ଆଉ ୯ ମୋବାଇଲ୍‌ ଜବତ, କାମ ଦେଉନି କଟକଣା

ପୁରୀ: ବଡ଼ଦିନ ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼ ଭିତରେ ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇବା ବେଳେ ୯ଟି ମୋବାଇଲ ଜବତ କରାଯାଇଛି। ଗତକାଲି ୮ଟି ଜବତ କରାଯାଇଥିବା ବେଳେ ଦୁଇଦିନରେ ସର୍ବମୋଟ ୧୭ଟି ଜବତ କରାଯାଇଛି। ସେଗୁଡ଼ିକୁ ଯାଞ୍ଚ କରାଯିବା ପରେ ୨ଟି ମୋବାଇଲ୍‌ର ଫଟୋ ଇଣ୍ଟରନେଟ୍‌ରେ ଅପ୍‌ଲୋଡ଼୍‌ କରାଯାଇଥିବା ଜଣାପଡ଼ିଛି। ଦୁଇଟି ଯାକ ମୋବାଇଲ ପୂର୍ବଦିନ ଠାରୁ ଜବତ ହୋଇଛି। ଗୁଗୁଲ୍‌ ଡ୍ରାଇଭ୍‌ରୁ ଫଟୋ ଡିଲିଟ୍‌ କରାଯାଇଥିଲେ ମଧ୍ୟ ୨୪ ଘଣ୍ଟାରୁ ଊଦ୍ଧ୍ଵର୍ ସମୟ ବିତିଥିବାରୁ ଯେକୌଣସି ଇଣ୍ଟରନେଟ ସଂଯୁକ୍ତ କମ୍ପ୍ୟୁଟରରେ ଏହାକୁ ଡାଉନଲୋଡ଼୍‌ କରିବା ସମ୍ଭାବନା ରହିଛି। ଏଣୁ ଫଟୋ ଡିଲିଟ କରିବାରେ କୌଣସି ଲାଭ ହୋଇ ନାହିଁ। ତେବେ ସମ୍ପୃକ୍ତ ଭକ୍ତଙ୍କ ସମ୍ପୂର୍ଣ୍ଣ ପରିଚୟ ରଖାଯାଇଛି। ଭବିଷ୍ୟତରେ ଏହି ଫଟୋକୁ ନେଇ ଭାଇରାଲ କିମ୍ବା କୌଣସି ଅଘଟଣ ଘଟିଲେ ସମ୍ପୃକ୍ତ ଭକ୍ତ ଦାୟୀ ରହିବେ ବୋଲି କୁହାଯାଇଛି। ସେଥିପାଇଁ ସେମାନଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ଲିଖିତ ଘୋଷଣାନାମା ରଖିଛି। ଆଜି ଜବତ କରାଯାଇଥିବା ମୋବାଇଲଧାରୀଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ରାଜ୍ୟ ବାହାରର ପର୍ଯ୍ୟଟକ। ଏ ସମସ୍ତଙ୍କର ମୋବାଇଲ୍‌ ଯାଞ୍ଚ କରି ଛଡ଼ାଯାଇଛି। ପୂର୍ବରୁ ଯେଉଁମାନଙ୍କର ରଖାଯାଇଥିଲା ତାକୁ ମଧ୍ୟ ଯାଞ୍ଚ କରାଯାଇଛି। ଯେଉଁମାନେ ମୋବାଇଲ ରଖି ଚାଲି ଯାଇଛନ୍ତି ସେମାନଙ୍କୁ କୋରିଅର ଜରିଆରେ ପଠାଇବା ବ୍ୟବସ୍ଥା କରାଯାଉଛି। ୧ ତାରିଖ ଠାରୁ ଶ୍ରୀମନ୍ଦିରରେ ମୋବାଇଲ କଡ଼ାକଡ଼ି କରାଯାଉଛି। ଏହା ପରେ ଧରାପଡ଼ିଲେ ଆଉ ଛଡ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ତେବେ ବାହାରୁ ନ ଜଗି ଭିତରେ ଧରିବା ନେଇ ପର୍ଯ୍ୟଟକ ପ୍ରଶ୍ନ ଉଠାଇଛନ୍ତି। କେବଳ ଏକ ହୋର୍ଡିଂ ଲଗାଯାଇଛି। ଭିଡ଼ରେ ତାକୁ ପଢ଼ିବା ପାଇଁ ପର୍ଯ୍ୟଟକଙ୍କ ପାଖରେ ସମୟ ନାହିଁ। ଭିତରେ ଧରା ପଡ଼ିବା ପରେ ସମୟ ନଷ୍ଟ ଓ ପୀଡ଼ାଦାୟକ ବୋଲି ସେମାନେ କହିଛନ୍ତି। ଏହି ୯ ଜଣଙ୍କ ପରିବାରର ପାଖାପାଖି ୨୦ ଜଣ ସଦସ୍ୟ ଆଜି ଦୀର୍ଘ ୪ ଘଣ୍ଟା ଧରି ବସି ରହିଥିବା ଦେଖାଯାଇଛି। ପୂର୍ବରୁ ଏଭଳି ଏକ ପର୍ଯ୍ୟଟକ ପରିବାର ୬ ଘଣ୍ଟା ଧରି ବସି ରହିଥିଲେ।

ସମ୍ବନ୍ଧିତ ଖବର