ପୁଣି ଧାନଚାଷୀଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର

୨୦ ବର୍ଷ ପରେ ବି ସୁଧୁରିଲେନି, ମାସେ ବିଳମ୍ବରେ ଆରମ୍ଭ ହେବ ଧାନ ସଂଗ୍ରହ

ଭୁବନେଶ୍ବର, (ଗାର୍ଗୀ ଶତପଥୀ): ୨୦ ବର୍ଷ ପରେ ମଧ୍ୟ ରାଜ୍ୟରେ ଧାନ ସଂଗ୍ରହରେ ସୁଧାର ଆସିପାରିଲା ନାହିଁ। ଚଳିତ ବର୍ଷ ଆରମ୍ଭରୁ ଧାନ କିଣା ପ୍ରସଙ୍ଗକୁ ନେଇ ପୁଣି ଥରେ ବଡ଼ ଧରଣର ଅସନ୍ତୋଷ ମୁଣ୍ଡ ଟେକିଲାଣି। ଆସନ୍ତା ନଭେମ୍ବର ପହିଲାରୁ ନୁହେଁ, ପାଖାପାଖି ମାସେ ବିଳମ୍ବରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ନୂଆପଡ଼ା ଓ ବରଗଡ଼ ଭଳି ଜିଲ୍ଲାରେ ୪୦ ପ୍ରତିଶତ ଧାନ ଅମଳ ସରିଥିବା ପରିପ୍ରେକ୍ଷୀରେ ଏଭଳି ବିଳମ୍ବରେ ଧାନ ସଂଗ୍ରହ ନେଇ ସରକାରଙ୍କ ଯୋଜନା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାହା ସ୍ବାର୍ଥରେ ରାଜ୍ୟ ସରକାର ଧାନ ସଂଗ୍ରହକୁ ବିଳମ୍ବ କରୁଛନ୍ତି? ଯେବେ ନଭେମ୍ବର ପହିଲାରୁ ଧାନ କିଣିବା ପାଇଁ ମନ୍ତ୍ରିମଣ୍ଡଳ ଅନୁମୋଦନ ଦେଲେ, ସେବେ ବିଭାଗ ପଛଘୁଞ୍ଚା ଦେଉଛି କାହିଁକି? କାହିଁକି ସରକାର ନଭେମ୍ବର ପହିଲାରୁ ଧାନ କିଣିବା ଲାଗି ଘୋଷଣା କରୁନାହାନ୍ତି? ଏସବୁ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ଚାଷୀମାନଙ୍କ ମହଲରେ ଆଲୋଚନାର ବିଷୟ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ବରଗଡ଼ରେ ବିଳମ୍ବିତ ଧାନ ସଂଗ୍ରହ ନେଇ ଚାଷୀ ସଙ୍ଗଠନର କର୍ମକର୍ତ୍ତାମାନେ ବିରୋଧ କରିବାରୁ ଜିଲ୍ଲାପାଳ ସେମାନଙ୍କୁ ନାଲି ଆଖି ଦେଖାଇ ଚୁପ କରାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଚାଷୀ ମହଲର କହିବା କଥା ହେଉଛି, କେବଳ ଏହି ଦୁଇ ଜିଲ୍ଲା ନୁହେଁ, ସଅଳ କିସମ ଧାନ ଉତ୍ପାଦନ କରୁଥିବା ସବୁ ଚାଷୀ ସରକାରଙ୍କ ବିଳମ୍ବରେ ମଣ୍ଡି ଖୋଲିବା ନିଷ୍ପତ୍ତି ଦ୍ବାରା କ୍ଷତିଗ୍ରସ୍ତ ହେବେ। ସ୍ବାଭାବିକ ଭାବେ ଏହାର ପ୍ରଭାବ ଅନ୍ୟ ଜିଲ୍ଲାରେ ମଧ୍ୟ ପଡ଼ିବ। ଚାଷୀଙ୍କ ଯୁକ୍ତି ହେଉଛି, ବିଳମ୍ବରେ ମଣ୍ଡି ଖୋଲିଲେ, ଭିତ୍ତିଭୂମି ଅଭାବରୁ ଚାଷୀ ଧାନ ସଂରକ୍ଷିତ ରଖିପାରିରଖି ନପାରି କୁଇଣ୍ଟାଲ ପିଛା ୧୦୦୦ରୁ ୧୨୦୦ ଟଙ୍କାରେ ମିଲର୍ସ କିମ୍ବା ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ପରବର୍ତ୍ତୀ ସମୟରେ ବ୍ୟବସାୟୀ, ମିଲର୍ସମାନେ ସେହି ଚାଷୀଙ୍କ ଟୋକନ ଜରିଆରେ ଚାଷୀଙ୍କ ସେହି ଧାନକୁ ଏମଏସ୍‌ପିରେ ସରକାରଙ୍କୁ ବିକ୍ରି କରି ଲାଭବାନ ହୁଅନ୍ତି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଯାଏ କିନ୍ତୁ ଚଳିତ ବର୍ଷ ଆହୁରି ଜଟିଳ ହେବା ଆଶଙ୍କା ରହିଛି।

କ୍ୟାବିନେଟ୍ ନିଷ୍ପତ୍ତି ପରେ କାହା ସ୍ବାର୍ଥରେ ବିଳମ୍ବ?
କମ ଦରରେ ଧାନ କିଣିବେ ମାଫିଆ, ହଡ଼ପ ହେବ ଟୋକନ
ବରଗଡ଼, ନୂଆପଡ଼ା ଅବସ୍ଥା ଜଟିଳ ହେବା ନେଇ ଆଶଙ୍କା

Sambad

ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁସାରେ, ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ପାଇଁ ସରକାର ନିୟମ କରୁଛନ୍ତି। ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ଶୀଘ୍ର ଧାନ ଅମଳ ହେଉଥିବାରୁ ସେଠାରେ ପ୍ରଥମେ ଧାନ ସଂଗ୍ରହ ହୋଇ ପର୍ଯ୍ୟାୟ କ୍ରମରେ ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲିଥାଏ। ଏଥିପୂର୍ବରୁ ଜିଲ୍ଲାସ୍ତରରେ ଡିଏଲ୍‌ପିସି (ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି) ବୈଠକ ହୋଇ ଜିଲ୍ଲା ପ୍ରଶାସନ ଏବଂ ଚାଷୀ ସଙ୍ଗଠନ, ମିଲର୍ସଙ୍କ ଉପସ୍ଥିତିରେ ତାରିଖ ନିର୍ଧାରଣ ହୁଏ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବରଗଡ଼ ମଣ୍ଡି ନଭେମ୍ବର ବଦଳରେ ଡିସେମ୍ବରରୁ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟ କୌଣସି ଜିଲ୍ଲାରେ ଡିଏଲ୍‌ପିସି ବୈଠକ ମଧ୍ୟ ହୋଇ ନାହିଁ। ୨୯ ତାରିଖ ପରେ ବୈଠକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କଳାହାଣ୍ଡି, ସମ୍ବଲପୁରରେ ନଭେମ୍ବର ୩ ତାରିଖରେ ଡିଏଲ୍‌ପିସି ବୈଠକ ହୋଇ ମଣ୍ଡି ଖୋଲିବା ତାରିଖ ନିର୍ଧାରିତ ହେବ। ସେଠାରେ ଡିସେମ୍ବରରେ ମଣ୍ଡି ଖୋଲିବା ନିଷ୍ପତ୍ତି ନେଲେ ଚାଷୀ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହେବେ ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି କହିଛି।
କୋରାପୁଟ ଚାଷୀ ସଙ୍ଗଠନର କହିବା କଥା ହେଉଛି, ଅକ୍ଟୋବର ୧୫ ତାରିଖ ସୁଦ୍ଧା ଜିଲ୍ଲାରେ ଡିଏଲ୍‌ପିସି ବୈଠକ ହୋଇଯିବା ଉଚିତ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ବୈଠକ ହୋଇନାହିଁ। ଏଣେ କିନ୍ତୁ କୋରାପୁଟ ଜିଲ୍ଲା କୁନ୍ଦ୍ରା, ବୈପାରୀଗୁଡ଼ାରେ ସଅଳ କିସମ ଧାନ କିଛି ଦିନ ମଧ୍ୟରେ କଟାଯିବ। କୋରାପୁଟରେ କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଧାନ ସଂଗ୍ରହ ବିଳମ୍ବିତ ହୁଏ। ଏଥିଯୋଗୁଁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ କ୍ଷତିଗ୍ରସ୍ତ ହୁଅନ୍ତି।

ଓୟୁଏଟି ଧାନ ଗବେଷକ ଏସ.ଆର ଦାସଙ୍କ କହିବାନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ବ୍ୟତୀତ ରାଜ୍ୟର ସବୁ ଜିଲ୍ଲା ବିଶେଷକରି ପଶ୍ଚିମ ଓଡ଼ିଶାର ସଅଳ କିସମ ଧାନ କଟା ନଭେମ୍ବର ୧୫ ତାରିଖ ସୁଦ୍ଧା ସରି ଯାଇଥାଏ। ପ୍ରକୃତରେ ସଅଳ କିସମ ଧାନ ସାଧାରଣତଃ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କରିଥାଆନ୍ତି। ସେମାନଙ୍କ ଆର୍ଥିକ ସ୍ଥିତିରୁ ଫାଇଦା ଉଠାଇ ଯୋଗାଣ ବିଭାଗର ବଡ଼ ଅଧିକାରୀ ଧାନ ସଂଗ୍ରହକୁ ବିଳମ୍ବିତ କରାନ୍ତି। ମିଲର୍ସ ଏବଂ ଧାନ ବ୍ୟବସାୟୀ ସେମାନଙ୍କ ଠାରୁ ନାମମାତ୍ର ଦରରେ କ୍ରୟ କରନ୍ତି। ଏଥିଯୋଗୁଁ ଧାନ ସଂଗ୍ରହରେ ସରକାରଙ୍କ ଏତେ କୋଟି ଟଙ୍କା ଖର୍ଚ୍ଚ ପରେ ବି ଆଜି ସୁଦ୍ଧା ସୁଧାର ଆସିପାରୁନଥିବା ବିଶେଷଜ୍ଞମାନେ ମତ ରଖୁଛନ୍ତି।

ଜୁନ ସୁଦ୍ଧା ଜମା ହେବାକୁ ଥିବା ଚାଉଳ ଅକ୍ଟୋବର ପରେ ବି ସରିନି
ଧାନ ସଂଗ୍ରହର ୩ ମାସ ମଧ୍ୟରେ ମିଲମାଲିକମାନେ ସରକାରଙ୍କୁ ସଂଗୃହୀତ ଧାନର ଚାଉଳ ଦେବାର ନିର୍ଦେଶ ରହିଛି। ୨୦୨୧ ମସିହା ଧାନ ସଂଗ୍ରହରେ ୧୩୫୦ ମିଲରଙ୍କୁ ଟ୍ୟାଗ କରାଯାଇଥିଲା। ଜୁନ ସୁଦ୍ଧା ସେମାନେ ୪୮.୩୦ ଲକ୍ଷ ମେଟ୍ରିକ ଟନ ଚାଉଳ ଜମା କରିବା ଉଚିତ। ମାତ୍ର ଚାଉଳ ଜମା କରାନଯିବାରୁ ଚାଉଳ ଜମା ଅବଧି ପ୍ରଥମେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରରୁ ବଢାଇ ବର୍ତ୍ତମାନ ଅକ୍ଟୋବର ୩୦ ତାରିଖକୁ ରଖାଯାଇଛି। ଏହା ପରେବି ବର୍ତ୍ତମାନ ସୁଦ୍ଧା ମିଲର୍ସମାନେ ୪୨ ଲକ୍ଷ ମେଟ୍ରିକ ଟନ ଚାଉଳ ଜମା କରିଛନ୍ତି। ଏଥିଯୋଗୁଁ ରାଜ୍ୟର ଅନେକ ମିଲରେ ବର୍ତ୍ତମାନ ବି ଧାନ ରହିଛି। ଏଥିଯୋଗୁଁ ଧାନ ସଂଗ୍ରହ ବିଳମ୍ବିତ ହେଉଥିବା ନେଇ ଅଭିଯୋଗ ହେଉଛି। ସରକାରୀ ବ୍ୟବସ୍ଥା ଅନୁସାରେ, ମିଲର୍ସମାନେ ନିର୍ଧାରିତ ସମୟରେ ଧାନ ନଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଏଫ୍‌ସିଆଇ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା ରହିଛି। ମାତ୍ର ଯୋଗାଣ ନିଗମ ମିଲର୍ସଙ୍କ ପ୍ରତି ସର୍ବଦା ନରମ ଆଭିମୁଖ୍ୟ ପୋଷଣ କରୁଥିବାରୁ ନିର୍ଦେଶ ପରେବି ସେମାନେ ଚାଉଳ ଜମାକୁ ବିଳମ୍ବ କରୁଛନ୍ତି। ଏଥିଯୋଗୁଁ ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କ୍ଷତିଗ୍ରସ୍ତ ହେବା ନେଇ ସ୍ପଷ୍ଟ ହେଲାଣି।

ସମ୍ବନ୍ଧିତ ଖବର