ରାଜ୍ୟରେ ଆଉ ୬୦୭୩ ପଜିଟିଭ୍, ୧୦ ମୃତ୍ୟୁ

କମି ଚାଲିଛି କୋଭିଡ୍‌ ନମୁନା ପରୀକ୍ଷା,କମ୍ ଟେଷ୍ଟିଂରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିକୁ ଆସିଲା କିପରି?

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇଦିନ ହେବ କୋଭିଡ୍‌ ନମୁନା ପରୀକ୍ଷା ୪୦ହଜାର ଡେଇଁନାହିଁ। ଚଳିତମାସର ୨୬ଦିନ ଭିତରେ ମାତ୍ର ୩ଦିନ ଲାଗି ନମୁନା ପରୀକ୍ଷା ୪୦ହଜାର ଉପରେ କରାଯାଇଛି। ଚଳିତମାସର ୨୪ ତାରିଖରେ ସର୍ବାଧିକ ୪୩,୭୬୫ ନମୁନା ପରୀକ୍ଷା ହୋଇଥିଲା। ଏହା ପରଠାରୁ ଲଗାତାର ନମୁନା ପରୀକ୍ଷା କମି ଚାଲିଛି। ଏପରିକି ରାଜ୍ୟ ସରକାର ଦୈନିକ ୫୦ହଜାର ପରୀକ୍ଷା କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ଛୁଇଁ ପାରିଲା ନାହିଁ।

ରାଜ୍ୟରେ କ୍ରମାଗତ ଭାବେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୧୬ ପ୍ରତିଶତ ଉପରେ ରହିଛି। ଏପରିକି କିଛି ଜିଲ୍ଲାରେ ଏହାର ୩୦ ପ୍ରତିଶତରୁ ଅଧିକ ରହୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଡିଏମ୍‌ଇଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ପହଞ୍ଚି ସାରିଛି। ଆଗାମୀ ଦିନରେ ଏହା ଖସିବାର ଆଶା କରାଯାଉଛି ବୋଲି ତାଙ୍କର ସୂଚନା ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ ଅଧିକରୁ ଅଧିକରୁ ନମୁନା ପରୀକ୍ଷା ଉପରେ ଜୋର ଦେଉଥିବା ବେଳେ ଓଡ଼ିଶାରେ ତାହାର ଓଲଟା ଦେଖିବାକୁ ମିଳିଛି। ଏପରିକି ଟେଷ୍ଟିଂ କିଟ୍‌ର ଅଭାବ ଯୋଗୁଁ ସବୁ ଜିଲ୍ଲାସ୍ତରରେ ଚାହିଦା ମୁତାବକ ପରୀକ୍ଷା ହୋଇପାରୁ ନାହିଁ। କମ୍ ନମୁନା ପରୀକ୍ଷାରେ କମ୍ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ସ୍ବାଭାବିକ। ତେଣୁ କମ୍ ସଂଖ୍ୟକ ପରୀକ୍ଷାରେ ରାଜ୍ୟରେ କିଭଳି ଢଙ୍ଗରେ ସଂକ୍ରମଣ ବ୍ୟାପୁଛି କିମ୍ବା ସଂକ୍ରମଣର ସ୍ଥିତି କ’ଣ ରହିଛି ତାହା ସ୍ପଷ୍ଟ ହୋଇପାରିବ?

ବରିଷ୍ଠ ଚିକିତ୍ସକ ଡା. ଅଶୋକ ମହାପାତ୍ର କହିଛନ୍ତି ଯେ ମହାମାରୀ ସମୟରେ ଏତେ ଜଲ୍‌ଦି କୌଣସି ନିଷ୍କର୍ଷ‌ରେ ପହଞ୍ଚିବା ଉଚିତ୍ ନୁହେଁ। ଏବେ ବି ମହାରାଷ୍ଟ୍ର, ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ଜାରି ରହିଛି। ତେଣୁ ଏଭଳି ସ୍ଥିତିରେ ଓଡ଼ିଶା ପ୍ଲାଟ୍ୟୁରେ ପହଞ୍ଚିଥିବା ମନ୍ତବ୍ୟ ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇପାରେ। ଯେଉଁମାନେ କରୋନା ନିୟମାବଳୀକୁ ମାନୁ ନାହାନ୍ତି ସେମାନେ ଏହାଦ୍ବାରା ଅଧିକ ଉତ୍ସାହିତ ମଧ୍ୟ ହୋଇପାରନ୍ତି। ତେଣୁ ଓଡ଼ିଶା ଏବେ ଯେଉଁ ସ୍ଥିତିରେ ରହିଛି ଆହୁରି କିଛିଦିନ ପାଇଁ ଏଭଳି ସ୍ଥିତିରେ ରହିଲେ ହୁଏତ ସଂକ୍ରମଣକୁ ନେଇ କିଛି ମନ୍ତବ୍ୟ ଦିଆଯାଇ ପାରେ ବୋଲି ଡା. ମହାପାତ୍ର କହିଛନ୍ତି। ଆଇସିଏମ୍‌ଆର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଲାଗି ଆଇସିଏମ୍‌ଆର କହିଆସୁଛି। ମାତ୍ର ଓଡ଼ିଶାରେ ଅଧିକ ସଂଖ୍ୟାରେ ଆର୍‌ଟି-ପିସିଆର ପରୀକ୍ଷା ହେଉନାହିଁ। ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ଅଧିକ ସଂଖ୍ୟାରେ ଫଲ୍‌ସ ନେଗେଟିଭ୍ ଆସୁଛି। ଯାହାଫଳରେ ଅନେକ ପଜିଟିଭ୍ ଥିବା ରୋଗୀ ମଧ୍ୟ ଚିହ୍ନଟ ହୋଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ଓଡ଼ିଶାରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ପହଞ୍ଚି ସାରିଥିବା କହିବା ଠିକ୍ ହେବ ନାହିଁ। କେବଳ ମହାମାରୀବିତ୍ ବା ଏପିଡିଇଓମୋଲୋଜିଷ୍ଟ ହିଁ ଏ ସଂପର୍କରେ ସ୍ପଷ୍ଟ ମତ ରଖିପାରିବେ ବୋଲି ଡା. ମହାପାତ୍ର କହିଛନ୍ତି।

ଇତିମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଆଜି ୨ହଜାର ପାର କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ୧୦ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଖୋର୍ଧା ୪, ସୁନ୍ଦରଗଡ଼ ୩, ରାୟଗଡ଼ା ୨ ଓ ବୌଦ୍ଧରେ ଜଣେ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ସଂକ୍ରମଣ ୬ହଜାର ଉପରେ ରହିଛି। ଗତ ୬ଦିନ ଧରି ଏହି ଧାରା ବଜାୟ ରହିଛି ଓଡ଼ିଶାରେ। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୬,୮୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ଆର୍‌ଟି-ପିସିଆର ନମୁନା ରହିଛି ୧୬,୩୬୭। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୧୬.୪ ପ୍ରତିଶତ ହାରରେ ରାଜ୍ୟରେ ୬,୦୭୩ ନୂତନ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ପୁଣିଥରେ ସଂକ୍ରମଣ ହଜାରେ ଟପିଛି। ଜିଲ୍ଲାରୁ ୧୦୯୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ବଲାଙ୍ଗୀର ୪୫୭, ନୂଆପଡ଼ା ୪୦୦, ସୁନ୍ଦରଗଡ଼ ୩୭୧, ଝାରସୁଗୁଡ଼ା ୩୫୯, ବରଗଡ଼ ୨୮୬, କଳାହାଣ୍ଡି ୨୭୭, କେନ୍ଦୁଝର ୨୬୬ ଓ ଷ୍ଟେଟ୍‌ ପୁଲରୁ ୨୧୩ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୨୦ହଜାର ୧୨୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୦୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଚଳିତମାସର ଦ୍ବିତୀୟ ସର୍ବାଧିକ। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୭୧ହଜାର ୨ଶହରେ ପହଞ୍ଚିଛି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୬ହଜାର ୮୬୯କୁ ବୃଦ୍ଧି ପାଇଛି। ଯାହାକି ସମୁଦାୟ ସଂକ୍ରମଣର ୧୧ ପ୍ରତିଶତରୁ ମଧ୍ୟ ଅଧିକ। ଖୋର୍ଧା ଓ ସୁନ୍ଦରଗଡ଼ରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର