ଦାମଙ୍କୁ ନେଇ ପୁଣି ହଟଚମଟ, ବିଜୁ ମେମୋରିଆଲ ଟ୍ରଷ୍ଟ ବୈଠକରେ ବିଜେଡି ନେତାଙ୍କ ସହ ଏକାଠି
ପୌରପାଳିକା ବିରୋଧରେ ଧାରଣା ଦେଲେ ବିଜେଡି ନେତା
ଜଗତସିଂହପୁର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ନେଇ ପୁଣି ହଲଚଲ୍ ହୋଇଛି ଜଗତସିଂହପୁର ରାଜନୀତି। ପାରାଦୀପ ବିଜୁ ମେମୋରିଆ ଟ୍ରଷ୍ଟ ବୈଠକରେ ଆଜି ଡାକ୍ତର ରାଉତଙ୍କୁ ଦେଖିବାକୁ ମିଳିଛି। ଏହି ବୈଠକରେ ପାରାଦୀପ ନଗର ବିଜେଡିର ସମସ୍ତ ତୁଙ୍ଗ ନେତା ଓ ଛାମୁଆ କର୍ମୀ ଉପସ୍ଥିତ ରହିବା ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେଡିରୁ ବିଦା ହେବାପରେ ଯେଉଁ ନେତାମାନଙ୍କ ପାଇଁ ଦାମ ଅଛୁଆଁ ହୋଇ ପଡ଼ିଥିଲେ, ଆଜି ସେମାନେ ସମସ୍ତେ ଟ୍ରଷ୍ଟ ବୈଠକରେ ଏକାଠି ହୋଇଥିଲେ। ଗୋଟିଏ ପଟେ ଏଭଳି ଘଟଣା ଘଟିଥିବାବେଳେ ଅନ୍ୟପଟେ ପୌରପାଳିକା ବିରୋଧରେ ୱାର୍ଡ–୧୫ର ପୂର୍ବତନ ପାରିଷଦ ମାନସ ବିଶ୍ବାଳଙ୍କ ନେତୃତ୍ବରେ ଶତାଧିକ ବସ୍ତିବାସିନ୍ଦା ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସି ରହିଥିଲେ। ବାତ୍ୟା ଯୋଗୁଁ ସେମାନଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ଖାଇବାକୁ ଦିଆଯାଇ ନଥିବା ସେମାନେ ଅଭିଯୋଗ କରିଥିଲେ।
ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଲକଡାଉନ ସମୟରେ ପାରାଦୀପରେ ଦେଖିବାକୁ ମିଳିନଥିଲା। ମାତ୍ର ଦୁଇ ଦିନ ତଳେ ସମ୍ବିତ ଏକ ରକ୍ତଦାନ ଶିବିରରେ ଯୋଗ ଦେବା ସହ ଷଣ୍ଢକୁଦ ଅଂଚଳ ବୁଲି ଦେଖିଥିଲେ। ବାତ୍ୟାର ଠିକ୍ ଗୋଟିଏ ଦିନ ପରେ ଆଜି ଦାମଙ୍କୁ ପାରାଦୀପରେ ଦେଖିବାକୁ ମିଳିଥିଲା। ଅପରାହ୍ନରେ ବିଜେଡିର କିଛି ଛାମୁଆ ନେତାଙ୍କୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଥିଲା। ଖବର ପାଇ ସମସ୍ତେ ଟ୍ରଷ୍ଟରେ ପହିଥିଲେ। ପୂର୍ବରୁ ଦାମଙ୍କୁ ଦେଖି ଲୁଚୁଥିବା ଏହି ନେତାମାନଙ୍କ ସହ ସେ ଆଜି ଭଲ ଭାବେ କଥା ହୋଇଥିଲେ। ପୂର୍ବ କଥା ଗୁଡ଼ିକ ଆଲୋଚନା ନ କରି ସେ ସିଧାସଳଖ କରୋନା ଓ ବାତ୍ୟାର ମୁକାବିଲା ସଂକ୍ରାନ୍ତରେ ଭଲ ପଦକ୍ଷେପ ନେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସବୁ କ୍ଷେତ୍ରରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଥିବାରୁ କୌଣସି ପ୍ରକାର କ୍ଷତି ହେଲାନାହିଁ ବୋଲି ଦାମ କହିଛନ୍ତି। ଅନ୍ୟପଟେ ପାନ ଚାଷୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି। ଦାମଙ୍କ ଏଭଳି ପରିବର୍ତ୍ତିତ ରୂପ ଏବଂ ତାଙ୍କ ସହ ବିଜେଡି ନେତା ଏକାଠି ହେବା ଘଟଣା ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଅନ୍ୟପଟେ ବିଜେଡି ନେତା ପୌରପାଳିକା ବିରୋଧରେ ଯିବା ଘଟଣା ଅନେକଙ୍କୁ ଚକିତ କରିଛି।
ୱାର୍ଡ–୧୫ର ପୂର୍ବତନ ପାରିଷଦ ଶ୍ରୀ ବିଶ୍ବାଳଙ୍କ ନେତୃତ୍ବରେ ଶତାଧିକ ବସ୍ତିବାସିନ୍ଦା ପୌରପାଳିକା ବିରୋଧରେ ଆଜି ଧାରଣା ଦେଇଥିଲେ। ପାରିଷଦ ଶ୍ରୀ ବିଶ୍ବାଳ ବିଜେଡି ସହ ଥିବାବେଳେ ଗତ ମାସରେ ହିଁ ପୌରପାଳିକାର କାର୍ଯ୍ୟକାଳ ଶେଷ ହୋଇଛି। ବର୍ତମାନ ବିଜେଡି ପାରିଷଦ ଦୁଇ ଗୋଷ୍ଠୀ ହୋଇଥିବାବେଳେ ଏଭଳି ଧାରଣା ପାରାଦୀପ ରାଜନୀତିକୁ ଚଳଚଞ୍ଚଳ କରିଛି। ଶ୍ରୀ ବିଶ୍ବାଳ ସିଧାସଳଖ ଏଥିପାଇଁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଅବଶ୍ୟ ଟାର୍ଗେଟ କରିଛନ୍ତି। କିନ୍ତୁ ଗଲା ପାଂଚ ବର୍ଷ ମଧ୍ୟରେ କେବେ ବି ଶ୍ରୀ ବିଶ୍ବାଳ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ମୁହଁ ଖୋଲି ନଥିଲେ। କିନ୍ତୁ କାର୍ଯ୍ୟକାଳ ଶେଷ ହେବା ପରେ ହଠାତ୍ ପୌରପାଳିକା ଠିକ୍ ଭାବେ କାର୍ଯ୍ୟ କରୁ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଅବଶ୍ୟ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଏ ସମସ୍ତ ଘଟଣାଠାରୁ ଦୂରେଇ ରହିଛନ୍ତି।