ଦେବ୍ରିଗଡ଼ ବାଘ ଶିକାର ଘଟଣା: ରିମାଣ୍ଡରେ ଆସିଲେ ୪ ଅଭିଯୁକ୍ତ, ଆଉ ୨ ଗିରଫ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଖଜୁରିଆ ଜଙ୍ଗଲରେ ମହାବଳ ବାଘ ଶିକାର ଘଟଣାର ଖୋଳତାଡ଼ ଆରମ୍ଭ କଲା କ୍ରାଇମ୍‌ ବ୍ରାଞ୍ଚର ଏସଟିଏଫ୍। ବାଘ ଶିକାର ଘଟଣାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ୩ ଦିନ ଲାଗି ରିମାଣ୍ଡରେ ଆଣି ପଚରାଉଚରା କରୁଛି। ସେମାନେ ହେଲେ ସୁଶୀଲ ଭୋଇ, ଗୌରୀ ମିର୍ଧା, ଜାକରିଆ ଟୁଡୁ, ସତ୍ୟବାନ ସାହୁ। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ଲାଗି କ୍ରାଇମ ବ୍ରାଞ୍ଚର ଏକ ଟିମ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆାବେଦନ କରିଥିଲେ। କୋର୍ଟ ଆବେଦନର ଶୁଣାଣି କରି ଅନୁମତି ପ୍ରଦାନ କରିଛନ୍ତି। ପଚରା ଉଚରାବେଳେ ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି କ୍ରାଇମ ବ୍ରାଞ୍ଚ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେ‌େଲ ସରୋଜ ମିର୍ଧା ଓ ଭଂଜନ ମିର୍ଧା। ଆସନ୍ତାକାଲି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏସ୍‌ଟିଏଫ ଆଇଜି ଯତୀନ୍ଦ୍ର କୋଏଲଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଯେଉଁ ଜଙ୍ଗଲରେ ବାଘର ମୃତଦେହ ଜବତ ହୋଇଥିଲା, ତାହା ବରଗଡ଼ ଜିଲ୍ଲାର ସୀମାନ୍ତ ଅଞ୍ଚଳ। ତେଣୁ ଏହି ବାଘ ଶିକାର ପଛରେ କୌଣସି ଅନ୍ତଃରାଜ୍ୟ ଶିକାରୀ ଦଳ କାମ କରୁଛି କିମ୍ବା ନାହିଁ, ତାର ଯାଞ୍ଚ କରିବ ଏସଟିଏଫ୍। ସେମାନେ ପୂର୍ବରୁ ଏହି ଜଙ୍ଗଲରେ ଅନ୍ୟ ବନ୍ୟପ୍ରାଣୀ ଶିକାର କରିଥିବା ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ତଦନ୍ତବେଳେ ଜଣାପଡ଼ିଛି ଅଭିଯୁକ୍ତମାନେ ଗତ ମାସ ୧୩ ତାରିଖରେ ବିଦ୍ୟୁତ ତାର ବିଛାଇ ବାଘ ଶିକାର କରିଥିଲେ। ବାଘର ନଖ, ନିଶ, ପଞ୍ଝା, ଆଦି କାଢ଼ି ନେବା ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋ‌ଷାଡ଼ି ଘୋଷାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ଗାତ ଖୋଳି ପୋତି ଦେଇଥିଲେ। ଏହା ପରେ ସେହି ସ୍ଥାନରେ ଆମ୍ବ ଡାଳ ପକାଇ ନିଆଁ ଲଗାଇ ଦେଇଥିଲେ। ଗତ ମାସ ୨୮ ତାରିଖରେ ଜଙ୍ଗଲକୁ ସ୍ଥାନୀୟ ଜଣେ ବାସିନ୍ଦା ଯାଇଥିବା ବେଳେ ବାଘର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାର ଖୋଳତାଡ଼ ବିନ ବିଭାଗ ଆରମ୍ଭ କରିଥିଲା। ଏହି ସମୟରେ ରାଜ୍ୟ ବାଘ ଶିକାର ଘଟଣାର ଏସଟିଏଫ୍ ତଦନ୍ତ ନି‌ର୍ଦେଶ ଦେଇଥିଲେ। ଏସ୍‌ଟିଏଫ ଡିଏସ୍‌ପି ବିଳାସିନୀ ନାୟକଙ୍କ ଅଧୀନରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ବାଘ ଶିକାର ଘଟଣାରେ ପାଖାପାଖି ୧୦ ଜଣ ଶିକାରୀ ସଂପୃକ୍ତ ଅଛନ୍ତି ବୋଲି ଆଇଜି ଶ୍ରୀ କୋଏଲ ସନ୍ଦେହ କରୁଛନ୍ତି। ସମସ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ପ୍ରକାଶଥାଉକି, ବାଘ ଶିକାର ହେବା ପରେ ଫରେଷ୍ଟର ପର୍ଶୁରାମ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଥିଲା। ପରେ ବନ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର