ଭୁବନେଶ୍ୱର : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଖାଲି ଥିବା ୧ଲକ୍ଷ ୨୫ ହଜାର ୪୦୭ ସିଟ୍ ପୂରଣ ଲାଗି ଆଉ ଏକ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ନଭେମ୍ବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ୨୩ ତାରିଖ ଅପରାହ୍ଣ ୨ଟାରେ ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୪ରୁ ୨୭ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। କେତେ ଛାତ୍ରଛାତ୍ରୀ ନାମ ଲେଖାଇଲେ, ସେନେଇ ୨୮ ତାରିଖ ଅପରାହ୍ଣ ୫ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଇ-ସ୍ପେସ୍ରେ ଉଲ୍ଲେଖ କରାଯିବ। ଡିସେମ୍ବର ୩ରେ ସ୍ପଟ୍ ଚୟନ ମେଧା ତାଲିକା ପ୍ରକାଶ ପାଇବା ସହ ୩ ଓ ୪ରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ ଏବଂ ୫ ତାରିଖରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ୭ ତାରିଖ ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ତଥ୍ୟ ଯୁକ୍ତ୨ କଲେଜର ଇ-ସ୍ପେସ୍ରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନା ଅନୁଯାୟୀ, ଆବେଦନକାରୀ ଛାତ୍ରଛାତ୍ରୀ ବାର୍ଷିକ/ସପ୍ଲିମେଣ୍ଟାରି ମାଟ୍ରିକ୍ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ। ଯେଉଁ କଲେଜରେ ଛାତ୍ରଛାତ୍ରୀ ଆବେଦନ କରିବେ, ସେହି କଲେଜର ପ୍ରଥମ ପର୍ଯ୍ୟାୟ କଟ୍-ଅଫ୍-ମାର୍କ ସହ ତାଙ୍କ ମାର୍କ ସମାନ କିମ୍ବା ତା’ଠାରୁ ଅଧିକ ହୋଇଥିବ। କମନ୍ ଆପ୍ଲିକେସନ୍ ଫର୍ମ(ସିଏଏଫ୍)ରେ ଆବେଦନ କରିବା ପୂର୍ବରୁ କମନ୍ ପ୍ରସ୍ପେକ୍ଟସ୍କୁ ଭଲ ଭାବେ ପଢ଼ିବା ଲାଗି ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀ କେବଳ ଅନ୍ଲାଇନ୍ ମାଧ୍ୟମରେ ସିଏଏଫ୍ ଫି’ ଦାଖଲ କରିପାରିବେ। ନାମଲେଖା ସମୟରେ ହିଁ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରି ଯଦି କୌଣସି ଛାତ୍ରଛାତ୍ରୀ କଲେଜରେ ସିଟ୍ ପାଇ ନ ଥିବେ, ସେମାନେ ପୁରୁଣା ଲଗ୍-ଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନପତ୍ର ଦାଖଲ, ତ୍ରୁଟି ସଂଶୋଧନ ଆଦି କମନ୍ ପ୍ରୋସ୍ପେକ୍ଟସ୍ ଅନୁଯାୟୀ ଅନୁଷ୍ଠିତ ହେବ। ଏସ୍ଏମ୍ଏସ୍, ସେମାନଙ୍କ ସାମ୍ସ ଲଗ୍ଇନ୍ ଓ ଯୁକ୍ତ୨ କଲେଜ ନୋଟିସ୍ ବୋର୍ଡରେ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ।