ପୋଡ଼ାପଦର ପଞ୍ଚାୟତର ୫ଟି ବୁଥରେ ସାନି ମତଦାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ୍‌ ପୋଡ଼ାପଦର ପଞ୍ଚାୟତରେ ଗୁରୁବାର ଦୁର୍ବୃତ୍ତମାନେ ପୋଲିଂ କର୍ମଚାରୀଙ୍କୁ ଭୟଭୀତ କରି ବାଲଟପେପର ନେଇ ଯାଇଥିଲେ। ଫଳରେ ନିର୍ବାଚନ ବାତିଲ ହୋଇଥିଲା। ଶୁକ୍ରବାର ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ୫ଟି ବୁଥରେ ୩୫୭ ଜଣ ଭୋଟର ମତଦାନ କରିଥିଲେ।

ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର, ଲିଟିମସ୍କା, କେରବାଡ଼ିଠାରେ ୫ଟି ବୁଥରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ପୋଲିଂ କର୍ମଚାରୀମାନଙ୍କୁ ଭୟଭୀତ କରିଥିଲେ। ସେଠାରୁ ବାଲଟପେପର ନେଇ ଯାଇଥିଲେ। ଫଳରେ ନିର୍ବାଚନ ବାତିଲ ହୋଇଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାରରେ ମଟରବୋଟରେ ପୋଲିଂ କର୍ମଚାରୀମାନେ ବିପଦସଂକୁଳ ଯାତ୍ରା କରି ନିର୍ବାଚନ ନିମନ୍ତେ ପହଞ୍ଚିଥିଲେ।

ଶୁକ୍ରବାର ପୁନର୍ବାର ନିର୍ବାଚନ ଯୋଗୁଁ କର୍ମଚାରୀମାନେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରିଥିଲେ। ପୋଡ଼ାପଦର ପଞ୍ଚାୟତର ବୁଥ ନମ୍ବର ୪ରେ ୧୪୨ ଜଣ ଭୋଟର ଥିବା ବେଳେ ୬୮ଜଣ ଭୋଟ ଦେଇଥିଲେ। ବୁଥ ନମ୍ବର ୫ରେ ୧୮୪ ଜଣ ଭୋଟର ଥିବା ବେଳେ ୯୧ ଜଣ ଭୋଟ ଦେଇଥିଲେ। ବୁଥ ନମ୍ବର ୬ରେ ୧୫୩ ଜଣ ଭୋଟର ଥିବା ବେଳେ ୬୭ଜଣ ଭୋଟର ଭୋଟ ଦେଇଥିଲେ। ବୁଥ ନମ୍ବର ୭ରେ ୫୪ ଜଣ ଓ ବୁଥ ନମ୍ବର ୮ରେ ୭୭ ଜଣ ଭୋଟର ଭୋଟ ଦେଇଥିଲେ। ସମୁଦାୟ ୫ଟି ବୁଥରେ ଶୁକ୍ରବାର ୩୫୭ଜଣ ଭୋଟର ଭୋଟଦାନ କରିଥିଲେ।

ସମ୍ବନ୍ଧିତ ଖବର