ଝରିଗାଁ: ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରୁ ଲୋକଲଜ୍ଜା ସହି ନ ପାରି ଜଣେ ନାବାଳିକା ଆଜି ଆତ୍ମହତ୍ୟା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତ ସୋମବାର ଦିନ ନାବାଳିକା ଜଣକ ସାନ ଭଉଣୀ ସହ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। କାଠ ସଂଗ୍ରହ ପରେ ଭଉଣୀକୁ ଘରକୁ ପଠାଇ ଦେଇ ନିଜେ ଜଙ୍ଗଲରେ ରହିଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ପରିବାର ଲୋକ ଖୋଜାଖୋଜି କରିଥିଲେ। ବହୁ ସମୟ ଧରି ଖୋଜିବା ପରେ ଝିଅର ଝୁଲନ୍ତା ଶବ ଦେଖିଥିଲେ। ଏହି ଘଟଣା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କିନ୍ତୁ କେଉଁ କାରଣରୁ ଝିଅ ଏମିତି ଚରମ ନିଷ୍ପତ୍ତି ନେଲା ସେମାନେ ଜାଣିପାରି ନଥିଲେ। ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ କରି ପରିବାର ଲୋକ ଚୁପଚାପ ରହି ଯାଇଥିଲେ। ତେବେ, ଗାଁରେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଖେଳି ବୁଲିବା ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସେହି ଗାଁର ଜଗନ୍ନାଥ ଗୌଡ ଝିଅକୁ ପ୍ରେମ ଜାଲରେ ଫସାଇଥିଲା। ଅନ୍ତରଙ୍ଗ ମୁହୂର୍ତକୁ ନିଜ ମୋବାଇଲରେ ରେକର୍ଡ କରି ରଖିଥିଲା। ପରବର୍ତୀ ଭିଡିଓକୁ ସୋସିଆଲ ମିଡିଆରେ ସେ ଛାଡି ଦେଇଥିବା ଏଥିରେ ମର୍ମାହତ ହୋଇ ନାବାଳିକା ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ଆଜି ଘଟଣା ସଂପର୍କରେ ନାବାଳିକାଙ୍କ ବାପା ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଗାଁର ରାଜୀବ ସାନ୍ତା, ବିକ୍ରମ ସାନ୍ତା, ଭୁଜ ସାନ୍ତାଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା। ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ଜଗନ୍ନାଥ ଗୌଡକୁ ଗିରଫ କରିଛି। ଆଦିବାସୀ ବହୁଳ ଝରିଗାଁ ବ୍ଲକର ଗ୍ରାମାଞ୍ଚଳରେ ଭିଡିଓ ଭାଇରାଲ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp