ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ରେଗୁଲାରାଇଜ୍ କରାଯିବ। ଯେତିକି ନିୟମ ଅଛି ତାହା ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ ଭଙ୍ଗାଯିବନି। କେବଳ କିଛି ଜରିମାନା ଦେଇଦେଲେ ବେଆଇନ୍ ଘର ରେଗୁଲାରାଇଜ୍ ହୋଇଯିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯାଉଛି। ଏନେଇ ଦୁଇଟି କମିଟି ଗଠନ ହୋଇଥିବାବେଳେ ଏହି କମିଟିର ରିପୋର୍ଟକୁ ଆଧାର କରି ଆସନ୍ତା ଏକ ମାସ ମଧ୍ୟରେ ସର୍ବକ୍ଷମା ଯୋଜନା ଘୋଷଣା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସର୍ବକ୍ଷମା ଯୋଜନାରେ ଲକ୍ଷାଧିକ ବେଆଇନ ଘରକୁ ରେଗୁଲାରାଇଜ୍ କରିବାକୁ ଯୋଜନା ହେଉଥିବାବେଳେ ଯେଉଁ ଯେଉଁ ଦିଗକୁ ଧ୍ୟାନରେ ରଖି କମିଟି ନିୟମ କରିବାକୁ ଯାଉଛି ସେଥିରେ ଅଧିକ ଲୋକ ଆବେଦନ ନ କରିବା ସମ୍ଭାବନା ଦେଖାଦେଲାଣି। କାରଣ ବିଡିଏ ଓ ସିଡିଏ ଅଧୀନରେ ସହର ଉପକଣ୍ଠରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ, କୃଷି କିସମ ଜମି, ରେଡ୍ ଜୋନ୍ ଆଦି ଅଞ୍ଚଳରେ ମୁଖ୍ୟତଃ ଲକ୍ଷ ଲକ୍ଷ ଲୋକ ବିନା ପ୍ଲାନ୍ରେ ଘର ନିର୍ମାଣ କରିଛନ୍ତି। କିନ୍ତୁ ଏହି ଅଞ୍ଚଳକୁ ସର୍ବକ୍ଷମା ଯୋଜନାରେ ସାମିଲ୍ କରିବା ନେଇ ନିଷ୍ପତ୍ତି ହୋଇନି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଏବଂ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ ନ କରିବା ଦ୍ୱାରା ଲକ୍ଷ ଲକ୍ଷ ଲୋକ ବିନା ପ୍ଲାନ୍ରେ ଘର କରିଥିଲେ ହେଁ ସେମାନେ ସର୍ବକ୍ଷମାରେ ସାମିଲ୍ ହୋଇପାରିବେନି। ଫଳରେ ଏବେ ଯେପରି ବେଆଇନ୍ ନିର୍ମାଣ ହେଉଛି ଭବିଷ୍ୟତରେ ସେହି ଧାରା ଚାଲିବ ଏବଂ ଏହି ଯୋଜନାରେ କେତେକ ହାତଗଣତି ହିତାଧିକାରୀ ଉପକୃତ ହେବେ ବୋଲି ଆଭାସ୍ ମିଳିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଆଭାସ୍ର ଗନ୍ଧ ସୁଦୃଢ ହେବାର ଲକ୍ଷଣ ହେଲା ଗତ କିଛି ବର୍ଷରେ ରାଜ୍ୟର କୌଣସି ହସ୍ପିଟାଲ ଓ କ୍ଲିନିକ୍କୁ ଜିଲ୍ଲାପାଳମାନେ ଲାଇସେନ୍ସ ଦେଉନାହାନ୍ତି। ଏହାର କାରଣ ହେଲା ଏଗୁଡ଼ିକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ଲାନ୍ ଅନୁଯାୟୀ ନିର୍ମାଣ କରିନାହାନ୍ତି। କଟକ ଓ ଭୁବନେଶ୍ୱରରେ ସହର ମଧ୍ୟରେ ୪୫୮ଟି ବେସରକାରୀ ହସ୍ପିଟାଲ ଓ କ୍ଲିନିକ୍ ଥିବାବେଳେ ମାତ୍ର ୪ଟି ହସ୍ପିଟାଲକୁ ଲାଇସେନ୍ସ ମିଳିଛି। ବାକି ହସ୍ପିଟାଲ/କ୍ଲିନିକ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଏନେଇ ତନାଘନା ହେବାରୁ ନଗର ଉନ୍ନୟନ ବିଭାଗ କଟକ ଓ ଭୁବନେଶ୍ୱରର ସବୁ ହସ୍ପିଟାଲ, କ୍ଲିନିକ ପାଇଁ ସର୍ବକ୍ଷମା ଯୋଜନା ଆଣିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ ଅଣାଯାଇ ରାଜ୍ୟର ୯ଟି ଯାକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କେବଳ ହସ୍ପିଟାଲଗୁଡ଼ିକୁ ସାମିଲ୍ କଲେ ବିରୋଧ ହେବାର ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗ ଚତୁରତାର ସହ ଏଥିରେ ଆବାସିକ ଗୃହ ଓ ପ୍ରକଳ୍ପକୁ ବି ସାମିଲ୍ କରିଛି। କିନ୍ତୁ ଆସିବାକୁ ଥିବା ସର୍ବକ୍ଷମା ଯୋଜନା ଯେ କେବଳ କେତେକ ମୁଷ୍ଟିମେୟ ବ୍ୟକ୍ତି/ସଂସ୍ଥାଙ୍କୁ ନଜରରେ ରଖି ଅଣାଯାଉଛି ତାହା ଜଣାପଡ଼ିଗଲାଣି। ଅପରପକ୍ଷେ ଆସୁଥିବା ସର୍ବକ୍ଷମା ଯୋଜନାରେ ତିନି ପ୍ରକାରର ନିର୍ମାଣକୁ ରେଗୁଲାରାଇଜ୍ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏଥିରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଯେଉଁ ଅଞ୍ଚଳରେ ପ୍ଲାନ୍ ଦିଆଯାଉଛି ସେହି ଅଞ୍ଚଳରେ ହୋଇଥିବା ବେଆଇନ୍ ନିର୍ମାଣକୁ ସାମିଲ୍ କରାଯିବ। ଯେଉଁମାନେ ବିନା ପ୍ଲାନ୍ରେ ଘର ନିର୍ମାଣ କରିଛନ୍ତି, ଯେଉଁମାନେ ଅନୁମୋଦିତ ପ୍ଲାନ୍ ଠାରୁ ଅଧିକ ନିର୍ମାଣ କରିଛନ୍ତି ଏବଂ ଆବାସିକ ପ୍ରକଳ୍ପ ପ୍ଲାନ୍ରେ ଘର ନିର୍ମାଣ କରି ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ସର୍ବକ୍ଷମାରେ ସାମିଲ୍ କରାଯିବ।
ସଫଳ ହେବା ସମ୍ଭାବନା କମ୍
୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ପ୍ରଥମ ଥର ପାଇଁ ଲାଗୁ ହେବ
କେତେ ଜରିମାନା ଆଦାୟ ହେବ ନିଷ୍ପତ୍ତି ନେବାକୁ କମିଟି ଗଠନ
ସୂଚନାଯୋଗ୍ୟ ଯେ, ୨୦୦୭ରେ ପ୍ରଥମ ସର୍ବକ୍ଷମା ଯୋଜନା ଆସିଥିଲା। ଏହା ବିଡିଏ ଓ ସିଡିଏ ଅଞ୍ଚଳରେ ଲାଗୁ ହୋଇଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ଅଣାଯାଇଥିଲା ତାହା ସଫଳ ହେଲାନି। ବିଡିଏରେ ପ୍ରାୟ ୪ହଜାର ଜଣ ଆବେଦନ କରିଥିବାବେଳେ ଏଥିରୁ ପ୍ରାୟ ୧୮କୋଟି ରାଜସ୍ୱ ପାଇଥିଲା। ସେତେବେଳେ ସର୍ବକ୍ଷମା ଯୋଜନା ଉଦ୍ଦେଶ୍ୟ ସାଧିତ ହେଲାନି ବୋଲି ବିଡିଏ ପକ୍ଷରୁ କୁହାଯାଇଥିଲା। ୨୦୦୭ ମସିହାରେ କେବଳ ଅନୁମୋଦିତ ପ୍ଲାନ୍ ଓ ବିନା ପ୍ଲାନ୍ ଘର ନିର୍ମାଣକୁ ସର୍ବକ୍ଷମାରେ ସାମିଲ୍ କରାଯାଇଥିଲା। ତାହା ପୁଣି ବହୁ ସର୍ତ୍ତ ରଖି। ସେତେବେଳେ ଯିଏ ପାଇଥିବା ପ୍ଲାନ୍ ଠାରୁ ଅଧିକ ନିର୍ମାଣ କରିଥିଲେ ସେମାନଙ୍କ ଠାରୁ ବର୍ଗଫୁଟ ପିଛା ୩୫ଟଙ୍କା, ଆପାର୍ଟମେଣ୍ଟ, ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଘରୁ ବର୍ଗଫୁଟ ପିଛା ୧୦୦ଟଙ୍କା ଆଦାୟ ହୋଇଥିଲା। ଯେଉଁଗୁଡ଼ିକ ବିନା ପ୍ଲାନରେ ନିର୍ମାଣ ହୋଇଥିଲା ସେଥିରୁ ଯଥାକ୍ରମେ ୫୦ ଓ ୨୦୦ଟଙ୍କା ଆଦାୟ ହୋଇଥିଲା। ଫଳରେ ଏତେ ଟଙ୍କା ଦେଇ ଲୋକ ରେଗୁଲାରାଇଜ୍ କରିବାକୁ ପସନ୍ଦ କରିନଥିଲେ। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୯ଟି ଯାକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଲକ୍ଷାଧିକ ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣାପଡ଼ିବା ପରେ ଏହାକୁ ରେଗୁଲାରାଇଜ୍ କରିବା ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରମୁଣ୍ଡୁଳି ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ. ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ, ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଏହା ଲାଗୁ ହେବ। ସର୍ବକ୍ଷମା ଲାଗୁ ହେଲେ ବର୍ଗଫୁଟ ପିଛା କେତେ ଟଙ୍କା ଜରିମାନା ଆଦାୟ ହେବ, କେଉଁ କେଉଁ ଭଳି ପ୍ରକଳ୍ପକୁ ସର୍ବକ୍ଷମା ଯୋଜନାରେ ସାମିଲ୍ କରାଯିବ, କେତେ ଦିନ ଅବଧି ରଖାଯିବ ସେନେଇ ନିଷ୍ପତ୍ତି ନେବ।
ସର୍ବକ୍ଷମା ଯୋଜନା ଲାଗୁ କରିବା ପାଇଁ ଓ୍ଵାର୍କିଂ କମିଟି ଏବଂ ସ୍କ୍ରୁଟିନି କମିଟି ଗଠନ ହୋଇଛି। ଓ୍ଵାର୍କିଂ କମିଟିରେ ବିଡିଏ ଓ ସିଡିଏର ପ୍ଲାନିଂ ମେମ୍ବରଙ୍କ ସମେତ ଓଏସ୍ଡି ଟାଉନ୍ ପ୍ଲାନିଂ ରହିଥିବାବେଳେ ସ୍କ୍ରୁଟିନି କମିଟିରେ ବିଡିଏ ଉପାଧ୍ୟକ୍ଷ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ ଏବଂ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ରଖାଯାଇଛି। ଓ୍ଵାର୍କିଂ କମିଟି ସର୍ବକ୍ଷମା ନେଇ ଯାହା ସୁପାରିସ କରିବ ସେଥିରେ ଯଦି କିଛି ପରିବର୍ତ୍ତନ ଆଣିବାର ଥିବ ସ୍କ୍ରୁଟିନି କମିଟି ପରିବର୍ତ୍ତନ ଆଣିପାରିବ। ସ୍କ୍ରୁଟିନି କମିଟି ରିପୋର୍ଟକୁ ଚୂଡ଼ାନ୍ତ ପରିବର୍ତ୍ତନ ପାଇଁ ନଗର ଉନ୍ନୟନ ବିଭାଗ ସଚିବଙ୍କ ନିକଟକୁ ପଠାଯିବ। କ୍ୟାବିନେଟ୍ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ।