ଅନୁଗୁଳରେ ଚାଞ୍ଚଲ୍ୟ, ପୁଣି ଆଖି ଗାଏବ

ଅନୁଗୁଳ: ଅନୁଗୁଳରେ ଚାଞ୍ଚଲ୍ୟ। ଗତ ୪ ଦିନ ବ୍ୟବଧାନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରୁ ପୁଣି ଜଣେ ବ୍ୟକ୍ତିଙ୍କ ଶବରୁ ଆଖି ଗାଏବ ହେବା ନେଇ ସାଂଘାତିକ ଅଭିଯୋଗ ଆସିଛି। କୁନି ଝିଅର ଆଖି ଗାଏବ ହେବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇପାରିନଥିବା ବେ‌େଳ ଆଜି ପୁଣି ଦୁର୍ଘଟଣାରେ ମୃତ ଜଣେ ଯୁବକଙ୍କ ଗୋଟିଏ ଆଖି ଗାଏବ ହେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗେଟ୍ ବନ୍ଦ କରି କୁଶକିଳା ଗାଁ ଲୋକଙ୍କ ସହିତ ବିଜେପି ଓ କଂଗ୍ରେସ କର୍ମୀମାନେ ଧାରଣା ଦେଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ସହରର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଆସନ୍ତାକାଲି ବିଜେପି ପକ୍ଷରୁ ‘ଅନୁଗୁଳ ସହର ବନ୍ଦ’ ଡାକରା ଦିଆଯାଇଛି।

ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୁଶକିଳା ଥାନାର ଜମ୍ବେଶ୍ବର ନାଏକ(୩୫) ସୋମବାର କୌଣସି କାମରେ ଅନୁଗୁଳ ଆସିଥିଲେ। ଜଣେ ସଂପର୍କୀୟଙ୍କ ସାଂଗରେ ବାଇକ୍‌ରେ ଅନୁଗୁଳରୁ ଫେରୁଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଜମ୍ବେଶ୍ବରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇ ଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ତେଣୁ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖି ଦିଆଯାଇଥିଲା। ଆଜି ସକାଳ ୮ଟାରେ ନିଶା ଥାନା ପୁଲିସ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ଶବଗୃହ ଖୋଲା ଯାଇଥିଲା। ଶବ ଦେଖିବା ପରେ ସମସ୍ତେ ସ୍ତବ୍‌ଧ ହୋଇ ଯାଇଥିଲେ। ଗୋଟିଏ ଆଖି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଶବ ରଖି ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଦି ଦାବି ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର