ବୁର୍ଲା: କନିଷ୍ଠ ଛାତ୍ରୀମାନଙ୍କୁ କମେଣ୍ଟ ମାରି କ୍ୟାମ୍ପସର ତଡ଼ା ଖାଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନ ‘ସୁଇଟ୍’ର ଜଣେ ଶେଷ ବର୍ଷ ବିଟେକ୍‌ ଛାତ୍ର। ଏହି ଘଟଣା ଆଜି ଶିକ୍ଷାନଗରୀ ବୁର୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୫ ତାରିଖ ଦିନ ‘ସୁଇଟ୍‌’ର ବିଟେକ୍ ଦ୍ଵିତୀୟ ବର୍ଷର କିଛି ଛାତ୍ରୀ ଶୌଚାଳୟକୁ ଯାଇଥିଲେ। ଶୌଚାଳୟ ବାହାରେ ପାଣି ପିଇବା ପାଇଁ ଏକ ଥଣ୍ଡା ୱାଟର ଫ୍ରିଜ୍ ଲାଗିଛି। ସେଠାରେ ଆଗରୁ ଥିବା ବିଟେକ୍ ଚତୁର୍ଥ ବର୍ଷର  ଜଣେ ଛାତ୍ର ଏହି ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ କମେଣ୍ଟ ମଧ୍ୟ କରିଥିଲେ।  ସଂପୃକ୍ତ ଦ୍ଵିତୀୟ ବର୍ଷର ଛାତ୍ରୀମାନେ ‘ସୁଇଟ୍’ ନିର୍ଦ୍ଦେଶକଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପରେ ନିର୍ଦ୍ଦେଶକ ପ୍ରଫେସର ବସନ୍ତ ମହାନ୍ତି  ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସଙ୍କୁ ଅବଗତ କରିଥିଲେ। କୁଳପତି ପ୍ରଫେସର ଦାସ ଅଭିଯୋଗକୁ ଗୁରୁତର ସହିତ ନେବା ସହିତ ତଦନ୍ତ ନିମନ୍ତେ ଶୃଙ୍ଖଳା କମିଟି ଗଠନ କରିଥିଲେ। ସବୁ ଦିଗରୁ ତର୍ଜମା ପରେ ସଂପୃକ୍ତ ବିଟେକ୍ ଶେଷ ବର୍ଷର ଛାତ୍ରଙ୍କ ଦୋଷୀ ପାଇବାରୁ ତାଙ୍କୁ ଦୁଇ ମାସ ପାଇଁ ‘ସୁଇଟ୍’ କ୍ୟାମ୍ପସରୁ ବିତାଡ଼ିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏ ସଂପର୍କରେ ‘ସୁଇଟ୍’ ନିର୍ଦ୍ଦେଶକ ପ୍ରଫେସର ମହାନ୍ତିଙ୍କୁ ପଚାରିବାରୁ ସେ ଏହାକୁ ସ୍ବୀକାର କରିବା ସହିତ କ୍ୟାମ୍ପସରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଗତ ନଭେମ୍ବର ମାସ ୨୦ ତାରିଖରେ ସୁଇଟ୍ ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ୮ ଜଣ ସହପାଠୀ ରାତିରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହା ପରେ ସମ୍ପୃକ୍ତ ଛାତ୍ର ଜଣକ ଘଟଣା ସମ୍ପର୍କରେ ଶେଷ ବର୍ଷରେ ପଢୁଥିବା ତାଙ୍କ ଜଣେ ସମ୍ପର୍କୀୟ ବଡ଼ଭାଇଙ୍କୁ ଏହା ଜଣାଇଥିଲେ। ଏହା ପରେ ବଡ଼ ଭାଇ ଜଣକ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ମିଶି ଦୁର୍ବ୍ୟବହାର କରିଥିବା ସେହି ୮ ଜଣ ଛାତ୍ରଙ୍କୁ ଅଧରାତିରେ ଛାତ୍ରବାସ ମଧ୍ୟରେ ଆଣ୍ଟେଇ ଥିଲେ। ଶୃଙ୍ଖଳା କମିଟିର ନିଷ୍ପତ୍ତି ଅନୁଯାୟୀ ଏହି ଘଟଣାରେ ସିଧାସଳଖ ସମ୍ପୃକ୍ତି ଥିବା ୪ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଛାତ୍ରାବାସରୁ ଏକ ବର୍ଷ ପାଇଁ,  ଅନ୍ୟ  ୪ ଜଣ ଛାତ୍ରଙ୍କୁ ୬ ମାସ ଏବଂ ଶେଷ ବର୍ଷର ଜଣେ ଛାତ୍ରଙ୍କୁ ୬ ମାସ ପାଇଁ ଛାତ୍ରବାସରୁ ବହିଷ୍କୃତ କରାଯାଇଥିଲା। ଅନ୍ୟକିଛି ଛାତ୍ରଙ୍କୁ ତାଗିଦ କରି ଛଡ଼ାଯାଇଥିଲା।