ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଅନୁଷ୍ଠାନର ୩ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଅସମର୍ଥିତ ସୂଚନା ଅନୁସାରେ ମଙ୍ଗଳବାର ଏନ୍‌ଆଇଟି କ୍ୟାମ୍ପସ୍‌ରୁ ନୂଆ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ପ୍ରଫେସର ଓ ତାଙ୍କ ପରିବାର ସଦସ୍ୟ ଥିବା କୁହାଯାଉଛି।

Advertisment

ଦୁଇ ଦିନ ପୂର୍ବେ ସଂପୃକ୍ତ ପ୍ରଫେସର ଓ ତାଙ୍କ ପରିବାର ପଶ୍ଚିମବଙ୍ଗରୁ ଏନ୍‌ଆଇଟିକୁ ଆସିଥିଲେ। କ୍ୟାମ୍ପସ୍‌କୁ ଆସିବା ସମୟରେ କୁଆଡ଼େ ତାଙ୍କର କୋଭିଡ୍‌ ଲକ୍ଷଣ ଥିଲା। ଏଣୁ ସନ୍ଦେହରୁ ସ୍ବାବ୍‌ ନମୁନା ଟେଷ୍ଟ୍‌ କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେବେ ଏନେଇ ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ସୂଚନା ମିଳିପାରିନାହିଁ।

ପ୍ରକାଶଥାଉକି, ଦୁଇଦିନ ପୂର୍ବେ ଅନୁଷ୍ଠାନର ବି.ଟେକ୍‌ ଶେଷ ବର୍ଷର ଦୁଇ ଜଣ ଛାତ୍ର ଓ ଏମ.ଟେକ୍‌ର ଜଣେ ଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୋମବାର ଜଣାପଡ଼ିଥିଲା। ଆଜି ପୁଣି ୭ ଜଣ ଆକ୍ରାନ୍ତ ହେବା, ଅନୁଷ୍ଠାନ ପରିସରରେ କୋକୁଆ ଭୟ ଖେଳାଇଦେଇଛି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ କ୍ୟାମ୍ପସ୍‌ରେ କେବଳ ବି.ଟେକ୍‌ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟ ସବୁ ବିଷୟବସ୍ତୁ, ଶିକ୍ଷାବର୍ଷର ଛାତ୍ରଛାତ୍ରୀ ଅଛନ୍ତି। ଏଣୁ ପ୍ରାୟ ଦୁଇ ସପ୍ତାହ ପୂର୍ବେ ବି.ଟେକ୍‌ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌କୁ ଆସିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।

ଛାତ୍ରଛାତ୍ରୀ କ୍ୟାମ୍ପସ୍‌ରେ ପାଦଦେବା ଦିନ ହିଁ କୋଭିଡ୍‌ ଟେଷ୍ଟ୍‌ କରିବା, ୭ ଦିନ ବାଧ୍ୟତାମୂଳକ ସଙ୍ଗରୋଧ ଓ ସଙ୍ଗରୋଧ ଅବଧି ସଂପନ୍ନ ହେବାପରେ ପୁନର୍ବାର ଟେଷ୍ଟ୍‌ କରି ନେଗେଟିଭ୍‌ ରିପୋର୍ଟ ଆସିଲାପରେ ଛାଡ଼ିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା। କିନ୍ତୁ ଏହି ନିୟମ ପ୍ରଫେସର ଓ ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଉନଥିବା ଅଭିଯୋଗ ହୋଇଛି।