ପୁଣି ଫାଙ୍କିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି। କିନ୍ତୁ ଏହା ବିଫଳତା ବୟାନ କରୁଥିବାରୁ ସରକାର ଏଭଳି ଘଟଣାକୁ ଏଡ଼ାଇ ଚାଲିଛନ୍ତି। ଆଜି ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ବରଗଡ଼ ଜିଲ୍ଲା କଳାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁ ଏବଂ କାମାକ୍ଷାନଗରର ଚାଷୀ ବାସୁ ହେମ୍ବ୍ରମଙ୍କ ଆତ୍ମହତ୍ୟା ନେଇ ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ ଆଜି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। କିନ୍ତୁ ସବୁଥର ଭଳି ଆଜି ବି ଚାଷୀ ଆତ୍ମହତ୍ୟା ଘଟଣାକୁ ସରକାର ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଏ ନେଇ ଆଜି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡା. ଦାମୋଦର ରାଉତ ଗଣମାଧ୍ୟମରେ ବିବୃତି ଦେଇଛନ୍ତିି। ସେ କହିଛନ୍ତି ଯେ କଳାପାଣି ଗ୍ରାମର ବୃନ୍ଦାବନ ସାହୁ ୧୬ ଏକର ଜମିରେ ଚାଷ କରିଥିଲେ। ଏସବୁ ଜମି ୨ଟି ଗ୍ରାମର। ଏଥିମଧ୍ୟରୁ ଅଧିକରୁ ଅଧିକ ଜମି ସେ ଭାଗଚାଷରେ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗ୍ରାମର ୬ ଏକର ଜମି ଚକଡ଼ା ପୋକ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ସେହି ଜମିରୁ ୧୮ ଡେସିମିଲ୍‌ ଜମି ଚକଡ଼ା ପୋକରେ ପୂରା ନଷ୍ଟ ହୋଇଯାଇଥିଲା। ସେ ସେହି ୧୮ ଡେସିମିଲ୍‌ ଜମି ଫସଲରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହାର ପରଦିନ ସକାଳୁ ସେ ଜମିରେ ବିଷପାନ କରି ଆତ୍ମହତ୍ୟା କରିଥିଲେ। ତେବେ ସେ କାହା ଉପସ୍ଥିତିରେ ବିଷ ପିଇଲେ, ସେ କଥା ସମସ୍ତଙ୍କୁ ଜଣା କହି ଆତ୍ମହତ୍ୟାର ପ୍ରକୃତ କାରଣ ସଂପର୍କରେ କହିନଥିଲେ।

କାମାକ୍ଷାନଗରର ଅନୁରୂପ ଘଟଣା ସଂପର୍କରେ କୃଷିମନ୍ତ୍ରୀ କହିଲେ ଯେ ଚାଷୀ ବାସୁ ହେମ୍ବ୍ରମ ପ୍ରଚୁର ହାଣ୍ଡିଆ ପିଇ ତାଙ୍କ ପତ୍ନୀଙ୍କୁ ବାଡ଼ିରେ ନିର୍ଘାତ ମାଡ଼ ମାରିଥିଲେ। ପତ୍ନୀ ନିଜ ବାପଘରକୁ ଯାଇ ଏ ସଂପର୍କରେ କହିଥିଲେ। ବାପଘର ଲୋକେ ଗାଁକୁ ଆସି ଅଭିଯୋଗ କରିବାରୁ ଗାଁ ଦରବାର ବସିଥିଲା। ଗାଁ ଦରବାର ବାସୁଙ୍କୁ ଦୋଷୀସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଦେଇଥିଲା। ଏଥିରେ ସେ ଅପମାନିତ ବୋଧ କରି ବିଷ ପିଇ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଚକଡ଼ା ପୋକ ଯୋଗୁଁ ଫସଲହାନି ଘଟିଥିବା ନେଇ ଗତ ୧ ତାରିଖରେ ବୃନ୍ଦା ଆତ୍ମହତ୍ୟା କରିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ କୃଷି ମନ୍ତ୍ରୀ ଡା. ରାଉତ ଜିଲ୍ଲା ପ୍ରଶାସନକୁ ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ବିଶିଷ୍ଟ ନେତା, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା, କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ, ବିଜେପି ସାଂସଦ ପ୍ରମୁଖ ମୃତକଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଏ ନେଇ ରାଜନୀତି ବି ଜୋର ଧରିଥିଲା। ଏହା ସତ୍ତ୍ୱେ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବା ତ ଦୂରର କଥା, ଅଦ୍ୟାବଧି ସାମାନ୍ୟ ସମ୍ବେଦନଶୀଳତା ବି ପ୍ରକାଶ କରିନାହାନ୍ତି। ବରଂ ରାଜନୈତିକ ଉଦ୍ଦେଶ୍ୟରେ କୃଷି ମନ୍ତ୍ରୀ କହିଛନ୍ତି ଯେ ବୃନ୍ଦା ସାହୁ ବିଜେଡି ଦଳର ନୁହେଁ। ସେ ବିଜେପିର। ଏଣୁ ସେ କାହିଁକି ତାଙ୍କ ଘରକୁ ଯିବେ ବୋଲି ଓଲଟି ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର