କଟକ/ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଦ୍ୱିତୀୟ ଥର ପୁଞ୍ଜିଲାଲ ମେହେର୍କୁ ରିମାଣ୍ଡରେ ଆଣିଛି କ୍ରାଇମ୍ବ୍ରାଞ୍ଚ। ଅଧିକ ଆଠ ଦିନ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିବା ବେଳେ ପାଟଣାଗଡ଼ ଏସ୍ଡିଜିଏମ୍ କୋର୍ଟ ୫ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। କୋର୍ଟ ଦିନ ସାଢ଼େ ୧୨ଟାରେ ପୁଞ୍ଜିଲାଲକୁ ନେବା ପାଇଁ ଅନୁମତି ଦେଇଥିବାରୁ ପୁଞ୍ଜିଲାଲକୁ ପ୍ରଥମେ ପାଟଣାଗଡ଼ ଜେଲକୁ ପଠାଇ ଦିଆଯାଇଥିଲା। ହେଲେ ଅପରାହ୍ଣ ସାଢ଼େ ୪ଟାରେ ପୁଞ୍ଜିଲାଲକୁ ପାଟଣାଗଡ଼ ଜେଲରୁ ବାହାର କରି କ୍ରାଇମ୍ବ୍ରାଞ୍ଚ୍ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ସରିବା ଦିନ ଅର୍ଥାତ ୭ ତାରିଖ ସାଢ଼େ ୧୨ଟା ପୂର୍ବରୁ ପୁଞ୍ଜିଲାଲକୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ପୁଞ୍ଜିଲାଲକୁ ୬ ଦିନ ରିମାଣ୍ଡରେ ଆଣି ବିସ୍ଫୋରଣ ସମ୍ପର୍କରେ ଜେରା କରାଯାଇଥିଲା। ଅନ୍ୟପଟେ ଜେରା ସମୟରେ ପୁଞ୍ଜିଲାଲ ଦେଇଥିବା ବୟାନ ଆଧାରରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟି ମେହେରପଡ଼ାରୁ ଭଇଁଷା ଜ୍ୟୋତି ବିକାଶ କଲେଜ୍ ଏବଂ ପରେ କଣ୍ଟାବାଂଜି ରେଳ ଷ୍ଟେସନ୍ ଓ ରାୟପୁର ଗସ୍ତ କରିବ ବୋଲି ସୂଚନା ମିଳିଛି। ଏସ୍ଆଇଟି ପୁଞ୍ଜିଲାଲକୁ ରାୟପୁର ନେବ। ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲ କେଉଁଠିକୁ କେମିତି ଯାଇ ପାର୍ସଲ ପଠାଇଥିଲା ତାହାର ଡେମୋ ଦେଖାଇବ। ଅନ୍ୟପଟେ ବଲାଙ୍ଗୀର ଟାଉନ୍ ଥାନା ଅଞ୍ଚଳରେ ପୁଞ୍ଜିଲାଲ କିଣିଥିବା ବାଣ ଦୋକାନୀଙ୍କ ନିକଟକୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ଯିବ। ସେମାନଙ୍କ ପରିଚୟ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଠାବ କରିଥିବା ବେଳେ ସମ୍ପୃକ୍ତ ଦୋକାନୀଙ୍କ ସହିତ ପୁଞ୍ଜିଲାଲର ସାମ୍ନା ସାମ୍ନି ଜେରା କରିବାକୁ ଯୋଜନା କରାଯାଉଛି।
ଏବେ ପାର୍ସଲ ବୋମା ଘଟଣାରେ ଦୁଇ ଜଣ ରିକ୍ସା ଓ ଜଣେ ଅଟୋ ଚାଳକଙ୍କୁ ରାଜସାକ୍ଷୀ ଭାବେ ବିବେଚନା କରାଯାଉଥିବା ବେଳେ ସେମାନଙ୍କୁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚର ଏକ ତିନି ଜଣିଆ ଟିମ୍ ଏବଂ ରାୟପୁର କ୍ରାଇମ୍ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ପୃଥକ ଭାବେ ଠାବ କରିବାକୁ ଯୋଜନା କରୁଛି। ସେମାନଙ୍କ ବୟାନ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଞ୍ଜିଲାଲର ମୋବାଇଲ୍ ଫୋନ୍, ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ, ଲ୍ୟାପ୍ଟପ ଏବଂ ବଲାଙ୍ଗୀରର ଜଣେ କମ୍ପ୍ୟୁଟର ଦୋକାନୀଙ୍କ ପ୍ରିଣ୍ଟରକୁ ରସୁଲଗଡ଼ସ୍ଥିତ ସାଇବର୍ ଫରେନ୍ସିକ ସାଇନ୍ସ ଲାବ୍ରୋଟାରୀକୁ ନିଆଯାଇ ଡାଟା ରିଷ୍ଟୋର କରାଯାଉଛି। ଲ୍ୟାପ୍ଟପରୁ ସେ ବଲାଙ୍ଗୀର ଏସ୍ପିଙ୍କୁ ଲେଖିଥିବା ଚିଠି ଡିଲିଟ୍ ହୋଇଯାଇଥିବାରୁ, ତାକୁ ରି-ଷ୍ଟୋର କରାଯାଉଛି। ସେହିପରି ହାର୍ଡଡିସ୍କରେ ଥିବା ବୋମା ଭିଡ଼ା ଭିଡ଼ିଓକୁ ମଧ୍ୟ ରିଷ୍ଟୋର କରୁଛି ଫରେନ୍ସି ସାଇନ୍ସ ଲାବ୍ରୋଟୋରୀ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କ୍ରାଇମ୍ବ୍ରାଞ୍ଚ ନିକଟରେ ଡିଲିଟ୍ ହୋଇଥିବା ଉକ୍ତ ତଥ୍ୟ ପ୍ରମାଣ ଦାଖଲ ହେବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ସମ୍ପର୍କରେ ଅତିରିକ୍ତ ଏସପି ଅନିଲ ଦାଶଙ୍କୁ ପଚରାଯିବାରୁ ‘ବର୍ତ୍ତମାନ ଆହୁରି କିଛି ତଥ୍ୟ ଆମକୁ ମିଳିଛି। ପୁଞ୍ଜିଲାଲର ବୟାନକୁ ନେଇ ତଦନ୍ତ କରାଯିବ। ବିଭିନ୍ନ ଦିଗରୁ ତଦନ୍ତ ହେବ’ ବୋଲି କହିଥିଲେ। ସେହିପରି ରାୟପୁରରେ କ୍ରାଇମବ୍ରାଞ୍ଚ ଟିମ୍ ଅଟୋରିକ୍ସା ବାଲାକୁ ଠାବ କରିଥିବା ସମ୍ପର୍କରେ ପଚରାଯିବାରୁ ସେ କୌଣସି ଅଟୋରିକ୍ସା ବାଲାକୁ ଠାବ କରାଯାଇ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ।