ବେଗୁନିଆରେ ପୁଣି ଫୁଟିଲା ଗୁଳି, ଯୁବକ ଗୁରୁତର

ଖୋର୍ଦ୍ଧା/ବେଗୁନିଆ: ବେଗୁନିଆରେ ପୁଣିଥରେ ଗୁଳି ଫୁଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଗୁଳିମାଡ଼ ଘଟଣା ପଛରେ କାଳଚୁଆ ପଥର ମୁଣ୍ଡିଆ ଘଟଣାର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ଆଜି ରାତି ପ୍ରାୟ ସାଢେ଼ ୭ଟାରେ ଜାମୁ ସାହି ଗାଁର ସନ୍ତୋଷ ରାଉତରାୟ ଓରଫ ଚନ୍ଦା (୨୫) ଏକ ସେଲୁନରେ ବସି କେଶ କାଟୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ ବାହାରକୁ ଡାକିଥିଲେ। ସେ ବାହାରକୁ ଆସିବା କ୍ଷଣି ତାଙ୍କ ଛାତିକୁ ଲକ୍ଷ୍ୟ କରି ଦୁଇ ରାଉଣ୍ତ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ସେଲୁନର କବାଟରେ ବାଜିଥିବା ବେଳେ ଆର ଗୁଳିଟି ସନ୍ତୋଷଙ୍କ ବାମ ପଟ କାନ୍ଧରେ ବାଜିଥିଲା। ସନ୍ତୋଷ ସେଠାରେ ଚିତ୍କାର କରି ପଡ଼ିଯାଇଥିଲେ। ସେଲୁନରେ ଥିବା ୨/୪ ଜଣ ଲୋକ ଭୟରେ ସେହି ସେଲୁନ ଭିତରେ ଳୁଚି ରହିଥିଲେ। ଆଖପାଖର ଲୋକ ଗୁଳି ଶବ୍ଦ ଓ ଚିତ୍କାର ଶୁଣି ସେଠାରେ ଜମା ହେବା ପୂର୍ବରୁ ଦୁଇଜଣ ଯୁବକ ବାଇକ୍‌ରେ ସେଠାରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟ ଲୋକ ସନ୍ତୋଷକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ୍‌କୁ ପଠାଇବା ସହ ପୁଲିସ୍‌କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଗତ ୭ ତାରିଖ ସନ୍ଧ୍ୟାରେ ଏହିଭଳି ଏକ ଘଟଣା ଘଟିଥିଲା। ଦୁଇଜଣଙ୍କୁ ଗୁଳିମାଡ଼ ସହିତ ଗାଡ଼ି ପୋଡ଼ି ଦିଆଯାଇଥିଲା। ଏହାର ୪୮ ଘଣ୍ଟା ପରେ ଏହି ଗୁଳିମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେବା ସହିତ ପୁଲିସ୍‌ର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର