କରୋନା ବଳୟରେ ‌ରେଶମ ନଗରୀ, ପୁଣି ୩୮ ପଜିଟିଭ୍‌ ଚିହ୍ନଟ

ଆଜିଠୁ ପୁଣି ସମୂହ ସ୍ୱାସ୍ଥ୍ୟ ଯାଞ୍ଚ
ଦୁଇ ଦିନିଆ ସଟ୍‌ଡାଉନ୍‌ ଆରମ୍ଭ
୩୧ଜଣଙ୍କ ଜୀବନ ନେଲାଣି କରୋନା
୧୫ ଦୋକାନକୁ ହୋମ୍ ଡେଲିଭରି ଅନୁମତି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ସହରାଞ୍ଚଳର ସ୍ଥିତି ସଙ୍ଗିନ ରହିଛି। ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର ବି କରୋନା ବଳୟରେ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ସହରରୁ ୩୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬ଜଣ କୋଭିଡ଼୍‌ ଯୋଦ୍ଧା ଏବଂ ୩୨ଜଣ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ତଥା ସାଧାରଣ ଲୋକ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ଠାରୁ ସପ୍ତାହନ୍ତ ଅର୍ଥାତ ଦୁଇଦିନିଆ ଜିଲ୍ଲା ସଟ୍‌ଡାଉନ୍‌ ହେବ। ଏଥିସହ ବ୍ରହ୍ମପୁର ସହର ବି ସଟ୍‌ଡାଉନ୍‌ ରହିବ। ଆଉ ବ୍ରହ୍ମପୁର ସହରରେ ଚତୁର୍ଥ ପର୍ଯ୍ୟାୟ ସମୂହ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ ହେବ। ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟର ଦ୍ବାରା ସ୍ବାସ୍ଥ୍ୟଟିମ୍‌ ଘରକୁ ଘର ବୁଲି ଲକ୍ଷଣଯୁକ୍ତଙ୍କୁ ଖୋଜିବା ସହ ସ୍ବାସ୍ଥ୍ୟ ଯାଞ୍ଚ କରିବେ।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୩୫ଜଣ ସଂକ୍ରମିତ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ସଂକ୍ରମିତଙ୍କ ମଧ୍ୟରେ ୧୫ଜଣ ମହିଳା ରହିଥିବା ବେଳେ ବାକି ୨୦ଜଣ ପୁରୁଷ। ଏହାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨୬୯ରେ ପହଞ୍ଚିଛି। ଗତକାଲି ୬ତାରିଖ ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରୁ ସମୁଦାୟ ୧୭୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୫୧ଜଣ ସଂକ୍ରମିତ ବର୍ତ୍ତମାନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର୍‌ରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୩ରେ ପହଞ୍ଚିଥିବା ବେଳେ ୩୧ଜଣ ବ୍ରହ୍ମପୁର ସହରର ବୋଲି ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର୍ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

ସପ୍ତାହନ୍ତ ଦୁଇ ଦିନିଆ ସଟ୍‌ଡାଉନ୍ ପରେ ଆସନ୍ତା ସୋମବାର ଦିନ ବଜାରରେ ଗହଳି ଦୂର କରାଇବା ପାଇଁ ଶନିବାର ଓ ରବିବାର ଦୁଇ ଦିନ ପାଇଁ ୧୫ଟି ତେଜରାଜୀ ଦୋକାନକୁ ହୋମ୍ ଡେଲିଭରୀ ସୁଯୋଗ ଦିଆଯାଇଛି। କିନ୍ତୁ ଏହି ଦୋକାନୀମାନ‌େ ଦୋକନରେ ସିଧାସଳଖ ଭାବେ ବିକ୍ରି କରିବା ପାଇଁ ମନା କରାଯାଇଛି। ଗିରି ମାର୍କେଟ, ଆରସି ଚର୍ଚ୍ଚ ରୋଡ୍, ଉତ୍କଳ ଆଶ୍ରମ ରୋଡ୍ ସ୍ଥିତ ଚନ୍ଦ୍ରପ୍ରଭା ସାହି, ନୂତନ ବସ୍‌ଷ୍ଟାଣ୍ଡ ସ୍ଥିତ ବ୍ରହ୍ମାନଗର, ଗିରିମାର୍କେଟ, ଖୋଡ଼ାସିଙ୍ଗ୍, ପ୍ରେମନଗର ମୁଖ୍ୟ ରାସ୍ତା, ଶିଳ୍ପାଞ୍ଚଳ ଜଙ୍କସନ୍, ଗାନ୍ଧୀନଗର, ସିଦ୍ଧାର୍ଥ ନଗର ସ୍ଥିତ ବ୍ୟାଙ୍କ କଲୋନୀ, ଉତ୍କଳ ସିନମୋ ରୋଡ଼, ଦଳୁଆ ସାହି, ଏସ୍‌ଏନ୍‌ଟି ରୋଡ଼୍, ବ୍ରହ୍ମାନଗର ଛକ, ବଡ଼ବଜାର ମାର୍ଥାପେଟା ସାହି, ଦଳୁଆ ସାହି ଅଞ୍ଚଳର ୧୫ଟି ଦ‌ୋକାନକୁ ଅନୁମତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର