୧୫ଦିନରେ ପୁଣିଥରେ ୨ଶହ ଟପିଲା ସଂକ୍ରମଣ, ୨୨୧ ପଜିଟିଭ୍, ୨ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ଅଚାନକ ୪୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ୨୭ତାରିଖ ତୁଳନାରେ ଗତ ୨୪ଘଣ୍ଟାରେ ଏଭଳି ଦ୍ରୁତ ବୃଦ୍ଧି ନଜରକୁ ଆସିଛି। ଯଦି ଗତ ୩ଦିନର ସଂକ୍ରମିତଙ୍କ ସଂଖ୍ୟାକୁ ବିଚାରକୁ ନିଆଯାଏ, ତାହାଲେ ସଂକ୍ରମିତଙ୍କ ସଂଖ୍ୟାରେ ୯୭ ପ୍ରତିଶତ ବୃଦ୍ଧି ହୋଇଛି। ୨୫ତାରିଖଠାରୁ ଚିତ୍ର ବିଚାରକୁ ନେଲେ ସଂକ୍ରମିତଙ୍କ ସଂଖ୍ୟା ୧୧୨ରୁ ବୃଦ୍ଧି ପାଇ ୨୨୧ରେ ପହଞ୍ଚିଛି; ଯାହାକି ଗତ ୧୫ଦିନରେ ସର୍ବାଧିକ। ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ହୋଇଛି। ଆସନ୍ତା ଫେବ୍ରୁଆରିରେ ରାଜ୍ୟରେ କରୋନା ତୃତୀୟ ଲହରର ଶୀର୍ଷ ସଂକ୍ରମଣ ଛୁଇଁବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ଏଭଳି ସମୟରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟରେ ତୃତୀୟ ଲହର ଆଡ଼କୁ ଇଙ୍ଗିତ କରିବାକୁ ଆରମ୍ଭ କଲାଣି।

Advertisment

ଗତ ୧୫ଦିନ ଧରି ଲଗାତାର ଭାବେ ରାଜ୍ୟରେ ଦୈନିକ ସଂକ୍ରମଣ ୨ଶହ ତଳେ ରହି ଆସୁଥିଲା। ପ୍ରତ୍ୟେକଦିନ ୧୦ରୁ ଅଧିକ ଜିଲ୍ଲାରେ କୌଣସି ଆକ୍ରାନ୍ତଙ୍କ ସଂଖ୍ୟା ଶୂନ କିମ୍ବା ହାତ ଗଣତି ସଂଖ୍ୟାରେ ରହୁଥିଲା। ମାତ୍ର ପୁଣିଥରେ ରାଜ୍ୟରେ ସଂକ୍ରମଣ ମୁଣ୍ଡ ଟେକିବାକୁ ଆରମ୍ଭ କରିଛି। ଖୋର୍ଧା, କଟକ ଓ ସମ୍ବଲପୁରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମ୍ବଲପୁର ୨୧ ଓ କଟକରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ୮ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୪ହଜାର ୩୮୧କୁ ବୃଦ୍ଧି ପାଇଛି।

publive-image Bangalore Mirror

ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଖୋର୍ଧା, କୋରାପୁଟରୁ ଜଣେ ‌ଲେଖାଏ ମୃତକ ରହିଛନ୍ତି। ମୋଟ କରୋନା ମୃତ୍ୟୁ ସଂଖ୍ୟାରେ ରାଜ୍ୟରେ ୮୪୫୭ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୬୫ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୧୪୨୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। କନ୍ଧମାଳ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି।

ଆଉ ଜଣେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୯କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲାରେ। ସେ ୟୁଏଇରୁ ଫେରିଛନ୍ତି। ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌) ପକ୍ଷରୁ ବୁଧବାର ଦିନ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କିତ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ୧୬ତାରିଖରେ ସେ ୟୁଏଇରୁ ଫେରିଥିଲେ। କୋଲାକାତାରୁ ଟ୍ରେନ୍‌ ଜରିଆରେ ଘରକୁ ଫେରିଥିଲେ। ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ଘରେ ପୃଥକବାସରେ ରହିଥିଲେ। ତାଙ୍କ ନମୁନାକୁ ଜିନ୍ ଅନୁଶୀଳନ ପାଇଁ ଆଇଏଲ୍‌ଏସ୍‌କୁ ପଠାଯାଇଥିବା ବେଳେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ବିଦେଶ ଫେରନ୍ତାଙ୍କ ପରିବାରବର୍ଗ ଓ ଅନ୍ୟମାନଙ୍କ ଦୁଇ ଦୁଇ ଥର ନମୁନା ପରୀକ୍ଷା ହୋଇଥିବା ବେଳେ ସେମାନେ ନେଗେଟିଭ୍ ଥିବା
ଜଣାପଡ଼ିଛି। ଆକ୍ରାନ୍ତ ଜଣକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

ଚଳିତମାସ ୨୧ତାରିଖରେ ରାଜ୍ୟରେ ପ୍ରଥମ ଥର ଲାଗି ଦୁଇଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏହା ଭିତରେ ଓମିକ୍ରିନ୍ ଆକ୍ରାନ୍ତଙ୍କ ବୃଦ୍ଧି ପାଇ ୯ରେ ପହଞ୍ଚିଛି। ତହିଁରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। ଗତ ୧ମାସ ଭିତରେ ବିଦେଶରୁ ୯ହଜାରରୁ ଅଧିକ ଆକ୍ରାନ୍ତ ଫେରିଥିବା ବେଳେ ତହିଁରୁ ୫୦ ପ୍ରତିଶତ ଫେରନ୍ତାଙ୍କ ନମୁନା ସଂଗ୍ରହ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ତହିଁରୁ ୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।