ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ଆହତ

ସମ୍ବଲପୁର: ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର୍‌। ପୁଲିସ ଗୁଳିରେ ଗୁରୁତର ଆହତ ହୋଇଛି ଅଇଁଠାପାଲି ଥାନା ଅନ୍ତର୍ଗତ ଦାନୀପାଲିର ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ (୨୫)। ଆଠି ଦିନ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଏନ୍‌କାଉଣ୍ଟର୍‌। ତ୍ରିଦେବର ବାମ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ର ସୂଚନା ମୁତାବକ,ଆଜି ସକାଳେ କୁଲୁଥକାନି ଅଞ୍ଚଳରେ ଡକାୟତି କରିବାକୁ ତ୍ରିଦେବର ଗ୍ୟାଙ୍ଗ ଯୋଜନା କରୁଥିବା ସୂଚନା ପାଇ ସ୍ପେସାଲ ସ୍କ୍ବାଡ୍‌ ଓ ଧନୁପାଲି ପୁଲିସ୍‌ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସ୍‌କୁ ଦେଖି ତ୍ରିଦେବ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଯେଉଁଥିରେ ଜଣେ ପୁଲିସ୍‌ କନେଷ୍ଟବଳ ସାମାନ୍ୟ ଆହତ ହୋଇଥିଲେ। ପାଲଟା ଜବାବ୍‌ରେ ପୁଲିସ୍‌ ମଧ୍ୟ ଗୋଟିଏ ରାଉଣ୍ଡ ଗୁଳି ଚଳାଇବା ପରେ ତ୍ରିଦେବ ଆହତ ହୋଇଥିଲା। ତ୍ରିଦେବ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ହତ୍ୟା ଉଦ୍ୟମ, ଡକାୟତି, ରାହାଜାନି, ଲୁଟ୍‌ ଭଳି ପ୍ରାୟ ୧୦ଟି ସଙ୍ଗିନ୍‌ ମାମଲା ରହିଛି। ପୂର୍ବରୁ ମଧ୍ୟ ତ୍ରିଦେବ ଅନେକ ମାମଲାରେ ଜେଲ୍‌ରେ ରହିସାରିଛି।

ସମ୍ବନ୍ଧିତ ଖବର