ପୁଣି ଗର୍ଜିଲେ ଆଶା କର୍ମୀ

ବିଧାନସଭା ସମ୍ମୁଖରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଧାରଣା

ଭୁବନେଶ୍ୱର : ଦୁଇ ଦିନ ତଳେ ଆଶା କର୍ମୀ ୟୁନିୟନ ସଂଯୁକ୍ତ ମୋର୍ଚା ଦାବି ପୂରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଇବା ପରେ ଆଶା କର୍ମୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ମାତ୍ର ଆଜି ଆଉ ଏକ ଆଶା କର୍ମୀ ସଂଘ ବିଧାନସଭା ଘେରାଉ କରିବା ସହ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଭାରତୀୟ ମଜଦୁର ସଂଘର ନେତୃତ୍ୱରେ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ଆଜି ବିଧାନସଭା ଘେରାଉ କରିଛି। ସଂଘର ସାଧାରଣ ସଂପାଦକ ମମତା ଦାସଙ୍କ ନେତୃତ୍ୱରେ ହଜାର ହଜାର ଆଶା କର୍ମୀ ରେଳ ଷ୍ଟେସନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏବଂ ୧୨ ଦଫା ଦାବି ଉପରେ ସଂଘ ପକ୍ଷରୁ ଜୋର ଦିଆଯାଇଥିଲା। ବିକ୍ଷୋଭରେ ବସନ୍ତ ସାହୁ, ଏସ୍‌.ଶ୍ରୀନିବାସ ରାଓ, ରଂଜନ କୁମାର ସାହୁ, ଲକ୍ଷ୍ମଣ ଦାସ, କମଳା ବେହେରା, ମଂଜୁବାଳା ଦାସ, ସୁମତି ଆଚାର୍ଯ୍ୟ, ସୁଜାତା ନାୟକ, ରିତା ବେହେରା ଓ କଳ୍ପନା ଦାସ ପ୍ରମୁଖ ସାମିଲ ହୋଇଥିଲେ।

ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଗଣ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟକାରୀ ସଭାପତି ଅମର ନାୟକଙ୍କ ନେତୃତ୍ୱରେ ଅସ୍ଥାୟୀ କର୍ମଚାରୀଗଣ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସଭାପତି ଶ୍ରୀ ନାୟକଏବଂ ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଗୁରୁ କହିଛନ୍ତି, ଦୀର୍ଘଦିନର ଦାବିକୁ ସରକାର ଅଣଦେଖା କରି ଚାଲିଛନ୍ତି। ଯଦି ସରକାର ଆମର ଦାବି ତୁରନ୍ତ ପୂରଣ ନକରନ୍ତି। ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପୌର ସଂସ୍ଥାର ଅସ୍ଥାୟୀ କର୍ମଚାରୀ ସାମିଲ ହୋଇଥିଲେ।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ଭୁବନେଶ୍ୱର : ଏଲିମେଣ୍ଟାରି କ୍ୟାଡର ନିୟମ ଲାଗୁ, ଗଣଣିକ୍ଷା ବିଭାଗର ଅନୁରୂପ ଦରମା ପ୍ରଦାନ, ପ୍ରାଥମିକ ଶିକ୍ଷକ ସଂଘ ପଞ୍ଜୀକରଣ ପାଇଁ ଏନ୍‌ଓସି ପ୍ରଦାନ ଆଦି ଦାବି ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ(ଅନୁସୂଚିତ ଜାତି ଓ ଜନଜାତି) ଧାରଣା ଓ ପ୍ରତୀକାତ୍ମକ ସତ୍ୟାଗ୍ରହ ଲୋୟର ପିଏମ୍‌ଜିରେ କରିଛନ୍ତି। ଶିକ୍ଷକମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସଭାପତି ମୃତ୍ୟୁଞ୍ଜୟ ହଲଦାର୍‌, ସମ୍ପାଦକ ଟ. ନାୟକଙ୍କ ସମେତ ରାଜ୍ୟର ବିଭିନ୍ନ ସ୍କୁଲର ଶିକ୍ଷକମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ଗଣଧାରଣା

ଭୁବନେଶ୍ୱର : ରାଜ୍ୟ ସରକାର ଗତ ସେପ୍ଟେମ୍ବର ୧ ତାରିଖରେ ଓଡ଼ିଶାରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଘୋଷଣା କରିଛନ୍ତି। କିନ୍ତୁ ପ୍ରକାଶିତ ସରକାରୀ ଘୋଷଣାନାମାରେ ଏଥିରୁ ୨୦୧୪ ଜି.ଓକୁ ବାଦ୍‌ ଦିଆଯାଇଛି। ଏହାର ପ୍ରତିବାଦରେ ରାଜ୍ୟ ବ୍ଲକଗ୍ରାଣ୍ଟ ମହାବିଦ୍ୟାଳୟ(୨୦୧୪ ଜି.ଓ) କର୍ମଚାରୀ ସମନ୍ଵୟ ସମିତି ଲୋୟର ପିଏମ୍‌ଜିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଆବାହକ ପବିତ୍ରମୋହନ ମିଶ୍ର କହିଛନ୍ତି, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲୋୟର ପିଏମଜ୍‌ ଛାଡ଼ିବୁ ନାହିଁ।

ସମ୍ବନ୍ଧିତ ଖବର