ପୁଣି ଡରାଇଲାଣି କରୋନା

ଭୟଙ୍କର ହେଉଛି ସଂକ୍ରମଣ, ଆରମ୍ଭରୁ ରୋଗୀଙ୍କୁ ନିମୋନିଆ, ଓଡ଼ିଶାକୁ ଭୟ: ସତର୍କ କରାଇଲେ ସରକାର

ନୂଆଦିଲ୍ଲୀ : ଭାରତରେ ଏବେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଅଚାନକ ବଢ଼ିବାରେ ଲାଗିଛି। ୩ ସପ୍ତାହ ମଧ୍ୟରେ ଆଜି ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ଭିତରେ ୧୩ ହଜାର୧୯୩ ମାମଲା ଚିହ୍ନଟ ହୋଇଛି। ଜାନୁଆରି ୩୧ ପରଠାରୁ ଏହା ସର୍ବାଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ମଧ୍ୟରେ ଦେଶରେ ୭୫ ପ୍ରତିଶତ ନୂଆ ମାମଲା କେରଳ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। କେରଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଯିବା ଏବଂ ମୁମ୍ବାଇରେ ଲୋକାଲ ଟ୍ରେନ୍‌ ସେବା ଆରମ୍ଭ ହେବାପରେ ହଠାତ୍‌ ସଂକ୍ରମଣ ବଢ଼ି ଯାଇଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରର ଅମରାବତୀ ଏବଂ ଅକୋଲାରେ ବ୍ୟାପୁଥିବା ସଂକ୍ରମଣ ମାମଲା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରୋଗୀଙ୍କୁ ଆରମ୍ଭରୁ ହିଁ ନିମୋନିଆ ହୋଇଯାଉଛି। ଫଳରେ ସଂକ୍ରମିତଙ୍କ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହୁଛି। ସଂକ୍ରମଣ ବଢ଼ିବାରୁ ଅମରାବତୀ‌ରେ ଲକ୍‌ଡାଉନ୍‌ କରାଯାଇଛି। ମୁମ୍ବାଇରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ୩୦୦ ମାର୍ସାଲଙ୍କୁ ନିଯୁକ୍ତ କରାଯାଇଛି।

ଓଡ଼ିଶାକୁ ଭୟ: ସତର୍କ କରାଇଲେ ସରକାର

କରୋନା ସତର୍କତାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ
ଜିଲ୍ଲାପାଳ, ନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଲା

ଭୁବନେଶ୍ବର : ମହାରାଷ୍ଟ୍ରରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଲକ୍‌ଡାଉନ୍ ଫେରିଛି। ଲୋକଙ୍କ ଯିବା ଆସିବା ଯୋଗୁଁ ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ କରୋନା ସତର୍କତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ଜିଲ୍ଲାପାଳ, ନଗର ନିଗମ, କମିସନରେଟ୍‌ ପୁଲିସ, ଏସ୍‌ପି ଓ ସିଡିଏମ୍‌ଓମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ ସଂକ୍ରମିତଙ୍କ ସଂଖ୍ୟାରେ ଯେପରି ବୃଦ୍ଧି ନ ଘଟେ, ସେଥିପାଇଁ ଗାଇଡଲାଇନ୍ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ନମୁନା ପରୀକ୍ଷା ଜାରି ରଖିବା ଆବଶ୍ୟକ। ଏହାସହ ମାର୍କେଟ୍‌, ଧର୍ମାନୁଷ୍ଠାନ ଭଳି ଗହଳି ସ୍ଥାନରେ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯିବା ଜରୁରୀ। ନିୟମାବଳୀ ପାଳନ ଉପରେ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ଓଡ଼ିଶାରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ଟି ଜିଲ୍ଲାରୁ ୫୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୫୧୩କୁ ବୃଦ୍ଧି ପାଇଛି। ଏହାସହ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୯୧୪ରେ ପହଞ୍ଚିଛି। ଅପରପକ୍ଷରେ ୯୨ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୩ହଜାର ୮୮୦ରେ ପହଞ୍ଚିଛି। ରାଜ୍ୟରେ ଏବେ ୫୬୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି, ଯାହାକି ସମୁଦାୟ ସଂକ୍ରମିତଙ୍କ ୦.୧୬ ପ୍ରତିଶତ। ଏହାସହ ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି।

ରାଜ୍ୟରେ ଗୋଟିଏ ଦିନରେ ୨୨,୪୮୬ କୋଭିଡ ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୮୧ଲକ୍ଷ ୨୩ହଜାର ୨୩୫କୁ ବୃଦ୍ଧି ପାଇଛି। ତେବେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଥିବା ରାଜ୍ୟର ସାମଗ୍ରିକ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ ୪.୧୪ପ୍ରତିଶତକୁ ଖସି ଆସିଛି।

ସମ୍ବନ୍ଧିତ ଖବର