କଂଟାବାଞ୍ଜି : ନକଲି ଔଷଧ ଓ ନକଲି ସାମ୍ପୁ ପାଇଁ ପୂର୍ବରୁ ଚର୍ଚ୍ଚାରେ ରହିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ଏବେ ପୁଣି ନକଲି କାରବାର ଠାବ ହୋଇଛି। ସହରର ୬ଟି ସ୍ଥାନରେ ଖାଉଟି ବିଭାଗ ଚଢ଼ଉ କରି ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନା ଠାବ କରିଛି। ଏହା ସହିତ ବିଭିନ୍ନ ଗୋଦାମ ବି ଯାଞ୍ଚ କରାଯାଉଛି।
ବଲାଙ୍ଗୀର ଏସ୍ପିଙ୍କ ନିର୍ଦେଶକ୍ରମେ ପ୍ରଥମେ ପୁଲିସ ଓ ଖାଉଟି ବିଭାଗ କର୍ମଚାରୀ କଂଟାବାଞ୍ଜିରୁ ମାତ୍ର ୨ କିମି ଦୂର ଚଟୁଅନକାସ୍ଥିତ ବିକାଶ ଜୈନଙ୍କ ମିକ୍ସଚର କାରଖାନାରେ ଚଢ଼ଉ କରିଥିଲେ। କାରଖାନାର ଗୋଟିଏ ନାଁରେ ଜିଏସ୍ଟି ପଞ୍ଜୀକରଣ ହୋଇଛି। ହେଲେ ସେଠାରୁ ଚଂଚଳ ମିକ୍ସଚର, ରାଧା ନମକିନ, ଦେବସାର ନମକିନ ନାମରେ ବହୁ ପରିମାଣର ଲେବୁଲ୍ ମିଳିଥିଲା। ଏସବୁ ପ୍ୟାକେଟର ଲାଇସେନସ୍ ଅଛି କି ବୋଲି କାରଖାନା ମାଲିକଙ୍କୁ ପଚାରିଥିଲେ। ହେଲେ ସେ କେବଳ ଜିଏସଟି ରେଜିରଟ୍ରସନ ଥିବା କହିଥିଲେ। ଏହା ଜଣାପଡ଼ିବା ପରେ ବିଭାଗ ତାଙ୍କୁ ମାସେ ଭିତରେ ଲାଇସେନ୍ସ କରିବାକୁ ନୋଟିସ ଦେଇଛି। ଅନ୍ୟଥା କାରଖାନା ସିଲ୍ କରାଯିବ ବୋଲି ଚେତାବନୀ ଦେଇଛି। କାରଖାନା ମାଲି ବିକାଶ ଜୈନଙ୍କୁ ପୁଲିସ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି।
ପରେ କଂଟାବାଞ୍ଜି- ବଲାଙ୍ଗୀର ରାସ୍ତାରେ ଥିବା ଚଟୁଅନକା ଲକ୍ଷ୍ମୀ ସେଲ୍ସରେ ଚଢ଼ଉ କରାଯାଇଥିଲା। ସେଠାରେ ଗୋଟିଏ ଲାଇସେନ୍ସ ରହିଥିଲେ ମଧ୍ୟ ଭବାନୀ ରିଫାଇନ୍ ତେଲ, ପୂଜା ରିଫାଇନ୍ ତେଲ, ସଙ୍ଗମ ରିଫାଇନ୍ ତେଲ, ପାୟଲ ରିଫାଇନ୍ ତେଲ, ମହାରାଜା ରିଫାଇନ୍ ତେଲ, ରାନୀ ଗୋଲ୍ଡ ରିଫାଇନ୍ ତେଲ ନାମରେ ପେକିଂ ହୋଇଥିବା ହଜାର ହଜାର ଟିଣ ତେଲ ଷ୍ଟୋର ହାଉସରେ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା। ତେଲ ଟିଣର ଠିକ୍ରେ ମାପ ନରଖୁଥିବାରୁ ମାଲିକ ବିକାଶ ଅଗ୍ରଓ୍ବାଲଙ୍କୁ ଓଜନ ଓ ମାପ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ସେହିପରି କଂଟାବାଞ୍ଜିର ସଂଜୟ ଅଗ୍ରୱବାଲଙ୍କ ବାବା ସେଲ୍ସ ଓ ଭାରତ ସେଲ୍ସ ନାଁରେ ଥିବା ଗୋଦାମ ଓ କାରଖାନାରେ ବି ଚଢ଼ଉ କରାଯାଇଥିଲା। ସେଠାରୁ ମଧ୍ୟ ହଜାର ହଜାର ତେଲ ଟିଣ ମିଳିଥିଲା। ସୂରଜ, କୋଣାର୍କ, କିଙ୍ଗ୍ସ, ବାବା, ସ୍ୱସ୍ତିକ ନାମରେ ପୁଳା ପୁଳା ଲେବୁଲ ସେଠାରୁ ମିଳିଥିଲା। ରାୟପୁରରେ ପ୍ୟାକିଂ ହେବାକୁ ଥିବା ଲେବୁଲ କଂଟାବାଞ୍ଜିରେ ପ୍ୟାକିଂ ହେଉଛି। ଯାହା ବାବା ସେଲ୍ସ ଲେବୁଲର ଠିକଣାରେ ରାୟପୁର ଛତିଶଗଡ଼ ଥିବା ଦେଖିବାକୁ ମିଳିଥିଲା।
ବାହାର ରାଜ୍ୟ ରାୟପୁର, ଭିଲାଇ, ଦୁର୍ଗ, କୋଲକାତାରୁ ଆସୁଥିବା ତେଲକୁ ଏଠାରେ ରିପ୍ୟାକିଂ କରି ପୁଣି ଥରେ କଂଟାବାଞ୍ଜି ସହରର ତଥା ଆଖପାଖ ସହରରେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଏହି ତେଲ ନକଲି କି ନୁହେଁ ଫରେନସିକ୍ ଲ୍ୟାବ୍ରେ ପରୀକ୍ଷା ପରେ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। କଂଟାବାଞ୍ଜି ଫାଟକ ଅଞ୍ଚଳର ଭିକି ଅଗ୍ରୱାଲଙ୍କ ତେଲ ଗୋଦାମରେ ବି ଚଢ଼ଉ କରାଯାଇଥିଲା। ସେଠାରୁ ମଧ୍ୟ ବିପୁଳ ପରିମାଣର ତେଲ ଟିଣ ସହ ଲେବୁଲ ମିଳିଥିଲା। ବଲାଙ୍ଗୀର ଏସ୍ପି କୋଶଲକର ନିତିନ ଡାଗୁଡୁ କଂଟାବାଞ୍ଜି ପହଞ୍ଚି ନିଜେ ଅନୁଧ୍ୟାନ କରିଥିଲେ। କାଗଜ ପତ୍ରରେ ତ୍ରୁଟି ଥିଲେ ଗୋଦାମ ସିଲ୍ କରିବାକୁ ପରାମର୍ଶ ଦେଇଥିଲେ। ଏହି ଚଢ଼ଉ ସମୟରେ କଂଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର, ଥାନାଧିକାରୀ ସତ୍ୟଜିତ କାନ୍ଦଲକେଲ, ଏସଆଇ ସବିତା ସେଠୀ, ଏଏସଆଇ ଭଗବତ ପ୍ରସାଦ ସାଏ, ଏଏସଆଇ ପଂଚାନନ ଖୁଆସ, ଏସଆଇ ହୀରା ଖାଲକୋ, ଟାଉନ ହାବିଲଦାର ସୁନୀଲ ଦାସ ପ୍ରମୁଖ ସାମିଲଥିଲେ। ଖାଉଟି ବିଭାଗର ଅଧିକାରୀ, ଓଜନ ମାପ ବିଭାଗ, କଂଟାବାଞ୍ଜି ଡାକ୍ତର ଇନଚାର୍ଜ ଏସ୍ପିଡି ପଣ୍ଡାଙ୍କ ସହ ଅନ୍ୟମାନେ ଉପସ୍ଥିତଥିଲେ।