ପୁଣି ଚାଷ, ପୁଣି ମହାନଦୀ: ପ୍ରଥମାର୍ଦ୍ଧରେ ଗୃହ ଅଚଳ, ଚାଲିଲା ୪ ମିନିଟ୍‌

ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ଚାଷ ଓ ଚାଷୀଙ୍କ କଥା। ବିରୋଧୀ କଂଗ୍ରେସ ଓ ବିଜେପି ନିଜ ନିଜ ବାଟରେ ପ୍ରସଙ୍ଗ ଉଠାଇଲେ। ନାରାବାଜି କରି ଗୃହ କମ୍ପାଇଲେ। ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଲେ। ପ୍ରଥମେ ବିରୋଧୀଙ୍କ ହଙ୍ଗାମାର ନିରବ ଦର୍ଶକ ଥିବା ଶାସକ ଦଳର ସଭ୍ୟମାନେ ପରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଲେ। ସ୍ଥିତି ଏମିତି ହେଲା ଯେ ଆଜି ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ସୀମିତ ରହିଲା ମାତ୍ର ୪ ମିନିଟ୍‌ରେ। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଠିଆ ହୋଇପଡ଼ିଲେ। ସାର୍‌…ସାର୍‌ କହି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଚାଷୀଙ୍କ ସମସ୍ୟା ସଙ୍ଗୀନ ହେଲାଣି, ସରକାର ଉତ୍ତର ଦିଅନ୍ତୁ କହି ନାରାବାଜି ଆରମ୍ଭ କରିଦେଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି ବୋଲି ଆରୋପ ଲଗାଇ ନାରାବାଜି କଲେ। ମୋଦି ହାଏ…ହାଏ…, ନବୀନ ପଟ୍ଟନାୟକ ହାଏ…ହାଏ..ରେ କମ୍ପିଲା ଗୃହ।

ବିଜେପି ସଭ୍ୟମାନେ ବି ପଛରେ ପଡ଼ି ନ ଥିଲେ। କଂଗ୍ରେସ ସଭ୍ୟଙ୍କ ସହ ତାଳ ଦେଇ ସେମାନେ ବି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବାଚସ୍ପତିଙ୍କୁ ପୋଡିୟମ୍‌ ବାଡ଼େଇଲେ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ୧୦୦ କୋଟି ଫେରିଛି ବୋଲି ଚିତ୍କାର କଲେ। ନବୀନ ପଟ୍ଟନାୟକ ହାଏ…ହାଏ ନାରା ଦେଲେ। ଏହି ସମୟରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ସେ ସଙ୍ଗେ ସଙ୍ଗେ ଗୃହ ବାହାରକୁ ଚାଲିଯାଇଥିଲେ। ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ଯାଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଡାକିଲେ। ଘୋ ଘା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନ ଥାଏ। ମାତ୍ର ଗୋଟିଏ ମିନିଟ୍‌ରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ।

୧୨ଟାରେ ମଧ୍ୟ ସମାନ ସ୍ଥିତି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟ ଭାଗକୁ ଝପଟି ଆସିଲେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ। ତେବେ ବାଚସ୍ପତି କହିବା ପାଇଁ ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମାଙ୍କୁ ସୁଯୋଗ ଦେଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଶ୍ରୀ ଦାସବର୍ମା ପୁଣି ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏକକ ଟ୍ରିବ୍ୟୁନାଲ୍‌ ବାହାନା କରି କେନ୍ଦ୍ର ସରକାର ଓଡ଼ିଶାର ସ୍ୱାର୍ଥକୁ ଆଖିବୁଜି ଦେଉଛନ୍ତି। ଛତିଶଗଡ଼ର ବେଆଇନ୍‌ ନିର୍ମାଣ ବନ୍ଦ କରିବାକୁ କେନ୍ଦ୍ର ପଦକ୍ଷେପ ନେଉ ନାହିଁ। ପୁଣି ମହାନଦୀ ଉପର ମୁଣ୍ଡରେ ନଦୀ ସଂଯୋଗ ଯୋଜନା କରି ଓଡ଼ିଶାକୁ ଆହୁରି ସମସ୍ୟା ଭିତରକୁ ଠେଲି ଦେଉଛନ୍ତି। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ତୁରନ୍ତ ଟ୍ରିବ୍ୟୁନାଲ୍‌ ଗଠନ କରନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ। ତାଙ୍କ ମନ୍ତବ୍ୟ ସରୁ ସରୁ ଶାସକ ଦଳ ସଭ୍ୟମାନେ ଠିଆ ହୋଇ କେନ୍ଦ୍ର ବିରୋଧରେ ସ୍ଲୋଗାନ୍‌ ଦେଲେ। ଗୃହର ମଧ୍ୟ ଭାଗରେ ଦୁଇ ବିରୋଧୀ ଦଳର ହଙ୍ଗାମା ଓ ଏପଟେ ଶାସକ ଦଳ ସଭ୍ୟଙ୍କ ଚିତ୍କାର ଭିତରେ ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି ସଭ୍ୟ ରବି ନାଏକ ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଥିଲେ। ୧୨ଟା ୩ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିଲେ, ସାରା ରାଜ୍ୟରେ କୃଷକଙ୍କୁ ଶୋଷଣ କରାଯାଉଛି। ଧାନ କିଣାରେ ମହାଦୁର୍ନୀତି ହୋଇଛି। ପ୍ରତି କ୍ୱିଣ୍ଟାଲ୍‌ ପିଛା ୫ରୁ ୧୦ କେଜି କାଟିଦିଆଯାଉଛି। ସରକାର, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। କୃଷକ ଆତ୍ମହତ୍ୟା ବଢ଼ିଚାଲିଛି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଚାଷୀ ଆତ୍ମହତ୍ୟା ବନ୍ଦ ପାଇଁ ସରକାର ପଦକ୍ଷେପ ନେଉ ନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବା ପାଇଁ ବିଜେପିି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ତାହା ବି କରାଗଲା ନାହିଁ। ସାରା ରାଜ୍ୟରେ ଏବେ ଧାନର ଅଭାବୀ ବିକ୍ରି ଚାଲିଛି। ଧାନର ଏଫ୍‌ଏକ୍ୟୁ ମାନ, ପୋକ ଆଦି ବାହାନାରେ ମନଇଚ୍ଛା ପରିମାଣ କାଟିଦିଆଯାଉଛି। ସେହିପରି ଚାଷୀ ମଣ୍ଡିକୁ ଧାନ ନେଲା ପରେ ଏକ ଯନ୍ତ୍ର ସାହାଯ୍ୟରେ ତାହା ଏଫ୍‌ଏକ୍ୟୁ ମାନ କି ନୁହେଁ ଜଣାପଡ଼େ। ଯଦି ଏଫ୍‌ଏକ୍ୟୁ ମାନର ହୋଇ ନ ଥିବ, ତେବେ ଆଉ ଏକ ଯନ୍ତ୍ରର ସାହାଯ୍ୟରେ ତାହାକୁ ଏଫ୍‌ଏକ୍ୟୁ ମାନ କରିହେବ। କିନ୍ତୁ ଓଡ଼ିଶାରେ କେଉଁଠି ସେହି ଯନ୍ତ୍ର ରଖାଯାଇ ନାହିଁ। ଫଳରେ ଚାଷୀ ଶୋଷଣର ଶିକାର ହେଉଛି। ବର୍ତ୍ତମାନ ସ୍ଥିତିରେ ଏହା ନିଶ୍ଚିତ ଏକ ଗୁରୁତର ପ୍ରସଙ୍ଗ। କିନ୍ତୁ ସରକାର ନିରବ ରହୁଛନ୍ତି। ଏହାର ପ୍ରତିବାଦ ସ୍ୱରୂପ ଆମେ ଗୃହକୁ ଅଚଳ କରିବାକୁ ବାଧ୍ୟ ହେଲୁ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ, ସରକାର ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରୁଛନ୍ତି। କିନ୍ତୁ ତାହା ଚାଷୀ ପାଖରେ ପହଞ୍ଚୁ ନାହିଁ। ଯେଉଁଥି ପାଇଁ ବରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ପ୍ରଧାନମନ୍ତ୍ରୀ ଶସ୍ୟ ବୀମା ଯୋଜନାରେ ଓଡ଼ିଶା କେନ୍ଦ୍ରରୁ ପ୍ରାୟ ୧୦୦ କୋଟି ଟଙ୍କା ପାଇବାରୁ ବଞ୍ଚିତ ହୋଇଛି। ୧୪ଟି ଜିଲ୍ଲାର ଜିଲ୍ଲାପାଳ ଠିକ୍‌ ସମୟରେ ରିପୋର୍ଟ ନ ଦେବାରୁ ଏପରି ଘଟିଛି। ରାଜ୍ୟ ସରକାର ଚାଷ ଓ ଚାଷୀ ପାଇଁ କିଛି କରୁନାହାନ୍ତି। ଏଥି ପାଇଁ ବିଜେପି ସଭ୍ୟମାନେ ଆଜି ଗୃହରେ ପ୍ରତିବାଦ କରିଥିଲେ। ପରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର