ପୁଣି ୫୭ ଆକ୍ରାନ୍ତ, ଜ‌ଣେ ମୃତ ସଙ୍ଗରୋଧ କେନ୍ଦ୍ରର ସୁପରଭାଇଜର ସଂକ୍ରମିତ

ମାଲକାନଗିରିରେ ପଶିଲା, ଆଉ ୩୬ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରୁ ଏଭଳି ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଗତ ୨୪ଘଣ୍ଟାରେ ରାଜ୍ୟର ୧୧ଟି ଜିଲ୍ଲାରୁ ୫୭ଜଣଙ୍କ ନମୁନା ପଜିଟିଭ ବାହାରିଛି। ଏହାସହିତ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୧୦୬୩ରେ ପହଞ୍ଚିଛି। ନୂଆ ସଂକ୍ରମିତ ଜିଲ୍ଲା ଭାବେ ମାଲକାନଗିରି ସାମିଲ ହୋଇଛି। ଅପରପକ୍ଷରେ ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଲଗାତାର ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ହୋଇଛି। ଏହାସହ ଆଜି ରାଜ୍ୟରେ ୩୦ଜଣ ସୁସ୍ଥ ମଧ୍ୟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀ ଓ କଳାହାଣ୍ଡି ଜିଲ୍ଲାରୁ ଆଜି ୧୧ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ପୁରୀରେ ୮ଜଣ ଗୁଜୁରାଟରୁ ଫେରିଥିବା ବେଳେ ଜଣେ ଲେଖାଏ ଆନ୍ଧ୍ର, ତାମିଲନାଡ଼ୁ ଓ କର୍ଣ୍ଣାଟକରୁ ଫେରିଛନ୍ତି। କଳାହାଣ୍ଡିରୁ ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ବାହାର ରାଜ୍ୟରୁ ଫେରିଥିବା ବେଳେ ଜଣେ ସଙ୍ଗରୋଧ କେନ୍ଦ୍ରର ସୁପରଭାଇଜର ଅଛନ୍ତି। କଟକର ୯ ଜଣଙ୍କ ମଧ୍ୟରୁ ୬ ସୁରତ, ୨ ମହାରାଷ୍ଟ୍ର ଓ ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ଖୋର୍ଧାର ୭ଜଣଙ୍କ ମଧ୍ୟରୁ ୫ଜଣ ଗୁଜୁରାଟ, ଜଣେ ପଶ୍ଚିମବଙ୍ଗ ଓ ଜଣେ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଗଞ୍ଜାମର ୬ଜଣଙ୍କ ମଧ୍ୟରୁ ୩ ମହାରାଷ୍ଟ୍ର, ୨ ଗୁଜୁରାଟ ଓ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। କେନ୍ଦ୍ରାପଡ଼ାର ୨ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଓ ଜଣେ ତେଲେଙ୍ଗାନା ଫେରନ୍ତା ଥିବା ବେଳେ ମାଲକାନଗିରିର ୨ଜଣ ତାମିଲନାଡ଼ୁ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି। ବାଲେଶ୍ବରରୁ ସୁରତ ଫେରନ୍ତା ଥିବା ବେଳେ ଯାଜପୁରରରେ ୬ଜଣ, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଏଠାରେ ସଂକ୍ରମିତ ସଂଖ୍ୟା ୩୧୩ରେ ପହଞ୍ଚିଥିବା ବେଳେ ଯାଜପୁରରେ ୧୭୪, ବାଲେଶ୍ବରରେ ୧୨୨, ଭଦ୍ରକରେ ୯୫, ଖୋର୍ଧା ୭୧ ରହିଛି। ରାଜ୍ୟର ୨୪ଟି ଜିଲ୍ଲାରେ ଏବେ କରୋନା ସଂକ୍ରମିତ ରହିଛି। କିଛିଦିନ ବ୍ୟବଧାନରେ ନୂଆ ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷରେ ଆଜି ଆଉ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧା ଜିଲ୍ଲାର ୭୦ବର୍ଷର ପୁରୁଷ ବ୍ୟକ୍ତି ଜଣକ ଉଚ୍ଚ ରକ୍ତଚାପ ସହିତ ଅନ୍ୟ ଜଟିଳ ରୋଗର ଶିକାର ‌ଥିବା ବେଳେ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା କାରଣରୁ ଏମ୍‌ସର ଜୁରରୀକାଳୀନ ସେବାରେ ଭର୍ତି ହୋଇଥିଲେ। ସେହିଦିନ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖୋର୍ଧା ଜିଲ୍ଲାରେ ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଥିବା ବେ‌ଳେ ରାଜ୍ୟରେ ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ଆଉ ୩୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥିରେ ସର୍ବାଧିକ ୨୩ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ବେଳେ ୫ ଯାଜପୁର, ୩ ମୟୂରଭଞ୍ଜ, ପୁରୀ ଓ ଭଦ୍ରକରୁ ୨ଜଣ ଲେଖାଏ ଓ ଜଣେ ରାଉରକେଲାର ରହିଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୪୩‌ରେ ପହଞ୍ଚିଛି। ରାଜ୍ୟରେ ଏବେ ୭୦୩ଜଣ ସକ୍ରିୟ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗତକାଲି ୧୦୫୯୧୪ କୋଭିଡ ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର