗଲରେ
ସୂଚନାଯୋଗ୍ୟ ଯେ ବିରଳ ବଜ୍ରକାପ୍ତା ଚୋରାଚାଲାଣର ଚେର ଲମ୍ବିଛି ଅଧା ରାଜ୍ୟକୁ। ମାଫିଆ କୋଡିଂ ବ୍ୟବସ୍ଥା କରି ଚଳାଉଛନ୍ତି ରୢାକେଟ୍। ଗତକାଲି ରିମାଣ୍ଡରେ ଆସିଥିବା ଅଭିଯୁକ୍ତଙ୍କୁ ଜେରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ବନ ବିଭାଗ ହାତରେ ଲାଗିଥିବା ବେଳେ ସେମାନେ ବଛା ବଛା ୧୫ରୁ ୨୦ଟି ବଜ୍ରକାପ୍ତା ଚାଲାଣ କରିସାରିଲେଣି। କେବଳ ସେତିକି ନୁହେଁ, ୧୦ଟିର ଡିଲ୍ ମଧ୍ୟ ସରିଥିବା ତଥ୍ୟରୁ ଜଣାପଡିଛି। ବର୍ତ୍ତମାନ ବନ ବିଭାଗର ‘ଅପରେସନ୍ ପାଙ୍ଗୋଲିନ୍ରେ ତଦନ୍ତ ଓ ଗିରଫଦାରି ପ୍ରକ୍ରିୟା ଚାଲିଥିବାରୁ ଡିଲ୍ ଅପେକ୍ଷାରେ ଥିବା ଅନେକ ମାଫିଆ ଓ ରାକେଟ୍ରେ ସଂପୃକ୍ତଥିବା ଅଭିଯୁକ୍ତ ରାଜ୍ୟ ବାହାରକୁ ଚାଲିଯାଇଥିବା କଲ୍ ରେକର୍ଡରୁ ଜଣାପଡିଛି। ଧରାପଡ଼ିଯିବା ଭୟରେ ସେମାନଙ୍କ ପାଖରେ ରହିଥିବା ବଜ୍ରକାପ୍ତାର କାତିସବୁକୁ ମାଟି ତଳେ ପୋତି ରଖିଥିବା ବେଳେ କିଛି ବଜ୍ରକାପ୍ତାଙ୍କୁ ସାତକୋଶିଆ ଜଙ୍ଗଲରେ ଛାଡ଼ିଦେଇଥିବା ମଧ୍ୟ ଜଣାପଡ଼ିଛି। ଡବ୍ଲୁସିସିବି ଟିମ୍ ଆଠଗଡ ବନ ବିଭାଗରୁ ନେଇଥିବା ତଥ୍ୟକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାରେ ୨୦ରୁ ଅଧିକଙ୍କ ସଂପୃକ୍ତି ରହିଥିବା ଗତକାଲି ତଦନ୍ତରୁ ଜଣାପଡିବା ପରେ ସମସ୍ତ ସିଡିଆରକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି। ତେବେ ବିଦେଶୀ ମାଫିଆଙ୍କ ଫୋନ୍ ନମ୍ବର ସବୁ ବନବିଭାଗ ଓ ଡବ୍ଲୁସିସିବି ଟିମ୍ ହାତରେ ଲାଗିଥିବା ବେଳେ ଗିରଫ ଅଭିଯୁକ୍ତମାନେ କେବଳ ମୋବାଇଲରେ ହିଁ ଚଳାଇଥିଲେ କାରବାର। ମୋବାଇଲରେ ହୋଇଥିବା କଥାବାର୍ତ୍ତା ଅନୁସାରେ, ବଜ୍ରକାପ୍ତାଙ୍କୁ ସେମାନେ ଠିକଣା ସ୍ଥାନରେ ପଠାଇଦେଇଥାନ୍ତି। ତେବେ ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଫେରାର ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିବା ପରେ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଖାନତଲାସ କରାଯାଉଛି।
ଘଟଣାର ଗୁରୁତ୍ବକୁ ନେଇ ବନ ବିଭାଗ ନେଇଛି ଏକ ବଡ଼ ନିଷ୍ପତ୍ତି। ବିରଳ ବଜ୍ରକାପ୍ତା ଚାଲାଣ ଓ ଚାଲାଣକାରୀଙ୍କ ସଂପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆଠଗଡ ବନଖଣ୍ଡର ପ୍ରତି ରେଞ୍ଜ, ବିଟ୍ ହାଉସ୍, ଥାନା, ସର୍ବସାଧାରଣ ସ୍ଥାନରେ ଏହି ସୂଚନା ଲଗାଯିବ। କେବଳ ସେତିକି ନୁହେଁ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଫଟୋ, ଫେରାର ଥିବା ଅଭିଯୁକ୍ତଙ୍କ ସ୍କେଚ୍, ଅପରାଧ ସଂକ୍ରାନ୍ତ ବିବରଣୀର ପୋଷ୍ଟର ପ୍ରତି ସ୍ଥାନରେ ଲଗାଇବା ପାଇଁ ବନବିଭାଗ ନିସ୍ପତ୍ତି ନେଇଥିବା ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ରାକେଟରେ ସାମିଲ ଏହି ୨୦ ଜଣ ବିକ୍ଷିପ୍ତ ଭାବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ବେଳେ ଆଉ କେତେକ ଅଭିଯୁକ୍ତ ରାଜ୍ୟ ବାହାରେ ଆତ୍ମଗୋପନ କରିଛନ୍ତି। ସେମାନଙ୍କୁ ଧରିବା ପାଇଁ ଏବେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ରାକେଟରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ଉପୁଜିଛି।