ଅନୁଗୁଳ: କୁଆଡେ ଯାଉଛି ମୃତଦେହରୁ ଆଖି ? ଅନୁଗୁଳ ମେଡିକାଲରେ କିଭଳି ଏଭଳି ଘଟଣା ଘଟୁଛି ତାହାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ | କୁନି ଝିଅର ମୃତଦେହରୁ ଆଖି ଗାୟବ ହେବା ଘଟଣାର ସତ୍ୟତା ଜଣାପଡ଼ିନଥିବାବେଳେ ପୁଣି ଏଭଳି ଏକ ଅଭିଯୋଗ ଆସିଛି | ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଆଖି ନଥିବାର ଦେଖିବାକୁ ମିଳିଛି | ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କେହି ତାଙ୍କ ଆଖି ତାଡ଼ିନେଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ମୃତଦେହକୁ ଧରି ପରିବାର ଲୋକ ଧାରଣାରେ ବସିଛନ୍ତି | ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁର ଜମ୍ବେଶ୍ୱର ନାୟକଙ୍କର ଗତକାଲି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା | ତେବେ ବ୍ୟବଛେଦ ପାଇଁ ତାଙ୍କ ମୃତଦେହ ରଖାଯାଇଥିବାବେଳେ ଆଜି ସକାଳୁ ତାଙ୍କର ବାମ ପଟ ଆଖି ନଥିବା ପରିବାର ଲୋକ ଦେଖିଥିଲେ |
ଏହାକୁ ନେଇ ପରିବାର ଲୋକ ସିଡିଏମଓଙ୍କ ଅଫିସ ସାମ୍ନାରେ ମୃତଦେହକୁ ରଖି ଧାରଣାରେ ବସିଛନ୍ତି | ଏଠାରେ ସୂଚନା ଥାଉ କି ଗତ ଗୁରୁବାର ରାତି ୧୧ଟାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରୀତି ଗୋଛାୟତ ନାମକ ୪ ବର୍ଷର ଝିଅର ମୃତ୍ୟୁ ହୋଇଥିଲା | ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଶବଗୃହରେ ରଖାଯାଇଥିଲା | କିନ୍ତୁ ଶୁକ୍ରବାର ଦିନ ୧୨ଟାରେ ବ୍ୟବଚ୍ଛେଦ ପାଇଁ ଶବଗୃହରୁ ଶବ ବାହାର କଲା ବେଳକୁ ଦୁଇଟି ଯାକ ଆଖି ନଥିବାର ଦେଖିବାକୁ ମିଳିଥିଲା |