ଟିଟିଲାଗଡ଼ରେ ପୁଣି କର୍ଫ୍ୟୁ : ସୋମବାର ଆଉ ଏକ ଟ୍ରେନ୍‌ରେ ପ୍ରବାସୀ ଶ୍ରମିକ ଫେରୁଥିବାରୁ ଦିନ ୧୨ଟାରୁ ରାତି ୧୨ଟା ଯାଏ ୧୨ ଘଣ୍ଟିଆ କର୍ଫ୍ୟୁ

ସ୍ୱତନ୍ତ୍ର ଟ୍ରେନ୍‌ରେ ଆସିଲେ ୨୮ଜିଲ୍ଲାର ୧୨ଶହ ଶ୍ରମିକ, ନଜର ରଖିଲା ସିସିଟିଭି ଓ ଡ୍ରୋନ୍‌ କ୍ୟାମେରା

ଟିଟିଲାଗଡ଼ : ଆଜି ୧୫ ଘଣ୍ଟିଆ କର୍ଫ୍ୟୁ ମଧ୍ୟରେ ଟିଟିଲାଗଡ଼ରେ ପହଞ୍ଚିଛି ପ୍ରବାସୀ ଶ୍ରମିକ ଏକ୍ସପ୍ରେସ। ଏହି ଟ୍ରେନ୍‌ ପହଞ୍ଚିବା ପରେ ରାଜ୍ୟର ୨୮ ଗୋଟି ଜିଲ୍ଲାର ୧୨ଶହ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ୍‌ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି। ‌ତେବେ ସୋମବାର ଆଉ ଏକ ଟ୍ରେନ୍‌ରେ ପ୍ରବାସୀ ଶ୍ରମିକ ଫେରୁଥିବାରୁ ପୁଣିଥରେ ଦିନ ୧୨ଟାରୁ ରାତି ୧୨ଟା ଯାଏ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି।

ରବିବାର ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନର ଆଗମନକୁ ନେଇ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା। ଏମିତିକି ସହରର ସବୁ ଦୋକାନବଜାର ଓ ଲୋକଙ୍କ ଚଳାଚଳକୁ ବନ୍ଦ ରଖାଯାଇ ସକାଳ ୯ଟାରୁ ୧୫ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲା। ଦିନ ପ୍ରାୟ ସାଢ଼େ ୧ଟାରେ ମହାରାଷ୍ଟ୍ରର ପନଭେଲରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧରି ଏହି ସ୍ୱତନ୍ତ୍ର ଟ୍ରେନ୍‌ ଟିଟିଲାଗଡ଼ ପହଞ୍ଚିଥିଲା। ୨୨ଟି ବଗି ଥିବା ଏହି ଟ୍ରେନ୍‌ରେ ପ୍ରାୟ ୧୨ଶହ ଶ୍ରମିକ ଫେରିଥିଲେ। ଟ୍ରେନ୍‌ ପହଞ୍ଚିବା ପରେ ଶ୍ରମିକମାନଙ୍କୁ ସୁରୁଖୁରୁରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ପ୍ରାଶାସନିକ ଅଧିକାରୀ, ପୁଲିସ ଓ ଆର୍‌ପିଏଫ୍‌ ଯବାନ ନିଜ କାମରେ ଲାଗିପଡ଼ିଥିଲେ। ସେଠାରୁ ଯେପରି କୌଣସି ଶ୍ରମିକ ଖସି ନ ପଳାଇବେ ସେଥିପାଇଁ ‌ସେମାନଙ୍କ ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ସହ ଡ୍ରୋନ କ୍ୟାମେରାର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। ଟ୍ରେନରୁ ଜିଲ୍ଲାୱାରୀ ଶ୍ରମିକଙ୍କୁ ଓହ୍ଲାଇ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଯାଇଥିଲା। ପରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟପେୟର ପ୍ୟାକେଟ ନେଇ ସେମାନେ ନିଜ ଜିଲ୍ଲାରୁ ଆସିଥିବା ବସ୍‌ରେ ଚଢ଼ିଥିଲେ।

ଏହି ସ୍ୱତନ୍ତ୍ର ଟ୍ରେନରେ ବଲାଙ୍ଗୀର ଜିଲ୍ଲାରୁ ୨୦୩, ଅନୁଗୁଳରୁ ୩୮, ବାଲେଶ୍ୱର ୧୪୩, ଗଞ୍ଜାମ ୧୫୮, କଳାହାଣ୍ଡି ୨୨୦, ନୂଆପଡ଼ା ୫୯ ତଥା ବାକି ସବୁ ଜିଲ୍ଲାରୁ ୨ରୁ ୪ ଲେଖାଏଁ ଶ୍ରମିକ ସ୍ୱତନ୍ତ୍ର ବସ୍‌ର ନିଜ ନିଜ ଜିଲ୍ଲାର ସଂଗରୋଧ କେନ୍ଦ୍ରକୁ ପଠାଯାଇଥିଲା। ଶ୍ରମିକମାନଙ୍କୁ ସୁରୁଖୁରୁରେ ପଠାଇବା ଓ କର୍ଫ୍ୟୁ ସମୟରେ ସହରର ସ୍ଥିତି ସମ୍ଭାଳିବା ଲକ୍ଷ୍ୟରେ ପ୍ରାୟ ୧୨ ପ୍ଲାଟୁନ ଫୋର୍ସ ସହରରେ ମୁତୟନ କରାଯାଇଥିଲା। ଆର୍‌ପିଏଫ୍‌ ପକ୍ଷରୁ ମଧ୍ୟ ଷ୍ଟେସନ ପରିସରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାକୁ ନେବା ପାଇଁ ପ୍ରାୟ ଶହେଟି ବସ୍‌ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଥିଲା। ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ ଖାଲି ହେବା ପରେ ପୁଣି ମହାରାଷ୍ଟ୍ରର ପନଭେଲକୁ ପଠାଇ ଦିଆଯାଇଥିଲା। ସୋମବାର ବିଜୟୱାଡ଼ା ନିକଟ ରାୟନାପାଡୁ ଷ୍ଟେସନରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଆଉଏକ ସ୍ୱତନ୍ତ୍ର ଟ୍ରେନ ଟିଟିଲାଗଡ଼ ପହଞ୍ଚିବ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ଓଡ଼ିଶାରେ ପହଞ୍ଚିଥିବା ୪ଟି ସ୍ବତନ୍ତ୍ର ଟ୍ରେନ୍‌ରେ ୪୮୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଫେରିଛନ୍ତି।

ସମ୍ବନ୍ଧିତ ଖବର