କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲାରେ ଅସୁରିକ୍ଷତ ହୋଇ ପଡ଼ିଛି ଗୋସମ୍ପଦ। ଜଙ୍ଗଲ ଓ ବିଲକୁ ଘାସ ଚରିବାକୁ ଯାଉଥିବା ଗାଈଗୋରୁ କେତେବେଳେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ପଡ଼ି ଜୀବନ ହରାଉଛନ୍ତି, ତ ଆଉ କେତେବେଳେ ବୋମାକୁ ଖାଦ୍ୟ ଭାବି ଖାଇ ଗୁରୁତର ହେଉଛନ୍ତି। ଗତ ୪ ତାରିଖରେ ଖଲ୍ଲିକୋଟ ବ୍ଲକ୍ କେନ୍ଦୁପାଟ ଗ୍ରାମରେ ବାର୍ହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ଗୋଟିଏ ଗାଈ ଗୁରୁତର ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ନବିତୁଣୁ, ପୁଣି କୁକୁଡ଼ାଖଣ୍ଡି ଗ୍ରାମରୁ ଅନୁରୂପ ସମ୍ବେଦଶୀଳ ଘଟଣା ସାମ୍ନାକୁ ଆସିଛି। ଆଜି ବୋମା ଚୋବାଇ ଦେବାରୁ ଗାଈଟିର ଥୋଡ଼ି ଓ ପାଟିରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ସୂଚନାନୁସାରେ, ଗ୍ରାମର ଇନ୍ଦିରାଆବାସ କଲୋନି ବାସିନ୍ଦା ମିଥୁନ୍ ନାୟକ ନିୟମିତ ଭାବେ ବାର୍ହା ଶିକାର କରୁଛି। ଏଥିପାଇଁ ସେ ଓ ତା’ର କିଛି ସହଯୋଗୀ ବିଲ ମଧ୍ୟରେ ବୋମା ରଖୁଥିବା ବେଳେ ଏହାକୁ ଖାଇ ବାର୍ହା ମରିଯାଉଥିଲେ। ଆଜି ସନ୍ଧ୍ୟାରେ ମିଥୁନ୍ର ଘର ସମ୍ମୁଖରେ ଥିବା ଏକ ଗଛରେ ଏକ ବୋମାକୁ ବ୍ୟାଗ୍ରେ ରଖି ବନ୍ଧାଯାଇଥିଲା। ଏହି ସମୟରେ ଗାଈଟି ହଠାତ୍ ଡାଳ ଖାଇବାକୁ ମୁହଁ ଉପରକୁ କରିଥିଲା। ଉକ୍ତ ବ୍ୟାଗ୍କୁ ବି ସେ ଖାଇଦେବାରୁ ବୋମା ଫୁଟିଯାଇଥିଲା। ଘଟଣା ଘଟିବା ପରେ ମିଥୁନ ଓ ତା’ର ପରିବାର ଗାଁ ଛାଡ଼ି ପଳାଇଛନ୍ତି। ପୁଲିସ ପହଞ୍ଚି ତଦନ୍ତ କରୁଛି।